ଭୁବନେଶ୍ବର: ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଅଭିନେତ୍ରୀ କଙ୍ଗନାଙ୍କ ଅପମାନସୂଚକ ମନ୍ତବ୍ୟ ବିରୋଧରେ ଆଜି ସ୍ବାଧୀନତା ସଂଗ୍ରାମୀ ସଂଗଠନ ସ୍ବର ଉଠାଇଛି। ତାଙ୍କଠାରୁ ପଦ୍ମଶ୍ରୀ ଉପାଧି ପ୍ରତ୍ୟାହାର କରିବା ସହ ତାଙ୍କୁ ତୁରନ୍ତ ଗିରଫ କରିବାକୁ ସଂଗଠନ ଦାବି କରିଛି। ଆଜି ଭାରତ ସ୍କାଉଟ୍‌ ଓ ଗାଇଡ୍ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତୀୟ ସ୍ଵତନ୍ତ୍ର ସେନାନୀ ଓ ଉତ୍ତରାଧିକାରୀ ସଂଯୁକ୍ତ ଓଡ଼ିଶା ତରଫରୁ ଏନେଇ ଏକ ଶୋଭାଯାତ୍ରା ଓ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଶିବ ନାରାୟଣ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ବିଜୟ କୁମାର ତ୍ରିପାଠୀ, ବିବେକାନନ୍ଦ ପାଣିଗ୍ରାହୀ, ତୁଷାର ଘୋଷ ପ୍ରମୁଖ ସାମିଲ ହୋଇଥିଲେ।

Advertisment

ସୂଚନାଯୋଗ୍ୟ, ୧୯୪୭ ମସିହାରେ ଭାରତକୁ ମିଳିଥିବା ସ୍ବାଧୀନତା ଭିକ ବୋଲି କଙ୍ଗନା କହିଥିଲେ। ଭାରତକୁ ୨୦୧୪ ରେ ପ୍ରକୃତ ସ୍ବାଧୀନତା ମିଳିଥିଲା ବୋଲି କଙ୍ଗନା କହିଥିଲେ। ତାଙ୍କରଏହି ମନ୍ତବ୍ୟ ଦେଶର ସ୍ଵାଧୀନତା ସଂଗ୍ରାମୀମାନଙ୍କ ପ୍ରତି କୁଠାରଘାତ ସଦୃଶ ବୋଲି ସଂଗଠନ ଅଭି‌ଯୋଗ କରିଛି। ଏହାକୁ ନେଇ ଅଯୋଗ୍ୟ କଙ୍ଗନାଙ୍କ ପଦ୍ମଶ୍ରୀ ଫେରାଇ ଆଣିବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଆବେଦନ କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଉଚ୍ଚ ନ୍ୟାୟାଳୟରେ କଙ୍ଗନାଙ୍କ ବିରୋଧରେ ପିଟିସନ କରାଯିବା ପାଇଁ ମଧ୍ୟ ସ୍ଥିର ହୋଇଛି। ଶୋଭାଯାତ୍ରାରେ କୁଳମଣି ରାଉତ, ପଦ୍ମନାଭ ଦାସ, ଦିବାକର ପୃଷ୍ଟି, ଅଭିରାମ ମଲ୍ଲିକ, ବୈକୁଣ୍ଠ ମହାପାତ୍ର, ଜିତେନ୍ଦ୍ର ପ୍ରଧାନ, ଚୂଡ଼ାମଣି ସାହୁ, କେଶବ ନାୟକ ପ୍ରମୁଖ ସାମିଲ ଥିଲେ।