କଳିଙ୍ଗ ନାଟ୍ୟ ମହୋତ୍ସବରେ ଚତୁର୍ଥ ସଂଧ୍ୟା, ପରିବେଷଣ ହେଲା ତେଲୁଗୁ ନାଟକ ‘ମଧୁପରକାଲୁ’

ଭୁବନେଶ୍ବର: କଳିଙ୍ଗ ନାଟ୍ୟ ମହୋତ୍ସବର ଚର୍ତୁଥ ସଂଧ୍ୟାରେ ଆଜି ପରିବେଷିତ ହୋଇଛି ତେଲୁଗୁ ନାଟକ ‘ମଧୁପରକାଲୁ’। ବିବାହ ସମୟରେ ବର କନ୍ୟାଙ୍କୁ ଦିଆଯାଉଥିବା ହଳଦୀ ବୋଳା ଧଳା କପଡ଼ାକୁ ନେଇ ନାଟକ ଗତିଶୀଳ ହୋଇଛି। ତେଲୁଗୁ ଭାଷାବାସୀ ଅଞ୍ଚଳର ସୁଦୂର ନୀଳାଚଳ ଗାଁର ପୁତାନା ନାମକ ଜଣେ ତନ୍ତୀ ତା’ ଝିଅ ବାହାଘରେ ନବଦମ୍ପତିଙ୍କୁ ହଳଦୀ ବୋଳା ଧଳା କପଡ଼ା ଦେବା ପାଇଁ ନିଜ ଗାଈକୁ ବିକିଦେଇଛି। ଏହାପରେ ପରିବାର ଚଳାଇବାରେ ଅସୁବିଧା ହେବାରୁ ସେ ଗାଁ ଛାଡି ଅନ୍ୟତ୍ର ଯିବାପାଇଁ ଚାହିଛି।

ଏପଟେ ନବବଧୂଟି ପ୍ରଥମ ରାତିରେ ସ୍ବାମୀକୁ ସବୁ କଥା କହିଛି। ଏହାଶୁଣି ସ୍ବାମୀ ଗାଈଟିକୁ କିଣି ପୁତାନାକୁ ଦେଇଛି। ଏହାଛଡ଼ା ସେ ସେ ଶଶ୍ବରଙ୍କୁ ତାଙ୍କ ଦୁଇ ଏକର ଜମି ଫେରାଇ ଦେଇଛି। ନାଟ୍ୟସଂସ୍ଥା ଶତାବ୍ଦୀର କଳାକାର ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ନାଟ୍ୟୋତ୍ସବର ଚତୁର୍ଥ ସଂଧ୍ୟାରେ ନାଟକ ‘ମଧୁପରକାଲୁ’କୁ ବିଜୟାୱାଡାର ଅରବିନ୍ଦ ଆର୍ଟସ ଡେଭଲପମେଣ୍ଟ ସୋସାଇଟିର କଳାକାରମାନେ ପରିବେଷଣ କରିଥିଲେ। ଭାଲ୍ଲୁରୀ ଶିବପ୍ରସାଦ ନାଟକ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଗଙ୍ଗୋତ୍ରୀ ସାଇ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ଶରତ ରାଉତ ଏବଂ ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଯୋଗ ଦେଇଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ଧୀର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର