୩୮ବର୍ଷର ମାତୃତ୍ବକୁ ବୁଝିଲାନି ବଡ଼ଲୋକିଆ ପୁଅ, ମା’କୁ ଟିଭିରେ ଦେଖି ନେବାକୁ ଆସିଲା ଝିଅ

ଆଦି ଭଳି ପୁଅ ସମସ୍ତଙ୍କୁ ମିଳନ୍ତୁ, ବଞ୍ଚିଥିବା ବେଳେ ଆଦରି ନେଲେ, ମୃତ୍ୟୁ ପରେ ମିଶାଇ ଦେଲେ

ଭୁବନେଶ୍ବର: ପୁଅ ୪ ମାସର ହୋଇଥିବା ବେଳେ ହଇଜାରେ ମା’ ଚାଲିଗଲେ। ଜନ୍ମକଲା ମା’ ସିନା ଆର ପାରିକୁ ଚାଲିଗଲା। ହେଲେ ୪ ମାସର ଶିଶୁ ପୁତ୍ରକୁ କୋଳେଇ ନେଇଥିଲେ ଇନ୍ଦୁମତି ଦଳାଇ। ଯାଜପୁର ପାଣିକୋଇଲି ଅଞ୍ଚଳର ସନାତନ ଦଳାଇ ଇନ୍ଦୁମତିଙ୍କୁ ଦ୍ବିତୀୟ ବିବାହ କରିବା ଦିନ ହିଁ ୪ ମାସର ଶିଶୁ ପୁତ୍ରକୁ କୋଳେଇ ନେଲେ। ସମାଜ ଆଖିରେ ସେ ଥିଲେ ସାବତ ମା’। ମାତ୍ର କେବେ ବି ମାତୃତ୍ବରେ ଉଣା କରିନଥିଲେ ଇନ୍ଦୁମତି। ଅଥଚ ଚାକରି କରି ପ୍ରତିଷ୍ଠିତ ହେବା ପରେ ବଡ଼ଲୋକିଆ ପୁଅ ମା’କୁ ଭୁଲିଗଲା। ୩୮ ବର୍ଷ ସ୍ନେହ ଅଳି ଅର୍ଦଳିକୁ ପାସୋରି ଦେଲା। ପୁଅର ଅଣଦେଖା, ସ୍ବାମୀର ମାଡ଼ ସହି ନପାରି ଶେଷରେ ଘର ଛାଡ଼ି ଇନ୍ଦୁମତି ପଳେଇ ଆସିଥିଲେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ଦ୍ବାରା ଗଢ଼ି ଉଠିଥିବା ‘ହାପି ହୋମ୍‌’କୁ। ‌ଧୀରେଧୀରେ ଇନ୍ଦୁମତିଙ୍କ ପୁଅ ପାଲଟି ଯାଇଥିଲେ ଆଦିତ୍ୟ। ଆଉ ଇନ୍ଦୁମତି ପାଲଟି ଯାଇଥିଲେ ‘ହାପି ହୋମ୍‌’ର ସ୍ନେହା ମାଉସୀ। ବଞ୍ଚିଥିବା ବେଳେ ପୁତ୍ର ସ୍ନେହରେ ଆଦିତ୍ୟ ଇନ୍ଦୁମତିଙ୍କୁ ବାନ୍ଧି ଦେଇଥିଲେ, ପୁଣି ମୃତ୍ୟୁ ପରେ ନିଜ ପରିବାର ସହ ମିଶାଇଦେଲେ। ଆଦିତ୍ୟଙ୍କ ମୃତ୍ୟୁ ଖବର ଟିଭିରେ ପ୍ରସାରିତ ହେଉଥିବା ବେଳେ ଆଶ୍ରମର ଏକ ଫୁଟେଜ୍‌ରୁ ଇନ୍ଦୁମତିଙ୍କୁ ଚିହ୍ନିପାରି ଆଶ୍ରମକୁ ଦୌଡ଼ି ଆସିଥିଲେ ତାଙ୍କ ଝିଅ ସ୍ବର୍ଣ୍ଣପ୍ରଭା ଶର୍ମା।

ଇନ୍ଦୁମତି ଦଳାଇ (୬୦)ଙ୍କ କହିବା ମୁତାବକ, ସବୁ ଠିକ୍‌ଠାକ୍ ଚାଲିଥିଲା, ‌ହେଲେ ପୁଅ ବାହା ହେବା ପରେ କେମିତି କେଜାଣି ବଦଳିଗଲା। ଘରେ ୧୦ ବର୍ଷ କାଳ ମାନସିକ ନିର୍ଯାତନା ସହିଲି, କିନ୍ତୁ ଯେବେ ସ୍ବାମୀ ମୋ’ଉପରକୁ ହାତ ଉଠେଇଲେ ସହିପାରିଲିନି। ଝିଅ ମୋ’ ଦୁର୍ଦ୍ଦଶା ଦେଖି ପାତ୍ରପଡ଼ାସ୍ଥିତ ଘରକୁ ନେଇ ଆସିଲା। ୩ ବର୍ଷ ହେଲା ଝିଅ ପାଖେ ରହି ଆସୁଥିଲି। ହେଲେ ଝିଅ ପାଖେ ଏତେଦିନ ରହିବା ଭଲ ଲାଗିଲାନି। ବାଧ୍ୟ ହୋଇ ଦିନେ ଘରୁ ଲୁଚି ପଳେଇ ଆସିଲି। ସିଧା ଯାଇ ଆଦି (ଆଦିତ୍ୟ ଦାଶ)ର ଆଶ୍ରମରେ ପହଞ୍ଚିଲି। ଆଦି ମତେ ପୁଅଟିଏ ଭଳି ଆ‌ଦରି ନେଇଥିଲା। ଏଠି ରହିବା ଭିତରେ କେବେ ବି କୌଣସି ଜିନିଷରେ ତାଙ୍କର ଅବହେଳା ହୋଇନଥିଲା। ଏଣେ ମା’ ହଠାତ୍‌ କୁଆଡ଼େ ଚାଲିଯିବା ପରେ ଝିଅ ସ୍ବର୍ଣ୍ଣପ୍ରଭା ତାଙ୍କୁ ଖୋଜାଖୋଜି କରିଥିଲେ। ପୁରୀଠୁ ନେଇ ଭୁବନେଶ୍ବରର ବିଭିନ୍ନ ଆଶ୍ରୟସ୍ଥଳୀ ଖୋଜି ବୁଲିଥିଲେ ହେଁ ପାଇନଥିଲେ। ଶେଷରେ ଆଦିତ୍ୟଙ୍କ ମୃତ୍ୟୁ ପରେ ମା’ଙ୍କୁ ଟିଭିରେ ଦେଖି ଆଶ୍ରମରେ ପହଞ୍ଚିଥିଲେ ସ୍ବର୍ଣ୍ଣପ୍ରଭା। ମା’ଙ୍କୁ ଦେଖିବା ପରେ ସ୍ବର୍ଣ୍ଣପ୍ରଭା ତାଙ୍କୁ କୁଣ୍ଢାଇ ପକାଇ ଖୁବ୍‌ କାନ୍ଦିଥିଲେ। ଶେଷରେ ସେ ତାଙ୍କୁ ପାତ୍ରପଡ଼ାସ୍ଥିତ ଘରକୁ ଫେରାଇ ଆଣିଛନ୍ତି। ଆଦିତ୍ୟଙ୍କ ପ୍ରତି ନିଜ ମା’ଙ୍କ ମନରେ ଭଲ ପାଇବା ଦେଖି ଆରପାରିରେ ଥିବା ଆଦିତ୍ୟଙ୍କୁ ସ୍ବର୍ଣ୍ଣପ୍ରଭା କୃତଜ୍ଞତା ଜଣାଇଛନ୍ତି।

ସ୍ବର୍ଣ୍ଣପ୍ରଭାଙ୍କ କହିଛନ୍ତି, ମତେ ସମ୍ପତ୍ତିର ଅଧିକାର ଦରକାର ନାହିଁ। କିନ୍ତୁ ମୋ’ ମା’ଙ୍କୁ ବାପା ସ୍ତ୍ରୀ’ର ମର୍ଯ୍ୟାଦା ଦେଇ ଆପଣାଇ ନିଅନ୍ତୁ। ମା’ଙ୍କ ପ୍ରତି ହୋଇଥିବା ଅନ୍ୟାୟର ବିଚାର କରାଯାଉ। ଭାଇ ଯଦି ମହାରାଷ୍ଟ୍ର ଭଳି ସଂଭ୍ରାନ୍ତ ଜାଗାରେ ଏକ ବିଶ୍ବବିଦ୍ୟାଳୟରେ ବଡ଼ ପଦବିରେ ଥାଇ ମା’ଙ୍କ ଅବଦାନକୁ ଭୁଲି ଯାଇପାରିଲା ସେଥିରେ କିଏ ବା ଆଉ କ’ଣ କରିବ। ତଥାପି ସମୟ ଟଳି ଯାଇନାହିଁ। ପରିବାରକୁ ପୁଣି ଏକତା ସୂତ୍ରରେ ବାନ୍ଧି ଦେବା ପାଇଁ ସ୍ବର୍ଣ୍ଣପ୍ରଭା ତାଙ୍କ ଭାଇଙ୍କୁ ନିବେଦନ କରିଛନ୍ତି। ଏଣେ କଥା ଶେଷରେ ଇନ୍ଦୁମତି କୋହଭରା କଣ୍ଠରେ କହିଛନ୍ତି, ଆଦି ଭଳି ପୁଅ ସମସ୍ତଙ୍କୁ ମିଳନ୍ତୁ।

ସମ୍ବନ୍ଧିତ ଖବର