ସ୍ବାସ୍ଥ୍ୟ ବିଭାଗ ଅଧୀନକୁ ଆସିଲା ଏଫ୍‌ଟିଟିଏଫ୍‌, ଆଉ ୯ ଘରୋଇ ହସ୍ପିଟାଲରେ ଟ୍ରମା ଚିକିତ୍ସା

ରାଜଧାନୀର ଅଧିକାଂଶ ଘରୋଇ ହସ୍ପିଟାଲ ସାମିଲ ହେବେ, ୧୫ଶହରୁ ଅଧିକ ରୋଗୀ ଉପକୃତ ହେଲେଣି

ଭୁବନେଶ୍ବର, ୩।୨ (ଇମିସ): ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ଆଉ ୯ଟି ଘରୋଇ ହସ୍ପିଟାଲରେ ମାଗଣାରେ ଟ୍ରମା ଚିକିତ୍ସା ପାଇ ପାରିବେ। ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କ ଲାଗି ୪୮ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଦୁର୍ଘଟଣାଜନିତ ମୃତ୍ୟୁ ହାର କମାଇବା ଲାଗି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ସାମିଲ ହେବାକୁ ଯାଉଥିବା ଘରୋଇ ହସ୍ପିଟାଲ ମଧ୍ୟରେ ଅଧିକାଂଶ ରାଜଧାନୀର ରହିଥିବା ଜଣାପଡ଼ିଛି।

ଏହି ଚିକିତ୍ସା ପାଇଁ ରାଜ୍ୟ ପରିବହନ ବିଭାଗ ଆର୍ଥିକ ସହାୟତା‌ ଯୋଗାଉଥିଲା। ମାତ୍ର ଏଥିପାଇଁ ଅନେକ ସମସ୍ୟା ଦେଖା ଦେଉଛି। ତେଣୁ ଆଗକୁ ପରିବହନ ବିଭାଗ ବଦଳରେ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଟ୍ରିଟମେଣ୍ଟ ଫର ଟ୍ରମା ଫଣ୍ଡ ବା ଏଫ୍‌ଟିଟିଏଫ୍‌ କାର୍ଯ୍ୟ କରିବ। ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଅନୁମତି ଦେଇଛନ୍ତି। ଖୁବଶୀଘ୍ର ଏଥିପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର ହେବ ବୋଲି ସୂଚନା ମିଳିଛି। ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବା ସହିତ ଦୁର୍ଘଟଣାର ଶିକାର ବ୍ୟକ୍ତି ପ୍ରାଣ ହରାଉଛନ୍ତି। ତେଣୁ ଦୁର୍ଘଟଣାଜନିତ ମୃତ୍ୟୁକୁ କମାଇବା ଲାଗି ୨୦୧୯ ମସିହାରେ ରାଜ୍ୟ ସରକାର ଭୁବନେଶ୍ବର ଓ କଟକକୁ ମିଶାଇ ସମୁଦାୟ ୩ଟି ହସ୍ପିଟାଲରେ ଏଫ୍‌ଟିଟିଏଫ୍‌ ବ୍ୟବସ୍ଥା କରିଥିଲେ। ଭୁବନେଶ୍ବରର ଆପୋଲୋ ଓ ଆମ୍ରି ସହ କଟକର ଅଶ୍ବିନୀ ହସ୍ପିଟାଲରେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ପାଣ୍ଠିରୁ ୪ କୋଟି ଟଙ୍କା ମଞ୍ଜୁର କରିଥିଲା। ତେବେ କିଛି ମାସ ପରେ ଏହି ଟଙ୍କା ସରି ଯାଇଥିଲା। ଯଦିଓ ଏହି ସମୟରେ ଦୁର୍ଘଟଣା ରୋଗୀଙ୍କ ଚିକିତ୍ସାରେ କୌଣସି ସମସ୍ୟା ହୋଇ ନ ଥିଲା, ହେଲେ ସ୍ବାସ୍ଥ୍ୟ ବିଭାଗ ଅର୍ଥ ଯୋଗାଣ ପାଇଁ ପରିବହନ ବିଭାଗକୁ ବାରମ୍ବାର ଚିଠି ଲେଖିବାକୁ ପଡ଼ିଥିଲା। ପରବର୍ତୀ ସମୟରେ ପରିବହନ ବିଭାଗ ପକ୍ଷରୁ ୬ କୋଟି ଟଙ୍କା ମଞ୍ଜୁର ହୋଇଥିଲା।

ଏଫ୍‌ଟିଟିଏଫ୍ ଯୋଜନାରେ ଏ ପର୍ଯ୍ୟନ୍ତ ୧୫ଶହରୁ ଅଧିକ ଦୁର୍ଘଟଣା ରୋଗୀଙ୍କୁ ଚିକିତ୍ସା ମିଳିବା ସହିତ ଅନେକ ଜୀବନ ବଞ୍ଚି ପାରିଛି। ହେଲେ ପରିବହନ ବିଭାଗ ଦ୍ବିତୀୟ କିସ୍ତିରେ ଦେଇଥିବା ଅର୍ଥ ଶେଷ ହୋଇଯାଇଥିବା ସୂଚନା ମିଳିଛି। ତେଣୁ ଦୁଇ ବିଭାଗ ଭିତରେ ଅର୍ଥ ଯୋଗାଣକୁ ନେଇ ଦେଖା ଦେଉଥିବା ସମସ୍ୟାକୁ ଦୂର କରିବା ଲାଗି ଏଫ୍‌ଟିଟିଏଫ୍‌କୁ ସ୍ବାସ୍ଥ୍ୟ ବିଭାଗ ଅଧୀନକୁ ଆଣିବା ଲାଗି ନିଷ୍ପତ୍ତି ନିଆଯାଇଛି।
ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ଘରୋଇ ହସ୍ପିଟାଲରେ ଲେଭଲ-୧ ଟ୍ରମା ଚିକିତ୍ସା ରହିଛି, ସେସବୁ ହସ୍ପିଟାଲକୁ ଏହି ଯୋଜନାରେ ସାମିଲ କରାଯିବ। ରାଜଧାନୀର ଆହୁରି ୭ଟି ହସ୍ପିଟାଲ ଏଥିରେ ସାମିଲ ହେବାକୁ ଯାଉଛି। ଏହାସହ ବିଶାଖାପାଟଣା ଓ ରାୟପୁରର ଦୁଇଟି ହସ୍ପିଟାଲକୁ ଏହି ଯୋଜନାରେ ସାମିଲ କରାଯାଇଛି। ଫଳରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଲୋକମାନେ ଟ୍ରମା ସୁବିଧା ପାଇପାରିବେ। ଏଥିପାଇଁ ଏକ ୫ବର୍ଷିଆ ଯୋଜନା ହୋଇଛି। ଏଥିରେ ୫ବର୍ଷ ପାଇଁ ଟ୍ରମା ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଖୁବଶୀଘ୍ର ଏ ସଂପର୍କିତ ରୂପରେଖ ସାମ୍ନାକୁ ଆସିବ।

ଅପରପକ୍ଷରେ ରାଜ୍ୟ ସରକାର ସମୁଦାୟ ୩୩ଟି ଟ୍ରମା ସେଣ୍ଟର ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୮ଟି ଟ୍ରମା ସେଣ୍ଟର ନିର୍ମାଣ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ୨୫ଟି ଟ୍ରମା ସେଣ୍ଟରକୁ ନିର୍ମାଣ ଲକ୍ଷ୍ୟ ରହିଛି। ତହିଁରୁ କେତୋଟି ଲେଭଲ-୧, ୨ ଓ ୩ ଟ୍ରମା ସେଣ୍ଟର ନିର୍ମାଣ ହେବ, ତାହା ସ୍ପଷ୍ଟ ହୋଇପାରି ନାହିଁ। ଚଳିତ ଆର୍ଥିକ ବର୍ଷରେ ଏଥିପାଇଁ ଅର୍ଥ ମଞ୍ଜୁର କରିବା ଲାଗି ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର