ଭୁବନେଶ୍ବର: ଓଡ଼ିଆ ଭାଷାକୁ କେବଳ ସାହିତ୍ୟରେ ସୀମିତ ରଖିବା ଉଚିତ୍ ନୁହେଁ। ଓଡ଼ିଆ ଭାଷାକୁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଭାବେ ବ୍ୟବହାର କରାନଗଲେ ଏହା କେବଳ ସାହିତ୍ୟିର ଭାଷା ହୋଇ ରହିଯିବ। ଏହା ଶୁଭଙ୍କର ନୁହେଁ। ଆଜି ପଞ୍ଚମ ରାଜ୍ୟ ପୁସ୍ତକ ମହୋତ୍ସବ 'ଅକ୍ଷର'ର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ବିଶିଷ୍ଟ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ। 'ଓଡ଼ିଆ ଭାଷା ପ୍ରତିଷ୍ଠାନ' ଦ୍ବାରା ଆୟୋଜିତ ଏହି ସଭାରେ 'ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା' ପ୍ରସଙ୍ଗରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ଦାଶ ବେନହୁର କହିଲେ, ଓଡ଼ିଆଙ୍କର ଦୁଇଟି ପରିଚୟ। ଜଣେ ପ୍ରଭୁ ଜଗନ୍ନାଥ ଓ ଅନ୍ୟଟି ଓଡ଼ିଆ ଭାଷା।
ପୃଥିବୀର ଯେକୌଣସି ଭାଷାଠାରୁ ଓଡ଼ିଆ ଭାଷା ଉଚ୍ଚରେ। କିନ୍ତୁ ଓଡ଼ିଆ ଭାଷାର ଉପଯୋଗିତା ଯେଉଁ ଭଳି ହେବା କଥା ହେଉନାହିଁ। ଆଉ ଯେତେ ଭାଷା ଶିଖିଲେ କିଛି ସମସ୍ୟା ନାହିଁ କିନ୍ତୁ ନିଜ ମାତୃଭାଷାର ମହତ ରଖିବାକୁ ଚେଷ୍ଟା କରାଯାଉ। ଓଡ଼ିଆ ଭାଷାକୁ ଜ୍ଞାନ ଓ ବିକାଶର ଭାଷା ସହ ରୋଜଗାର କରିବାକୁ ପ୍ରୟାସ କରାଯାଉ। ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରଥମ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଟିକାୟତ ରାୟଙ୍କ ସଭାପତିତ୍ବରେ ସମ୍ମାନିତ ଅତିଥି ଭାବେ ପ୍ରଫେସର ବିଜୟ ଶତପଥୀ ଓ ପ୍ରଫେସର ସନ୍ତୋଷ ରଥ ଯୋଗଦେଇ ଓଡ଼ିଆ ଭାଷାର ବ୍ୟାକରଣ ଓ ତୁଳନାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ 'ଶିଶୁଲେଖା'ର ସ୍ବତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଯତୀନ୍ଦ୍ର ଭୂଷଣ ନନ୍ଦ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରେମାନନ୍ଦ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଦେବାଶିଷ ମହାପାତ୍ର ମଞ୍ଚ ସଂଯୋଜନା କରିଥିଲେ।