ମହାମାରୀର ପ୍ରତିକୂଳ ପ୍ରଭାବ ସତ୍ତ୍ବେ ସାହିତ୍ୟର ଭବିଷ୍ୟତ ଉଜ୍ଜ୍ବଳ: ସୌମ୍ୟ

ଲୋକାର୍ପିତ ହେଲା ‘ଝର୍କା ସେପାଖ ପୃଥିବୀ’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ‘ମିତ୍‌ ସ୍ମୃତି କମିଟି’ ପକ୍ଷରୁ କବୀ ଆଦ୍ୟାଶା ପ୍ରିୟଦର୍ଶିନୀ ଦାସଙ୍କ ପ୍ରଥମ କବିତା ସଂକଳନ ‘ଝର୍କା ସେପାଖ ପୃଥିବୀ’ ଲୋକାର୍ପିତ ହୋଇଯାଇଛି। ୱେବିନାର୍‌ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ସାହିତ୍ୟର ସବୁ ବିଭାଗ ମଧ୍ୟରେ କବିତାର ସ୍ଥାନ ଶୀର୍ଷରେ। କବିଙ୍କୁ ସମସ୍ତେ ଗୁରୁ, ଯୁଗସ୍ରଷ୍ଟା, କାଳଦର୍ଶୀ ହିସାବରେ ଗ୍ରହଣ କରନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ପୁସ୍ତକର ଭାଗ୍ୟ ସେତେ ଭଲ ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି। ପତ୍ରପତ୍ରିକା, ଗଳ୍ପ ସଂକଳନ, ଉପନ୍ୟାସ, ଏପରିକି ଖବରକାଗଜ ଭଳି ମୁଦ୍ରଣ ଜଗତ ସାଂଘାତିକ ଭାବେ ପ୍ରଭାବିତ ହେଉଛି। ବିଶେଷକରି କରୋନା ମହାମାରୀ ଏବଂ ଆଧୁନିକ ବିଜ୍ଞାନ ଓ କାରିଗରି ଜ୍ଞାନକୌଶଳ ମୁଦ୍ରଣ ଜଗତକୁ କିଭଳି ପ୍ରଭାବିତ କରୁଛି, ତାହା ଆମେ ସମସ୍ତେ ଅଙ୍ଗେ ନିଭାଉଛୁ। କିନ୍ତୁ ଆମ ପାଖରେ ଏକ ଅଦ୍ଭୁତ ସମ୍ଭାବନା ଅଛି।

କବିତା ବା ଏହିଭଳି ଭଲ ସାହିତ୍ୟଗୁଡ଼ିକୁ ଆମେ ସୋସିଆଲ ମିଡିଆ ବା ବିଜ୍ଞାନ ଓ କାରିଗରି ଜ୍ଞାନକୌଶଳ ସହାୟତାରେ ସମସ୍ତଙ୍କ ପାଖେ ପହଞ୍ଚାଇ ପାରିବା। ପୁସ୍ତକ ହୁଏତ ଏହା କରିପାରିବ ନାହିଁ। ତେଣୁ ପୁସ୍ତକର ଭବିଷ୍ୟତ ଯେତେ ଅନ୍ଧକାର ହେଲେ ମଧ୍ୟ ସାହିତ୍ୟର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ବଳ ବୋଲି ମୁଁ ଆଶାବାଦୀ। ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର ଯୋଗଦେଇ କବିତାଗୁଡ଼ିକର ପ୍ରଶଂସା କରିବା ସହ ପ୍ରୀତୀଶ ବଶାଙ୍କ ପୁତ୍ର ସ୍ବର୍ଗତ ମିତ୍‌ ବଶାଙ୍କ ସ୍ମୃତିଚାରଣ କରିଥିଲେ। କବିତା ସଂକଳନଟି ସୃଷ୍ଟିଶୀଳତାର ଏକ ଖୋଲା ଫର୍ଦ୍ଦ। ଯାହାର ପ୍ରତିବିମ୍ବ ନିଜେ ମିତ୍‌ ଥିଲେ। ମିତ୍‌ ଜଣେ ଦୀପ୍ତିମନ୍ତ ଚରିତ୍ର ଥିଲେ, ତାଙ୍କ ପାଖେ ଯୌବନର ସ୍ଫୂର୍ତ୍ତି ଥିଲା। ସେ ନିରବତାକୁ ଯେତିକି କଥା କହିପାରୁଥିଲେ, କୋଳାହଳକୁ ସେତିକି କହିପାରୁନଥିଲେ। ଅନ୍ଧକାରକୁ ଯେତିକି କଥା କହିପାରୁଥିଲେ, ଆଲୋକକୁ କହିପାରୁ ନଥିଲେ। ସେ ଜଣେ ଭିନ୍ନଧରଣର ମଣିଷ ଥିଲେ। ତେଣୁ ତାଙ୍କ ସ୍ମୃତିଚାରଣ କରିବା ଅବସରରେ ଆମେ ତାଙ୍କ ପାଇଁ ଶୋକ ପ୍ରକାଶ କରିବା ଉଚିତ ନୁହେଁ ବୋଲି ଅତିଥିଦ୍ବୟ କହିଥିଲେ। ‘ମିତ୍‌ ସ୍ମୃତି କମିଟି’ ପକ୍ଷରୁ ପ୍ରତି‌ବର୍ଷ ଲୁକାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସକୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ।
ଏହି ଅବସରରେ କବୀ ଶ୍ରୀମତୀ ଦାସ ନିଜ କବିତା ସଂକଳନ ସଂପର୍କରେ ବକ୍ତବ୍ୟ ରଖିବା ସହ ପ୍ରକାଶନୀ ସଂସ୍ଥା ‘ତୀରତରଙ୍ଗ’ ଓ ପ୍ରୀତୀଶ ବଶାଙ୍କୁ ଧନ୍ୟବାଦ ଦେଇଥିଲେ। ସଭା ଆରମ୍ଭରେ ଡ. ପ୍ରାଣନାନନ୍ଦ ରଥ ବେଦପାଠ କରିଥିଲେ। ଆୟୋଜକ ପ୍ରୀତୀଶ ବଶା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସ୍ବାଗତ ଭାଷଣ ଦେବା ସହ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ଶ୍ୟାମସୁନ୍ଦର ଅଗ୍ରୱାଲ, ପରିବହନ ସଚିବ ମଧୁସୂଦନ ପାଢ଼ୀ, ଶ୍ରୀରାମଚନ୍ଦ୍ର ଭଂଜ ବିଶ୍ବବିଦ୍ୟାଳୟର କୁଳପତି କିଶୋର କୁମାର ବଶା, ଇନଷ୍ଟିଚ୍ୟୁଟସ୍‌ ଅଫ ଇଂଜିନିୟର୍ସର ପୂର୍ବତନ ସଭାପତି ଇଂ ଅଶୋକ ବଶା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର