ଡ୍ରେନ୍‌ ପାଇଁ ବଳି ପଡ଼ିଲା ବିଶାଳ କଦମ୍ବ ଗଛ

ପୁରୁଣା ଭୁବନେଶ୍ୱର: ସାମନ୍ତରାପୁର ନିକଟ ଜାତୀୟ ରାଜପଥ କଡ଼ରେ ଚାଲିଥିବା ଡ୍ରେନ୍‌ ନିର୍ମାଣ ପାଇଁ ଏକ ବିଶାଳକାୟ କଦମ୍ବ ଗଛକୁ ଉପାଡ଼ି ଫୋପାଡ଼ି ଦିଆଯାଇଛି। ବିଭାଗୀୟ ଅନୁମତି ବିନା ରାଜଧାନୀରୁ ଏକ ପୁରୁଣା ଗଛକୁ ଉପାଡ଼ି ଦିଆଯାଇଥିବାରୁ ଏହାକୁ ବିଭିନ୍ନ ମହଲରୁ କଡ଼ା ନିନ୍ଦା କରାଯାଇଛି। ଏମିତିକି ପୂର୍ତ୍ତ ବିଭାଗ ଓ ଠିକାସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ସାମନ୍ତରାପୁର ଛକରୁ ଗଙ୍ଗୁଆ ନଈ ଆଡ଼କୁ ୫ ଶହ ମିଟର ଲମ୍ବର ଡ୍ରେନ୍‌ ତିଆରି ଚାଲିଛି। ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ କରୁଛି।

ଗଛକୁ ନଷ୍ଟ ନକରି ଡ୍ରେନ୍‌ ନିର୍ମାଣ କରାଯାଇପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ମାତ୍ର ତାହା ନ କରି ଠିକା ସଂସ୍ଥା ବୁଲ୍‌ଡୋଜର୍‌ ଦ୍ବାରା ଗଛକୁ ଉପାଡ଼ି ଫୋପାଡ଼ି ଦେଇଛି। ଏନେଇ ଏକାମ୍ର ଜନ ଜାଗରଣ ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକ ସମ୍ପୃକ୍ତ ବିଭାଗ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପୂର୍ତ୍ତ ବିଭାଗର ସହାୟକ ଯନ୍ତ୍ରୀ ଜଗବନ୍ଧୁ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ଗଛକୁ ଉପାଡ଼ିବା ପାଇଁ ଅନୁମତି ମିଳିଥିବା ବାବଦରେ ସେ କିଛି ଜାଣି ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର