ଭୁବନେଶ୍ବର: ସୂର୍ଯ୍ୟଙ୍କ ପହିଲି କିରଣ ଧରା ଛୁଇଁବାକୁ ଡେରି ଥିଲା। ପାହନ୍ତିଆ ଶୀତ ଦେହକୁ କାଲୁଆ କରି ପକାଉଥିଲା। କିନ୍ତୁ ସହରର ସ୍ବାସ୍ଥ୍ୟ ସଚେତନ ମଣିଷଙ୍କ ଏଥିପ୍ରତି ପରବାୟ ନଥିଲା। ଘନ କୁହୁଡ଼ି ଓ ଶୀତକୁ ଖାତିର୍ ନ କରି ବିଭିନ୍ନ ବର୍ଗର ବ୍ୟକ୍ତିମାନେ ରାମମନ୍ଦିର ନିକଟ କେନ୍ଦ୍ରୀୟ ବିଦ୍ୟାଳୟ-୧ ଖେଳ ପଡ଼ିଆରେ ଏକାଠି ହୋଇଯାଇଥିଲେ। ପଞ୍ଜୀକରଣ କେନ୍ଦ୍ରରୁ ପୋଷାକ ଓ ମ୍ୟାଟ୍ ଧରି ମଞ୍ଚ ଆଡ଼କୁ ମୁହଁ କରି ବସି ଯାଇଥିଲେ। ପରେ ସମବେତ କଣ୍ଠରେ ଓଁକାର ଧ୍ବନିର ଉଚ୍ଚାରଣ ପୂରା ପରିବେଶରେ ସକାରାତ୍ମକତା ଭରି ଦେଇଥିଲା। ‘ସମ୍ବାଦ’ ଓ ଅଲ୍ ଓଡ଼ିଶା ଯୋଗ ମହାସଂଘ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ‘ଓଡ଼ିଶା ଯୋଗାଥନ୍’ର ଚତୁର୍ଥ ସଂସ୍କରଣରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯୋଗଗୁରୁ ମନୋଜ ରାଉତଙ୍କ ଓଁକାର ଧ୍ବନି ସହ ବିଭିନ୍ନ ସୂକ୍ଷ୍ମ ଆସନରୁ ଆରମ୍ଭ ହୋଇଥିଲା ଯୋଗାଭ୍ୟାସ। ପ୍ରଶିକ୍ଷକଙ୍କ ଅଙ୍ଗଭଙ୍ଗୀକୁ ଲକ୍ଷ୍ୟ କରି ଯୋଗ ସାଧକ/ସାଧିକାମାନେ ମଞ୍ଚ ତଳେ ତାହାକୁ ଅନୁକରଣ କରିଥିଲେ। ଏହାରି ଭିତରେ ପଡ଼ିଆରେ ବିଚ୍ଛୁରିତ ହୋଇପଡ଼ିଥିଲା ସୂର୍ଯ୍ୟଙ୍କ ପହିଲି କିରଣ। ସୂର୍ଯ୍ୟଙ୍କ ଆଗମନକୁ ଲକ୍ଷ୍ୟ କରି ଆରମ୍ଭ ହୋଇଥିଲା ସୂର୍ଯ୍ୟ ନମସ୍କାର। ପରେ ପରେ ଯୋଗାଚାର୍ଯ୍ୟ ବୀରକିଶୋରଙ୍କ ଦ୍ବାରା ପ୍ରାଣାୟମ ପର୍ବ କରାଯାଇଥିଲା। ଏଥିରେ କପାଳଭାତି, ଉଜ୍ଜାୟୀ, ନାଡ଼ିଶୋଧନ ଆଦି ପ୍ରାଣାୟମ କରାଯାଇଥିଲା। ଶେଷରେ ଶାନ୍ତିପାଠ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଓ ଗାୟତ୍ରୀ ମନ୍ତ୍ର ପାଠ କରିଥିଲେ ଯୋଗାଚାର୍ଯ୍ୟ ଅଜିତ ଓ ସୁରେନ୍ଦ୍ର।
ଜୀବାତ୍ମା ସହ ପରମାତ୍ମାର ମିଳନ ଯୋଗ: ଭାବାମୃତାନନ୍ଦ
ଶରୀର ଓ ମନକୁ ସୁରକ୍ଷିତ ରଖେ: ସୌମ୍ୟ
ଯୋଗ କରିବା, ସୁସ୍ଥ ଭୁବନେଶ୍ବର ଗଢ଼ିବା: ସିପି
ବ୍ୟସ୍ତବହୁଳ ଜୀବନରେ ଭାରାକ୍ରାନ୍ତ ମନକୁ ଚାପମୁକ୍ତ ଓ ପ୍ରଫୁଲ୍ଲ ରଖିବା ଏବଂ ଅଭିଜ୍ଞ ଯୋଗଗୁରୁଙ୍କଠାରୁ ସୁସ୍ଥ ରହିବାର ଉପାୟ ଶିଖିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମେ ଇଷ୍ଟଦେବଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ଏଥିରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ପୁଲିସ୍ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ, ‘ସମ୍ବାଦ ଗ୍ରୁପ୍’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ, ଅନ୍ତର୍ଜାତୀୟ ଆନନ୍ଦମାର୍ଗ ପ୍ରଚାରକ ସଂଘର ସନ୍ନ୍ୟାସୀ ତଥା ବିଶିଷ୍ଟ ଯୋଗ ଶିକ୍ଷକ ଆଚାର୍ଯ୍ୟ ଭାବଅମୃତାନନ୍ଦ ଅବଧୂତ, ଓଡ଼ିଶା ଯୋଗ ସଂଘର ସଭାପତି ମନୋରଞ୍ଜନ ସାହୁ, ସଂପାଦକ ଦୀପ୍ତରଂଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଯୋଗ କରିବାକୁ ଆସିଥିବା ସମସ୍ତ ସାଧକ/ସାଧିକାମାନଙ୍କୁ ସ୍ବାଗତ କରିବା ସହ ଶୀତ ସତ୍ତ୍ବେ ଆସିଥିବାରୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସେ କହିଲେ, ଯୋଗ ଏକ ଏମିତି ଅଭ୍ୟାସ, ଯେଉଁଥିରେ ଖାଲି ଲାଭ ହିଁ ଲାଭ। କ୍ଷତିର କୌଣସି ସମ୍ଭାବନା ନାହିଁ। ଈଶ୍ବରପ୍ରଦତ୍ତ ସମ୍ପତ୍ତି ମଧ୍ୟରେ ଆମ ଶରୀର ସର୍ବଶ୍ରେଷ୍ଠ ସଂପତ୍ତି। ଶରୀର ଓ ମନକୁ ଆମ ସୁସ୍ଥ, ସୁରକ୍ଷିତ ରଖିପାରିଲେ, ଈଶ୍ବର ଆମକୁ ଦେଇଥିବା ସମ୍ପଦର ସୁରକ୍ଷା କରିପାରିବା। ପୁଲିସ କମିସନର୍ ଶ୍ରୀ ପ୍ରିୟଦର୍ଶୀ କହିଲେ, ସ୍ବାସ୍ଥ୍ୟ ହିଁ ସମ୍ପଦ। ସମଗ୍ର ବିଶ୍ବରେ ଯୋଗର ପ୍ରଚାରପ୍ରସାର ଆମ ଦେଶ ହିଁ କରିଛି। ଯୋଗ ମଣିଷକୁ କେତେ ସୁସ୍ଥ ରଖିଥାଏ, ତା’ର ଉଦାହରଣ ଆମେମାନେ ପାଇ ସାରିଛେ। ଏହି ପରିପ୍ରେକ୍ଷୀରେ ‘ସମ୍ବାଦ’ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମ ବେଶ୍ ପ୍ରଶଂସନୀୟ। ଯେଉଁମାନେ ଏଠାକୁ ଆସିଛନ୍ତି, ଏହାକୁ ଅଧିକରୁ ଅଧିକ ପ୍ରଚାରପ୍ରସାର କରନ୍ତୁ। ସମସ୍ତେ ଯୋଗ କରିବା, ସୁସ୍ଥ ଭୁବନେଶ୍ବର ତଥା ସୁସ୍ଥ ଓଡ଼ିଶା ଗଢ଼ିବା ବୋଲି ସେ କହିଥିଲେ।
ଆଚାର୍ଯ୍ୟ ଭାବାମୃତାନନ୍ଦ ଅବଧୂତ କହିଲେ, ଜୀବାତ୍ମା ସହ ପରମାତ୍ମାର ମିଳନ ହିଁ ଯୋଗ। ଯୋଗର ପ୍ରକୃତ ଅର୍ଥ ହେଉଛି ଯୋଡ଼ି ହେବା ବା ଏକତ୍ରୀକରଣ। ଯୋଗ ମାଧ୍ୟମରେ ଆମେ ପରମାତ୍ମାଙ୍କ ସହ ଯୋଡ଼ି ହୋଇପାରିବା ଓ ଆମ ଜୀବନକୁ ସାର୍ଥକ କରିପାରିବା ବୋଲି ସେ କହିଥିଲେ। କାର୍ଯ୍ୟକ୍ରମକୁ ଆର୍.ଜେ କୋମଲ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ପ୍ରକାଶକ ତଥା ସିଓଓ କମଳାକାନ୍ତ ମହାପାତ୍ର, ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ଉପ-ମହାପ୍ରବନ୍ଧକ (ବାର୍ତ୍ତା) ଭବାନୀ ଶଙ୍କର ତ୍ରିପାଠୀ, ମହାପ୍ରବନ୍ଧକ (ବିଜ୍ଞାପନ) ସଂଜୟ ଗୌର୍ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଫ୍ରିଡମ୍ ଅଏଲ୍, କ୍ୟାପିଟାଲ୍ ଟୟୋଟା, ଥ୍ରିଏସ୍ ଡେଣ୍ଟାଲ୍, ବୈଦ୍ୟବୁଟି, ଫ୍ରାଙ୍କ୍ଲିନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ, ରେନ୍ବୋ ଆସେଟ୍, ଆପ୍ଟିପ୍ଲସ୍, ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜ୍ମେଣ୍ଟ, ଜାଭିୟର୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍, ରାଜଧାନୀ କାର୍ ଫେସନ୍, ଉଦ୍ୟମ, ସାଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋ ଆଣ୍ଡ୍ ଲିଭର୍, ଏସ୍ଆଇଆର୍ ଓଡ଼ିଆ, ଅଡିୟମ୍ କ୍ଲିନିକ୍, କ୍ବେଷ୍ଟ୍, ଇଣ୍ଡିଆନ୍ ଅଟୋମୋବାଇଲ ଡକ୍ଟର, ୩୨ଜେମ୍ସ, ରେହାବସ୍କେପ୍ ହେଲ୍ଥ କେୟାର, ଏସ୍ଆର୍ଏଲ୍ ଡାଏଗ୍ନୋଷ୍ଟିକ୍, ହୋପ୍ ଇଲେକ୍ଟ୍ରିକ୍ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗର ହାତ ବଢ଼ାଇଥିଲେ।
ମନ୍ତ୍ରମୁଗ୍ଧ କଲା ଯୋଗ ନୃତ୍ୟ
ପଦ୍ମଶ୍ରୀ ମହାନ୍ତିଙ୍କ ଯୋଗକୁ ନେଇ ଏକକ ନୃତ୍ୟ ପରିବେଷଣ ମନ୍ତ୍ରମୁଗ୍ଧ କରଥିଲା। ପରେ ପରେ ଚନ୍ଦ୍ରଶେଖପୁର ଡିଏଭି ପବ୍ଲିକ୍ ସ୍କୁଲର ପିଲାମାନେ ଦଳଗତ ଯୋଗ ନୃତ୍ୟ ପରିବେଷଣ କରିଥିଲେ। ଏହାସହ ସ୍ମାରକ ଏବଂ ଅର୍ପିତାଙ୍କ ଦ୍ବୈତ ନୃତ୍ୟ ଏବଂ ତାଙ୍କର ପ୍ରତିଟି ଅଙ୍ଗଭଙ୍ଗୀ ଉପସ୍ଥିତ ବ୍ୟକ୍ତିମାନଙ୍କୁ ବେଶ୍ ଉତ୍ସାହିତ କରିଥିଲା। ସେହିଭଳି ଅମ୍ରିତା ବିଦ୍ୟାଳୟର ପିଲାମାନେ ଦଳଗତ ନୃତ୍ୟ ପରିବେଷଣ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ସମସ୍ତଙ୍କୁ ମଞ୍ଚ ନିକଟରେ ବାନ୍ଧି ରଖିପାରିଥିଲେ। ଏହି ଅବସରରେ ସବୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।