ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାହାଯ୍ୟ ମନୋଭାବ, ଦକ୍ଷତା ବୃଦ୍ଧି ଓ ନିଜ ମଧ୍ୟରେ ଆଜୀବନ ବନ୍ଧୁତା ସ୍ଥାପନ ହେଉଛି ଭାରତ ସ୍କାଉଟସ୍ ଓ ଗାଇଡସ୍ର ମୁଖ୍ୟ ଉଦ୍ଦେଶ୍ୟ। ବର୍ତ୍ତମାନ ସମୟରେ ଏହି ସବୁର ଯଥେଷ୍ଟ ମହତ୍ତ୍ୱ ରହିଛି। ସ୍କାଉଟସ୍ ଓ ଗାଇଡସ୍ ଦେଶର ଭବିଷ୍ୟତ। ୨୦୪୭ ମସିହା ଭାରତ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତିରେ ବିକଶିତ ଭାରତ ଗଠନରେ ସ୍କାଉଟସ୍ ଓ ଗାଇଡସ୍ ଯଥେଷ୍ଟ ଅବଦାନ ରହିବ। ସମୃଦ୍ଧ ଓ ବିକଶିତ ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କର ଦକ୍ଷତା ବିକାଶ ଦିଗରେ ଅନୁକୂଳ ପରିବେଶ ପ୍ରଦାନର ଆବଶ୍ୟକତା ରହିଛି। ଯାହା ଭାରତ ସ୍କାଉଟସ୍ ଓ ଗାଇଡସ୍ ପରି ସଂଗଠନ ପ୍ରଦାନ କରିଆସୁଛି। ସ୍କାଉଟସ୍ ଓ ଗାଇଡସ୍ର ପ୍ରତିଷ୍ଠାତା ଲର୍ଡ ବାର୍ଡେନ୍ ପାୱେଲଙ୍କ ଦୃଷ୍ଟିକୋଣର ପ୍ରଶଂସା କରିବା ସହ ମହାତ୍ମା ଗାନ୍ଧୀଙ୍କ ଭଳି ମହାପୁରୁଷମାନେ ଏହି ସଂଗଠନ ସହ ଜଡ଼ିତ ରହିଥିବାରୁ ସମସ୍ତେ ଗର୍ବ ଅନୁଭବ କରିବା ଉଚିତ ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ।
ରାଜଭବନର ନିୟୁ ଅଭିଷେକ ହଲ୍ରେ ଆୟୋଜିତ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଓ ଗାଇଡ୍ସ୍ର ରାଜ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ରାଜ୍ୟପାଳ ତଥା ମୁଖ୍ୟ ପୃଷ୍ଠପୋଷକ ଶ୍ରୀ ଦାସ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଡାକ୍ତର ମନୋଜ ସାହୁ, ଖୋର୍ଦ୍ଧାସ୍ଥିତ ୪୧ ଆଇଟିବିପି ବାଟାଲିୟନର କମାଣ୍ଡାଣ୍ଟ ନରେନ୍ଦ୍ର ସିଂହ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକକୁ ରାଜ୍ୟପାଳ ଶ୍ରୀ ଦାସ ରାଜ୍ୟ ପୁରସ୍କାର (ପ୍ରଶଂସା) ପ୍ରଦାନ କରିଥିଲେ। ଏଥିସହ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକଙ୍କୁ ରାଜ୍ୟ ପୁରସ୍କାର (ସମ୍ମାନ) ସେମାନଙ୍କର ସ୍କାଉଟ୍ସ୍ ଓ ଗାଇଡ୍ସ୍ ସଂଗଠନ ସହିତ ସଂପୃକ୍ତି ଓ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏତଦ୍ବ୍ୟତୀତ ରାଜ୍ୟପାଳ ରାଜ୍ୟ ପୁରସ୍କାର (କାମ୍ପୋରି) ସେନ୍ସସ୍ ଓ ସର୍ଭିସ୍ଷ୍ଟାର ପ୍ରମାଣପତ୍ର ଯୋଗ୍ୟ ବ୍ୟକ୍ତିବିଶେଷ ଓ ଜିଲ୍ଲାକୁ ପ୍ରଦାନ କରିଥିଲେ।
ରାଜ୍ୟପାଳ ପ୍ରତ୍ୟେକ ଜିଲ୍ଲାରୁ ଯୋଗ୍ୟ ବିବେଚିତ ସମୁଦାୟ ୧୨,୪୯୯ ରାଜ୍ୟ ପୁରସ୍କାର ପ୍ରମାଣପତ୍ର ୫୨ ଗ୍ରୁପ୍ରେ ଜିଲ୍ଲାମାନଙ୍କୁ ପ୍ରଦାନ କରିଥିଲେ। ପୁରସ୍କାର ପ୍ରଦାନ ଉତ୍ସବରେ ଭାରତ ସ୍କାଉଟସ୍ ଓ ଗାଇଡସ୍ର ରାଜ୍ୟ ମୁଖ୍ୟ କମିସନର ଡ. କାଳୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ରାଜ୍ୟପାଳଙ୍କ ମୁଖ୍ୟ ପରାମର୍ଶଦାତା ସନ୍ତୋଷ କୁମାର ଶତପଥୀ, ରାଜ୍ୟ ଉପସଭାପତି ଡ. ମିନତି ବେହେରା ଓ ରାଜ୍ୟ କମିସନର ଗାଇଡ୍ ଡ. ସିପ୍ରା ନାୟକ ମଞ୍ଚରେ ଉପସ୍ଥିତ ଥିଲେ। ଶେଷରେ ସ୍କାଉଟସ୍ ଓ ଗାଇଡସ୍ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhsfhfhhffh.jpg)