ଆରମ୍ଭ ହେଲା ଅଳିଆ ଉଠା, ୭ ଦିନରେ ବିଏମ୍‌ସି ଦେବ ବକେୟା ପାଉଣା

ଭୁବନେଶ୍ୱର: ରାଜଧାନୀରେ ଆବର୍ଜନା ଉଠାଇବାକୁ ଠିକା ନେଇଥିବା ସଂସ୍ଥାର ବକେୟା ପାଉଣା ୭ଦିନ ଭିତରେ ବିଏମ୍‌ସି ଦେଇଦେବ। ଆଜି ଆଲୋଚନା ପରେ ବିଏମ୍‌ସି ଏହି ପ୍ରତିଶ୍ରୁତି ଦେଇଥିବାରୁ ଠିକା ସଂସ୍ଥା ପୁଣି ଅଳିଆ ଉଠାଇବା ଆରମ୍ଭ କରିଛି। ସୈନିକ ସ୍କୁଲ ପାଖ ଟେମ୍ପରାରି ଟ୍ରାଞ୍ଜିଟି ଷ୍ଟେସନ(ଟିଟିଏସ୍‌)ରୁ ଆବର୍ଜନା ବୁହା ଆରମ୍ଭ ହୋଇଛି। ମାତ୍ର ରାଜଧାନୀର ଅନେକ ଅଞ୍ଚଳରୁ ଅଳିଆ ଉଠି ପାରିନାହିଁ। ସୂଚନାଯୋଗ୍ୟ, ଭୁବନେଶ୍ବରରେ ସଫେଇ କାମ କରିବା ପାଇଁ ତିନୋଟି ସଂସ୍ଥାକୁ ଠିକା ଦିଆଯାଇଛି। ମାତ୍ର ଉକ୍ତ ଠିକା ସଂସ୍ଥାମାନେ ୪ ମାସ ହେଲା ପାଉଣା ପାଇନାହାନ୍ତି। ବିଏମ୍‌ସି ଉପରେ ସେମାନଙ୍କର କୋଟି କୋଟି ଟଙ୍କା‌ ବାକି ପଡ଼ିଛି। ତେଣୁ ଠିକା ସଂସ୍ଥାରେ କାମ କରୁଥିବା ଲୋକେ ବି ମଜୁରି ପା‌ଉନାହାନ୍ତି। ତେଣୁ ଠିକା ସଂସ୍ଥା କମ୍‌ ‌ଲୋକଙ୍କୁ ନେଇ କାମ କରୁଥିଲେ। ଫଳରେ ଟିଟିଏସ୍‌ ସହ ସହରର ଅନ୍ୟ ସ୍ଥାନରେ ଆବର୍ଜନା ପାହାଡ଼ ଭଳି ଗଦା ହୋଇ ରହିଥିଲା। ଏଣୁ ସହରରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ଆଜି ବିଏମ୍‌ସି ଉକ୍ତ ଠିକା ସଂସ୍ଥାର ମୁଖ୍ୟମାନଙ୍କୁ ନେଇ ଏକ ବୈଠକ କରିଥିଲା। ୭ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ବିଏମ୍‌ସି ପ୍ରତିଶ୍ରୁତି ଦେଇଛି। ଏହି ବୈଠକ ବିଳମ୍ବରେ ସରିଥିବାରୁ ଆଜି ସବୁ ଜାଗାରୁ ଆବର୍ଜନା ଉଠି ପାରିନାହିଁ। ଆସନ୍ତାକାଲିଠାରୁ ଠିକା ସଂସ୍ଥାମାନେ ପୂର୍ଣ୍ଣମାତ୍ରାରେ କାମ କରିବା ସହ ସମସ୍ତ ଆବର୍ଜନା ଉଠିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର