ଫେସ୍‌ବୁକ୍‌ ଲାଇଭ୍‌ରେ କାନ୍ଦି କାନ୍ଦି ଅଭିଯୋଗ କଲେ ଝିଅ: ୩ ଦିନ ହେଲା ବାପାଙ୍କ ମୃତ୍ୟୁକୁ ଲୁଚାଇଥିଲେ

ରୋଗୀ ମୃତ୍ୟୁ ନେଇ ଘରୋଇ ହସ୍ପିଟାଲରେ ଉତ୍ତେଜନା, ଅଭିଯୋଗକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅସ୍ବୀକାର

ଭୁବନେଶ୍ବର: ରୋଗୀ ମୃତ୍ୟୁ ନେଇ ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ବିବାଦ ଥମି ନାହିଁ। ତିନି ଦିନ ହେଲା ତାଙ୍କ ବାପାଙ୍କ ମୃତ୍ୟୁ ପରେ ବି ତାଙ୍କୁ ଚିକିତ୍ସା ଆଳରେ ହସ୍ପିଟାଲ କର୍ତ୍ତୃପକ୍ଷ ଅର୍ଥ ଆଦାୟ କରୁଥିବାର ସଂଗିନ ଅଭିଯୋଗ ଆଣିଛନ୍ତି ଝିଅ ଅର୍ପିତା ମହାକୁଡ଼। ଏ ନେଇ ସେ ଫେସ୍‌ବୁକ୍‌ରେ ଲାଇଭ୍‌ରେ କାନ୍ଦି କାନ୍ଦି କହିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ଅଭିଯୋଗରେ ଦର୍ଶାଯାଇଛି ଯେ ବାଲିଆପଟା ବସ୍ତିର ସଞ୍ଜୀବ ମହାକୁଡ଼(୫୩)ଙ୍କୁ ଅସୁସ୍ଥତା କାରଣରୁ ଗତ ୧୦ ତାରିଖରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତିନିଦିନ ହେବ ଚିକିତ୍ସା କରାଯାଉଥିଲେ ବି ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ କ‌ୌଣସି ଉନ୍ନତି ନଘଟିବାରୁ ପରିବାର ଲୋକ ସନ୍ଦେହ କରିଥିଲେ। ତାଙ୍କ ଆଖିରେ ପଟି ବନ୍ଧାଯାଇଥିବାରୁ ସନ୍ଦେହ ବଢ଼ିଥିଲା। ଆଜି ଆଖିରୁ ପଟି ହଟାଇବା ପରେ ଆଖିଦ୍ବୟ ଯେଭଳି ଅବସ୍ଥାରେ ଥିଲା ତାହା ଆଜିର ମୃତ୍ୟୁ ନୁହେଁ; ବରଂ ୩ଦିନ ହେବ ତାଙ୍କ ମୃତ୍ୟୁ ଘଟିଥିଲେ ବି ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଲୁଚାଇ ରଖିଥିଲେ ବୋଲି ଅଭିଯୋଗ କରିଥିଲେ ପରିବାର ଲୋକ। କାହିଁକି ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଘଟଣା ଲୁଚାଇଥିଲେ ବୋଲି ପ୍ରଶ୍ନ କରିବା ସହ ନ୍ୟାୟ ମାଗିଥିଲେ।
ଅନ୍ୟପଟେ ପରିବାର ଲୋକଙ୍କ ଅଭିଯୋଗକୁ ଅସ୍ବୀକାର କରି ହସ୍ପିଟାଲ୍‌ କର୍ତ୍ତୃପକ୍ଷ କହିଛନ୍ତି‌ ଯେ ସଞ୍ଜୀବଙ୍କର ଏକାଧିକ ଅଙ୍ଗ ଅଚଳ ହୋଇ ଯାଇଥିଲା। ଆଉ ତାଙ୍କୁ ଅନ୍ୟଏକ ଘରୋଇ ହସ୍ପିଟାଲ୍‌ରୁ ଭେଣ୍ଟିଲେଟର୍‌ ସପୋର୍ଟରେ ଏଠାକୁ ଅଣାଯାଇଥିଲା। ତାଙ୍କର ଅବସ୍ଥା ସଂକଟାପନ୍ନ ଥିବା ପରିବାର ଲୋକ ଜାଣିଥିଲେ। ଆମେ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇଥିଲୁ। ହେଲେ ଆଜି ଦିନ ୧୧ଟା ୪ ମିନିଟରେ ତାଙ୍କର ମୃତ୍ୟୁ ଘଟିଥିଲା। କୌଣସି ପ୍ରକାର ଅବହେଳା କିମ୍ବା ମୃତ୍ୟୁ ଖବର ଲୁଚାଯାଇ ନାହିଁ। କୋଭିଡ୍‌ ଆକ୍ରାନ୍ତ କାରଣରୁ ନିୟମ ଦୃଷ୍ଟିରୁ ମୃତଦେହକୁ ବିଏମ୍‌ସିକୁ ହସ୍ତାନ୍ତର କରାଯାଇଥାଆନ୍ତା। ହେଲେ ପରିବାର ଲୋକ ଦସ୍ତଖତ ‌ନ ଦେବାରୁ ଏଥିରେ ବିଳମ୍ବ ହୋଇଛି।

ସମ୍ବନ୍ଧିତ ଖବର