ଭଙ୍ଗା ବ୍ରିଜ୍‌ରେ ବାଜି ଲାଗିଛି ଅଙ୍ଗନବାଡ଼ି ପିଲାଙ୍କ ଭବିଷ୍ୟତ

ବାଲିପାଟଣା, ୨୫।୯ (ଇମିସ): ୫୦ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା ବ୍ରିଜ୍‌। ଏବେ ତା’ର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡ଼ିଛି। କଂକ୍ରିଟ୍‌ ଛାଡ଼ିଗଲାଣି। କଳଙ୍କି ଲଗା ଲୁହା ରଡ୍‌ ଉପରକୁ ବାହାରିଗଲାଣି। ଗାର୍ଡ ୱାଲ୍‌ ଭାଙ୍ଗି ଯାଇଛି। ସେହି ଭଙ୍ଗା ଦଦରା ବ୍ରିଜ୍‌ ପାର୍ ହୋଇ ଅଙ୍ଗନବାଡ଼ି ପିଲାମାନେ ବିପଜ୍ଜନକ ଭାବେ ଯାତାୟାତ କରୁଛନ୍ତି। ଅଙ୍ଗନବାଡ଼ି ଓ ପ୍ରା‌ଥମିକ ବିଦ୍ୟାଳୟର କୁନିକୁନି ପିଲାଙ୍କ ଭବିଷ୍ୟତ ଏହି ଭଙ୍ଗା ବ୍ରିଜ୍‌ରେ ବାଜି ଲାଗିଛି। ଏହା ହେଉଛି ବାଲିପାଟଣା ବ୍ଲକ୍‌ ଭାକରସାହି ପଞ୍ଚାୟତ ଗଡ଼ଚାରିପଡ଼ା କେନାଲ ବ୍ରିଜ୍‌ର ଅବସ୍ଥା। ଏନେଇ ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ଅଭିଯୋଗ କରିବା ପରେ ବି ମରାମତି ହେଉନଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପାଇଛି।
ସୂଚନାଯୋଗ୍ୟ ଯେ ବାଲିଅନ୍ତା ଜଳସେଚନ ବିଭାଗ ଅଧୀନ ଗୋପ ବ୍ରାଞ୍ଚ୍‌ କେନାଲରେ ଭାକରସାହି ଗଡ଼ଚାରିପଡା ଗାଁ ମୁଣ୍ଡରେ ୫୦ ବର୍ଷ ତଳେ ଏହି ପୋଲ ନିର୍ମାଣ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଶହଶହ ଲୋକ ଏହି ବ୍ରିଜ୍‌ ଦେଇ ହଂସପାଳ, ନିମାପଡ଼ା, ନିଆଳି, ଜୟଦେବ, ଅଡ଼ଶପୁର ଆଦି ଅଞ୍ଚଳକୁ ଯାଆନ୍ତି। କେନାଲ ଆରପାରିରେ ଥିବା ଗହୀରକୁ ସ୍ଥାନୀୟ ଚାଷୀମାନେ ଏହି ପୋଲ ଦେଇ ଯିବା ଆସିବା କରୁଛନ୍ତି। ଗଡ଼ଚାରିପଡା, ଖଇରିପୁର, ଜାହାଙ୍ଗୀର ପାଟଣା, ବେହେରାସାହି, ନାୟକସାହିର ପିଲାମାନେ ଗଡ଼ଚାରିପଡା ପ୍ରାଥମିକ ବିଦ୍ୟାଳୟକୁ ଏହି ପୋଲ ଦେଇ ଯାଉଛନ୍ତି। ସେହିଭଳି ଗଡ଼ଚାରପଡ଼ା ଅଙ୍ଗନବାଡ଼ି କେନ୍ଦ୍ରଟି କେନାଲ ସେପଟେ ଥିବାରୁ କୁନିକୁନି ପିଲାମାନେ ଏହି ଖଣ୍ଡିଆ ପୋଲ ଉପର ଦେଇ ଯାଉଛନ୍ତି। ଭଙ୍ଗା ପୋଲ ଉପର ଦେଇ ଛୋଟଛୋଟ ପିଲାଙ୍କୁ ଏକାକୀ ଛାଡ଼ି ହେଉ ନଥିବାରୁ ଅଭିଭାବକମାନଙ୍କୁ ଏଥିପାଇଁ ସମୟ ଦେବାକୁ ପଡ଼ୁଛି। ଗାର୍ଡ ୱାଲ୍ ଭାଙ୍ଗି ଯାଇଥିବାରୁ ଟିକିଏ ଅସାବଧାନ ହେଲେ ମୁକୁଳା ପୋଲ ଉପରୁ ତଳକୁ ଖସି ପଡ଼ିବା ଭୟ ରହୁଛି। କେନାଲରେ ବର୍ଷର ଅଧିକାଂଶ ସମୟ ଭରା‌ ପାଣିର ସ୍ରୋତ ରହୁଥିବାରୁ ଖସି ପଡ଼ିଲେ ଭାସିଯିବା ଥୟ। ପହଁରା ଜାଣିଥିବା ବଡ଼ ଲୋକ ବି ବଞ୍ଚିବା ମୁସ୍କିଲ। ତେଣୁ ଅଙ୍ଗନବାଡ଼ି ଓ ପ୍ରା‌ଥମିକ ବିଦ୍ୟାଳୟର ପିଲାଙ୍କ ଜୀବନ ପ୍ରତି ଭୟଙ୍କର ବିପଦ ରହିଛି।
ସ୍ଥାନୀୟ ଲୋକଙ୍କ କହିବା କଥା, ଏନେଇ ପୂର୍ବରୁ ଜଳସେଚନ ବିଭାଗକୁ ପୂର୍ବରୁ ଅଭିଯୋଗ କରାଯାଇଛି। କିନ୍ତୁ କେହି ଏହାକୁ ଗୁରୁତ୍ବର ସହ ନେଉନାହାନ୍ତି। ଏବେ ସ୍ଥାନୀୟ ଜନପ୍ରତିନିଧିମାନେ ଏହି ସମସ୍ୟାକୁ ଗୁରୁତ୍ବର ସହ ନେଇଛନ୍ତି। ଭାକରସାହି ପଞ୍ଚାୟତ ସମିତି ସଭ୍ୟ କାହ୍ନୁଚରଣ ପାତ୍ର, ପିଣ୍ଟୁ ପାତ୍ର, ରାଜେଶ ପାତ୍ର, ପବିନ ସାହୁ, ପ୍ରଶାନ୍ତ ବେହେରା ପ୍ରମୁଖ ଜଳସେଚନ ବିଭାଗରେ ପୁଣି ଅଭିଯୋଗ କରିଛନ୍ତି। ନୂତନ ପୋଲ ନିର୍ମାଣ ପାଇଁ ଦୃଢ଼ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର