ଭୁବନେଶ୍ୱର: ଆଜି ବିଏମ୍ସି ମେୟର ଓ କର୍ପୋରେଟର ପଦ ପାଇଁ ହେଉଛି ମତଦାନ। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ୭୦୫ ବୁଥ୍ରେ ୭ ଲକ୍ଷ ୨୫ ହଜାର ୭୬୫ ଭୋଟର ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଜରିଆରେ ୩୦୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିରେ ୧୨ ଜଣ ମେୟର ପ୍ରାର୍ଥୀ ଓ ୨୮୯ ଜଣ କର୍ପୋରେଟର ପ୍ରାର୍ଥୀ ରହିଛନ୍ତି। ଆଜି ଏଥିପାଇଁ ଆବଶ୍ୟକ ଇଭିଏମ୍ ଧରି ଅଫିସରମାନେ ଦାୟିତ୍ବରେ ଥିବା ନିଜ ନିଜ ବୁଥ୍ରେ ପହଞ୍ଚିଛନ୍ତି ଓ ମତଦାନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି।
ବୁଥ୍କୁ ଗଲା ଇଭିଏମ୍
/sambad/media/post_attachments/wp-content/uploads/2022/03/45-8-300x172.jpg)
ଆଜି ଷ୍ଟ୍ରଙ୍ଗ୍ ରୁମ୍ ହୋଇଥିବା ବିଜେବି କଲେଜ୍ରେ ସାରା ଦିନ ଗହଳି ଚହଳି ଲାଗି ରହିଥିଲା। ମତଦାନରେ ନିୟୋଜିତ ଥିବା ୩ ହଜାରରୁ ଊର୍ଦ୍ଧ୍ବ ଅଫିସର ଏଠାରୁ ଇଭିଏମ୍ ଓ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଧରି ନିଜ ନିଜ ବୁଥ୍କୁ ବାହାରି ଯାଇଥିଲେ। ଏହାର ପରିଚାଳନା ପାଇଁ ସେଠାରେ ହେଲ୍ପ ଡେସ୍କ ସହ ଡାକବାଜି ଯନ୍ତ୍ର ଓ ଅନ୍ୟାନ୍ୟ ଜରୁରୀ ବ୍ୟବସ୍ଥା କରାଯାଇଥିଲା। ବୁଥ୍ୱାରି ଅଫିସରମାନଙ୍କୁ ଡକା ଯାଉଥିଲା ଓ ଇଭିଏମ୍ ଦିଆଯାଉଥିଲା। ସେମାନଙ୍କୁ ଯୋଗାଇ ଦିଆଯାଇଥିବା ନିର୍ଦ୍ଧାରିତ ଗାଡ଼ିରେ ସେମାନେ ବୁଥ୍କୁ ଯାଇଥିଲେ।
୮ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ ସମୟ ରହିଛି। ଅପରାହ୍ନ ୫ଟା ପରେ ଯେଭଳି ମତଦାନ ହେବ ନାହିଁ ସେ ନେଇ ପ୍ରିଜାଇଡିଂ ଅଫିସର ନଜର ରଖିବେ। ଯେଉଁମାନେ ୫ଟାରେ ବୁଥ୍ ଭିତରକୁ ପ୍ରବେଶ କରିଥିବେ ସେମାନେ ମତଦାନ କରିବାର ସୁଯୋଗ ପାଇବେ। ମତଦାନ ଶେଷ ହେବା ପରେ ଇଭିଏମ୍ ସିଲ୍ କରିବା ସହ ଷ୍ଟ୍ରଙ୍ଗ୍ ରୁମ୍ ପର୍ଯ୍ୟନ୍ତ ସୁରକ୍ଷିତ ଆଣିବା ତାଙ୍କ ଦାୟିତ୍ବ ରହିବ ବୋଲି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।
ୱେବ୍ସାଇଟ୍ରେ ବୁଥ୍ ତାଲିକା
ଅନେକ ସମୟରେ ଭୋଟରମାନେ ନିଜ ନିଜ ବୁଥ୍ ଜାଣି ନ ପାରି ଅନ୍ୟ ବୁଥ୍ରେ ପହଞ୍ଚି ଯାଆନ୍ତି। ସେଠାରେ ନିଜ ନାମ ନ ପାଇ ପଚରା ଉଚରା କରି ନିଜ ବୁଥ୍କୁ ଫେରି ଆସନ୍ତି। ଏହାକୁ ନଜରରେ ରଖି ପ୍ରଥମ ଥର ପାଇଁ ଅନ୍ଲାଇନ୍ରେ ବୁଥ୍ ତାଲିକା ଉପଲବ୍ଧ ହେଉଛି। ବିଏମ୍ସି ୱେବ୍ସାଇଟ୍ରେ ନିଜ ନାମ ଓ ଭୋଟର ପରିଚୟ ପତ୍ର ନମ୍ବର ଆଧାରରେ ଭୋଟରମାନେ ନିଜ ନିଜ ବୁଥ୍ ଅତି ସହଜରେ ଖୋଜି ପାରିବେ। ନିଜ ନାମ ସହ ଏହି ୟୁନିକ୍ ନମ୍ବର ଦାଖଲ କଲେ ସେଠାରେ ବୁଥ୍ର ଠିକଣା ଉପଲବ୍ଧ ହେବ।
ପିଙ୍କ୍ ଓ ଆଦର୍ଶ ବୁଥ୍
/sambad/media/post_attachments/wp-content/uploads/2022/03/46-8-300x178.jpg)
ଭୋଟରମାନଙ୍କ ପାଇଁ ଏଥର ୫ଟି ପିଙ୍କ୍ ଓ ୫ଟି ଆଦର୍ଶ ବୁଥ୍ ପ୍ରସ୍ତୁତ କରାଯାଇଛି। କ୍ୟାପିଟାଲ ହାଇସ୍କୁଲରେ ତିନିଟି ଓ ୟୁନିଟ୍-୧ ସରକାରୀ ହାଇସ୍କୁଲ୍ରେ ଦୁଇଟି ପିଙ୍କ୍ ବୁଥ୍ ପ୍ରସ୍ତୁତ କରାଯାଇଛି। ଏଥିରେ ସମସ୍ତ କର୍ମଚାରୀ ମହିଳା ରହିଛନ୍ତି। ସେହିଭଳି ବଡ଼ଗଡ଼ ବ୍ରିଟ୍ କଲୋନି ସରସ୍ବତୀ ଶିଶୁ ମନ୍ଦିର, ରାଜଧାନୀ କଲେଜ୍, ୟୁନିଟ୍-୬ ସରକାରୀ ହାଇସ୍କୁଲ, ଦେବରାଜ ବିଦ୍ୟାପୀଠ ଓ ବାଙ୍ଗୁଆରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ଆଦର୍ଶ ବୁଥ୍ ତିଆରି କରାଯାଇଛି। ଏଥିରେ ବରିଷ୍ଠ ନାଗରିକ ଓ ମହିଳାଙ୍କ ସମେତ ସମସ୍ତ ଭୋଟରଙ୍କ ପାଇଁ ଯାବତୀୟ ସୁବିଧା ଉପଲବ୍ଧ କରାଯାଇଛି। ଏହି ଦୁଇଟି ବ୍ୟବସ୍ଥା ଭୋଟରଙ୍କୁ ଆକର୍ଷିତ କରିବ ବୋଲି କୁହାଯାଉଛି। ଏହା ଛଡ଼ା ଅନ୍ୟ ସମସ୍ତ ବୁଥ୍ରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି।
ଭୋଟର ତାଲିକାକୁ ନେଇ ଦ୍ବନ୍ଦ୍ବ
ନିଜର ମତଦାନ କେନ୍ଦ୍ର ଜାଣିବା ପାଇଁ ଭୋଟରମାନେ ସରକାରୀ ୱେବ୍ସାଇଟ୍ ଖୋଜି ଦ୍ବନ୍ଦ୍ବରେ ପଡ଼ିଛନ୍ତି। କେନ୍ଦ୍ର ସରକାରଙ୍କ ଭୋଟର୍ ହେଲ୍ପ୍ ଲାଇନ୍ ଆପ୍ରେ ସାଧାରଣ ନିର୍ବାଚନର ଭୋଟର ତାଲିକା ଉପଲବ୍ଧ ହେଉଛି। ସେଥିରେ ଭୁବନେଶ୍ବର ଭୋଟରମାନଙ୍କ ପାଇଁ ସାଧାରଣ ନିର୍ବାଚନ ସମୟରେ ଧାର୍ଯ୍ୟ ହୋଇଥିବା ବୁଥ୍ ପ୍ରଦର୍ଶିତ ହେଉଛି। କିନ୍ତୁ ମହାନଗର ନିଗମ ନିର୍ବାଚନରେ ମତଦାନ କେନ୍ଦ୍ର ବଦଳି ଯାଇଛି। ଏହାକୁ ନେଇ ସେମାନେ ଦ୍ବନ୍ଦ୍ବରେ ପଡ଼ିବା ସହ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି। ତେବେ ବିଏମ୍ସି ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ସଦ୍ୟ ପ୍ରକାଶିତ ତାଲିକା ଛଡ଼ା ଆଉ କୌଣସି ତାଲିକା ବୈଧ ନୁହେଁ ବୋଲି ଏଡିଏମ୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/m16-1.jpg)