ଭୁବନେଶ୍ବର: ନିଜକୁ ଜଣେ ଆର୍ମି ଅଫିସର ବୋଲି ପରିଚୟ ଦେବା ସହ ବଦଳି ହେଉଥିବା ବାହାନାରେ ଶସ୍ତାରେ ଫ୍ରିଜ୍ ବିକିବାକୁ କହି ସାଇବର ଠକ ଜଣେ ମହିଳାଙ୍କଠାରୁ ୯୦ ହଜାର ଟଙ୍କା ଲୁଟି ନେଇଛି। ଠକେଇର ଶିକାର ହୋଇଥିବା ମହିଳା ହେଲେ ପୁରୀ ଗଡ଼ସାହି ଅଞ୍ଚଳର ସୋନାଲି(ଛଦ୍ମନାମ)। ଭୁବନେଶ୍ବର ସାଇବର ଥାନାରେ ହୋଇଥିବା ସୋନାଲିଙ୍କ ଅଭିଯୋଗ ଅନୁସାରେ ମେ’ ୧ ତାରିଖରେ ସେ ସାମାଜିକ ଗଣମାଧ୍ୟମରେ ଏକ ବିଜ୍ଞାପନ ଦେଖିଥିଲେ। ନିଜକୁ ଆର୍ମି ଅଫିସର ବୋଲି ପରିଚୟ ଦେଇଥିବା ଅଜୟ ଯାଦବ ଓଡ଼ିଶାରୁ ବଦଳି ହେଉଥିବାରୁ ଏକ ଡବଲ୍ ଡୋର୍ ଫ୍ରିଜ୍ ମାତ୍ର ୫ ହଜାର ଟଙ୍କାରେ ବିକିବ ବୋଲି ବିଜ୍ଞାପନ ଦେଇଥିଲା।
ସୋନାଲି ଉକ୍ତ ନମ୍ବରରେ ଯୋଗାଯୋଗ କରିବା ପରେ ଅଜୟ ତାଙ୍କୁ ଫଟୋ, ଆଇକାର୍ଡ ଓ ଅନ୍ୟାନ୍ୟ ପରିଚୟ ପତ୍ର ଦେଖାଇ ବିଶ୍ବାସ ଜନ୍ମାଇଥିଲା। ସୋନାଲି ବିଶ୍ବାସ କରି ତା’ କଥାରେ ଏକ ନମ୍ବରରେ ପଞ୍ଜୀକରଣ କରିଥିଲେ। ଏହା ପରେ ଅଜୟ ଫ୍ରିଜ୍ ବିକିବ କ’ଣ ସୋନାଲିଙ୍କୁ ମିଛ ମାମଲାରେ ଫସାଇବ ବୋଲି ଧମକ ଦେଇ ତାଙ୍କଠାରୁ ଟଙ୍କା ଦାବି କଲା। ଜଣେ ଆର୍ମି ଅଫିସର ଭୟରେ ସୋନାଲି ତାକୁ ବିଭିନ୍ନ ପର୍ଯ୍ୟାୟରେ ୯୦ ହଜାର ଟଙ୍କା ଦେଇପକାଇଥିଲେ। ତଥାପି ଠକ ତାଙ୍କ ପିଛା ଛାଡ଼ିନଥିଲା ଓ ବାରମ୍ବାର ଟଙ୍କା ମାଗି ବ୍ଲାକ୍ମେଲ୍ କରିଚାଲିଥିଲା। ଶେଷରେ ବାଧ୍ୟ ହୋଇ ଆଜି ସୋନାଲି ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି।