ବନ୍ଦ ହେଲା ପେଟ୍ରୋଲ୍ ପମ୍ପ୍‌, ନମୁନା ରିପୋର୍ଟ ଆସିବା ପର୍ଯ୍ୟନ୍ତ ଟାଙ୍କି ବନ୍ଦ ରହିବ

ଅପମିଶ୍ରଣ ହୋଇନି: ଏଚ୍‌ପିସିଏଲ୍

ଭୁବନେଶ୍ବର: ବରମୁଣ୍ଡା ନିକଟସ୍ଥ ହାଇୱେ ସର୍ଭିସିଂ ସେଣ୍ଟର୍‌ ପେଟ୍ରୋଲ୍ ପମ୍ପରେ ତେଲ ଅପମିଶ୍ରଣ ନେଇ ଅଭିଯୋଗ ହେବା ପରେ ଆଜି ଯୋଗାଣ ବିଭାଗ ଓ ଭରତପୁର ପୁଲିସ୍ ପେଟ୍ରୋଲ ପମ୍ପ୍‌ରୁ ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ର ନମୁନା ସଂଗ୍ରହ କରିଛି। ପମ୍ପରେ ଥିବା ୬ଟି ଟାଙ୍କିରୁ ପେଟ୍ରୋଲ୍ ଓ ଡିଜେଲ୍‌ର ପ୍ରାୟ ୨୦ରୁ ଅଧିକ ନମୁନା ସଂଗ୍ରହ କରାଯାଇ ଆଲୁମିନିୟମ୍ ବାକ୍ସରେ ରସୁଲଗଡ଼ସ୍ଥିତ ଲ୍ୟାବ୍‌କୁ ପରୀକ୍ଷଣ ପାଇଁ ନିଆଯାଇଛି। ସେହିଭଳି ଏଚ୍‌ପିସିଏଲ୍ କର୍ତୃପକ୍ଷ ମଧ୍ୟ ଟାଙ୍କିରୁ ନମୁନା ସଂଗ୍ରହ କରି କୋଲ୍‌କାତାସ୍ଥିତ ବଜ୍‌ବଜ୍‌ ସହରରେ ଥିବା କାର୍ଯ୍ୟାଳୟକୁ ପରୀକ୍ଷଣ ପାଇଁ ପଠାଇଛନ୍ତି। ନମୁନା ପରୀକ୍ଷଣ ହୋଇ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏଚ୍‌ପିସିଏଲ୍ ପକ୍ଷରୁ ଏହି ଟାଙ୍କି ବନ୍ଦ ରଖାଯିବ ବୋଲି ଏଚ୍‌ପିସିଏଲ୍‌ର ଏରିଆ ସେଲ୍ସ ମ୍ୟାନେଜର୍ ଶୁଭବ୍ରତ ଖାନ୍ କହିଛନ୍ତି। ଆସନ୍ତା ସୋମବାର ଭିତରେ ବଜ୍‌ବଜ୍‌ରୁ ନମୁନା ରିପୋର୍ଟ ଆସିବା ପରେ ଏବଂ ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ୍‌ରୁ ତଥ୍ୟ ଆସିବା ପରେ ଯାଇ ପେଟ୍ରୋଲ୍ ପମ୍ପ୍ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅପରପକ୍ଷରେ ପୁଲିସ୍ ଓ ଯୋଗାଣ ବିଭାଗ ଅଧିକାରୀ ଲ୍ୟାବ୍ ରିପୋର୍ଟକୁ ଦେଖି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ବରମୁଣ୍ଡାସ୍ଥିତ ଏହି ପେଟ୍ରୋଲ୍ ପମ୍ପ୍‌ରେ ପେଟ୍ରୋଲ୍ ଅପମିଶ୍ରଣ ହୋଇଥିବା ଅଭିଯୋଗ କରି କିଛି ଲୋକ ବୋତଲ୍‌ରେ ପେଟ୍ରୋଲ ଭରିଥିଲେ। ସେଥିରେ ପେଟ୍ରୋଲ୍‌ ଉପରେ ଭାସୁଥିବା ବେଳେ ତଳେ ପାଣି ଭଳି ଦିଶୁଥିବା କିଛି ତରଳ ପଦାର୍ଥ ଦେଖିବାକୁ ମିଳିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ପେଟ୍ରୋଲ୍‌ ପକାଇବା ପରେ ଘଟଣାସ୍ଥଳରେ କିଛି ଲୋକଙ୍କ ଗାଡ଼ି ମଧ୍ୟ ଅଚଳ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଅପମିଶ୍ରଣ ଖବର ପ୍ରଚାର ହେବା ପରେ ଅନେକ ଲୋକ ସେମାନଙ୍କ ଗାଡ଼ିର ଇଂଜିନ୍ ଖରାପ ହୋଇଯାଇଥିବା ଦର୍ଶାଇ କ୍ଷତିପୂରଣ ମଧ୍ୟ ଦାବି କରିଥିଲେ।

ତେବେ ଆଜି ଏଚ୍‌ପିସିଏଲ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦେଇ ଶୁଭବ୍ରତ କହିଛନ୍ତି, ଗତକାଲି ଲୋକେ ଯାହାକୁ ପାଣି ବୋଲି କହୁଥିଲେ, ତାହା ବାସ୍ତବରେ ପାଣି ନୁହେଁ, ଇଥାନଲ୍। ଆମ ଗାଡ଼ିରେ ପଡ଼ୁଥିବା ପେଟ୍ରୋଲ୍‌ରୁ ୯୦ ଭାଗ ବିଶୋଧିତ ତୈଳ ଥିବା ବେଳେ ୧୦ ଭାଗ ଇଥାନଲ୍ ରହୁଛି। ୨୦୦୩ ମସିହାରୁ ପରିବେଶ ସୁରକ୍ଷା ପାଇଁ ତଥା ବିଶ୍ବ ତାପମାନ ବଢ଼ୁଥିବାରୁ ଇଥାନଲ୍‌କୁ ତେଲରେ ମିଶ୍ରଣ କରି ପ୍ରଚଳନ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ତେବେ ଆମ ରାଜ୍ୟରେ ଆବଶ୍ୟକ ପରିମାଣର ଇଥାନଲ୍ ଉତ୍ପାଦନ ହେଉ ନ ଥିବାରୁ ଏହି ଗ୍ୟାସୋହଲ୍‌ଯୁକ୍ତ ତେଲ ମିଳିବା ସମ୍ଭବ ହେଉନଥିଲା। ଗତ ଜାନୁଆରିରୁ ଆମ ରାଜ୍ୟର ସମସ୍ତ ଟାଙ୍କିରେ ବର୍ତ୍ତମାନ ଗ୍ୟାସୋହଲ୍‌ ତେଲ ମିଳୁଛି। ତେଣୁ ବରମୁଣ୍ଡାର ଏହି ପେଟ୍ରୋଲ୍ ପମ୍ପ୍‌ରେ ଅପମିଶ୍ରଣ ହୋଇନି। ସେହିଭଳି ଉତ୍କଳ ପେଟ୍ରୋଲିୟମ୍ ଡିଲରର ସାଧାରଣ ସଂପାଦକ ସଂଜୟ ଲାଠ୍ କହିଛନ୍ତି, ବରମୁଣ୍ଡାସ୍ଥିତ ଏହି ଟାଙ୍କି ଅଟୋମେସନ୍ ଲକ୍ ଥିବାରୁ ଏଥିରେ ଅପମିଶ୍ରଣ ବା ପାଣି ମିଶ୍ରଣ କରିବା ସମ୍ଭବ ନୁହେଁ। ପେଟ୍ରୋଲ୍‌ରେ ପାଣି ମିଶିଲେ ଲୋକଙ୍କୁ ଷ୍ଟେସନ୍‌ରୁ ତେଲ ଦେବା ମଧ୍ୟ ସମ୍ଭବ ନୁହେଁ। କାରଣ ଏହାର ଅଟୋମେସନ୍‌ର ବ୍ୟବସ୍ଥା ଅନୁଯାୟୀ, ପାଣି ମିଶ୍ରିତ ତେଲ ଟ୍ୟାଙ୍କର୍‌କୁ ଆସିଲେ ଏହା ଆପେଆପେ ଲକ୍ ହୋଇଯିବ ବୋଲି କହିଛନ୍ତି। ଏହାସହ ଗାଡ଼ି ଖରାପ ହୋଇଥିବା ଲୋକଙ୍କୁ ସହାୟତା ବ୍ୟବସ୍ଥା ମଧ୍ୟ କରାଯାଉ ବୋଲି ସେ ପେଟ୍ରୋଲ୍ ଟାଙ୍କିକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର