ପୁରୁଣା ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୨ରେ ଶ୍ରାବଣ ମାସ ଆରମ୍ଭ। ଏହି ଦିନ ପଡ଼ୁଛି ପ୍ରଥମ ଶ୍ରାବଣ ସୋମବାର। ତେବେ ଚଳିତବର୍ଷ ଶ୍ରାବଣରେ ୫ଟି ସୋମବାର ପଡ଼ୁଛି। ଏନେଇ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରାବଣୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅନ୍ୟପଟେ ଶ୍ରୀଲିଙ୍ଗରାଜ ମନ୍ଦିରରେ କାଉଡ଼ିଆମାନଙ୍କ ପାଇଁ କେଉଁପଟେ ବ୍ୟାରିକେଡ୍ ବନ୍ଧାଯିବ ତାକୁ ନେଇ ଚିନ୍ତାରେ ମନ୍ଦିର ପ୍ରଶାସନ। ମନ୍ଦିର ଡାହାଣ ପାର୍ଶ୍ବ ସମ୍ମୁଖ ରାସ୍ତା ଖୋଳା ଯାଇଥିବାରୁ ବ୍ୟାରିକେଡ୍ କେଉଁପଟେ କରାଯିବ ତାକୁ ନେଇ ପ୍ରଶାସନ ସମୀକ୍ଷା କରୁଛି। ଶ୍ରାବଣ ସୋମବାର କାଉଡ଼ିଆଙ୍କ ଭିଡ଼ ସହ ସାଧାରଣ ଭକ୍ତ ଓ ପର୍ଯ୍ୟଟକ ମଧ୍ୟ ମନ୍ଦିରକୁ ଆସିବେ। ମନ୍ଦିର ସମ୍ମୁଖରେ ଖୋଳା ଯାଇ କାମ ଚାଲିଥିବାରୁ ଏହା ସମସ୍ୟା କରିବ ବୋଲି ଜଣାପଡ଼ିଛି। ତେବେ ଏଥିପାଇଁ ଏଏସ୍ଆଇ, ଆର୍ ଏଣ୍ଡ୍ ବି ବିଭାଗ, ବିଏମ୍ସି, କମିସନରେଟ୍ ପୁଲିସ ଓ ମନ୍ଦିର ପ୍ରଶାସନ ମିଳିତ ଭାବେ ମନ୍ଦିର ସମ୍ମୁଖ ଓ ଆଖପାଖ ସ୍ଥାନ ଅନୁଧ୍ୟାନ ପରେ ସ୍ଥାନ ନିରୂପଣ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ପୂର୍ବ ବର୍ଷ ପରି ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିର ଭୋର ୩ଟାରୁ ଖୋଲାଯିବ। ଭୋର ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ଆରମ୍ଭ ହେବ। ଆଡ଼କାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଏକ ତମ୍ୱା ପାତ୍ରର ନଳ ରହିବ। କାଉଡ଼ିଆମାନେ ଧାଡ଼ି ବାନ୍ଧି ଆସି ଆଡ଼କାଠ ନିକଟରେ ସେହି ତମ୍ୱା ପାତ୍ରରେ ତୀର୍ଥ ଜଳ ଢାଳିବେ। ଏହି ପାତ୍ରରୁ ତୀର୍ଥ ଜଳ ଯାଇ ସିଧା ଠାକୁରଙ୍କ ଶକ୍ତି ଉପରେ ପଡ଼ିବ। ତେବେ ପ୍ରତ୍ୟେକ କାଉଡ଼ିଆଙ୍କ ଠାରୁ୧୦ଟଙ୍କା ଶ୍ରାବଣୀ ପାଉଣା ଆଦାୟ କରାଯିବ। ସେପଟେ କାଉଡ଼ିଆମାନଙ୍କୁ ଭିତରକୁ ଶୃଙ୍ଖଳିତ ଭାବେ ଛାଡ଼ିବା ପାଇଁ ମନ୍ଦିର ଭିତରେ ଓ ବାହାରେ ଏଏସ୍ଆଇ ପକ୍ଷରୁ ବ୍ୟାରିକେଡ୍ କରାଯିବା ପାଇଁ କୁହାଯାଇଛି। ମନ୍ଦିରର ବାଇଶି ପାହାଚଠାରୁ ସିଂହଦ୍ୱାର ବ୍ୟାରିକେଡ୍ କାମ ରବିବାର ରାତିରେ କରାଯିବ। ସେହିପରି ଶ୍ରାବଣ ମାସ ତମାମ ବଢ଼େଇବାଙ୍କ ଛକ ଠାରୁ ମନ୍ଦିର ଓ ମନ୍ଦିର ଚତୁଃପାର୍ଶ୍ବରେ ଆମିଷ ଦୋକାନ ବନ୍ଦ ରହିବ। ବିଏମ୍ସି ପକ୍ଷରୁ ଅଧିକ ସଫେଇ କର୍ମଚାରୀ ନିୟୋଜିତ କରିବାକୁ ଜଣାଇ ଦିଆଯିବ। ଏଏସ୍ଆଇ ପକ୍ଷରୁ ମନ୍ଦିର ଭିତରେ ଅଧିକ କର୍ମଚାରୀ ରଖିବାକୁ କୁହାଯାଇଛି। ୱାଟକୋ ପକ୍ଷରୁ ବିଭିନ୍ନ ଛକରେ ପାଣି ଟାଙ୍କି ରଖିବା ବ୍ୟବସ୍ଥା କରିବା ସହ ସେଚ୍ଛାସେବୀମାନେ ସହଯୋଗ କରିବେ। ଟ୍ରାଫିକ୍ ନିୟନ୍ତ୍ରଣ ଓ କାଉଡ଼ିଆମାନଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରିବା ପାଇଁ ପୁଲିସ୍ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଖାଲି ସ୍ଥାନରେ ବେସରକାରୀ ସଂସ୍ଥା ଅସ୍ଥାୟୀ ସେବା ଶିବିର ପାଇଁ ଅନୁମତି ଦିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଅପରପକ୍ଷରେ ମନ୍ଦିର ଭିତରକୁ ପ୍ଲାଷ୍ଟିକ୍ ଡବା ଓ ଜରି ନେବା ପାଇଁ କଟକଣା କଡ଼ାକଡ଼ି କରାଯିବ। ସେହିପରି ଦଉଡ଼ି, ବାହୁଙ୍ଗୀ ଓ ବ୍ଲେଡ୍ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ପକାଇବେ। ଏଥିପାଇଁ ମନ୍ଦିର ପରିସରରେ ସ୍ବତନ୍ତ୍ର ପାତ୍ର ରଖାଯିବ। ପାଣି ଲାଗି ପରେ ମାଟିପାତ୍ରଗୁଡ଼ିକ ପାଇଁ ମଧ୍ୟ ମନ୍ଦିର ମଧ୍ୟରେ ବିଭିନ୍ନ ପାତ୍ର ରଖାଯିବ। ଏହାକୁ ସେଚ୍ଛାସେବୀମାନଙ୍କ ସହଯୋଗରେ ବାହାରକୁ ଫିଙ୍ଗାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଏସ୍ଆଇ ଅଧିକାରୀ, ଲିଙ୍ଗରାଜ ଥାନା ପ୍ରତିନିଧି, ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା, ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି, ବଡ଼ୁ ନିଯୋଗ ସମ୍ପାଦକ କମଳା ବଡ଼ୁଙ୍କ ସମେତ ମନ୍ଦିର କର୍ମଚାରୀ ଉପସ୍ଥିତ ଥିଲେ।