ଭୁବନେଶ୍ବର: ଜଣେ ଛାତ୍ରଙ୍କୁ ଚଞ୍ଚକତା କରି ଜଣେ ଯୁବତୀ ବିବାହ କରିଥିବା ଅଭିଯୋଗ ହୋଇଛି। ଭୁବନେଶ୍ବର ସବରେଜିଷ୍ଟ୍ରାର ଅଫିସରେ ପହଞ୍ଚି ଯୁବକଜଣଙ୍କ ତାଙ୍କ ବିବାହ ହୋଇଥିବା ଜାଣିବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏ ନେଇ ସେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ଯୁବତୀଙ୍କ ଘର ବାଲେଶ୍ବରରେ। ଯୁବକଙ୍କ ଘର ପୁରୀରେ। ଯୁବକ ବେଙ୍ଗାଲୁରୁରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଏମବିଏ ପଢ଼ନ୍ତି। ଗତବର୍ଷ ଲକଡାଉନ୍ ସମୟରେ ଘରକୁ ଚାଲି ଆସିଥିଲେ। ସେ ଭଲ ଗୀତ ଗାଉଥିବାରୁ ୟୁଟ୍ୟୁବ୍ ଚ୍ୟାନେଲ ତିଆରି କରି ସେଥିରେ ଅପଲୋଡ୍ କରନ୍ତି। ପୁରୀରେ ରହୁଥିବା ଯୁବତୀ ଗୀତ ଦେଖିବା ପରେ ଫେସବୁକରେ ମେସେଜ୍ କରି ପ୍ରଶଂସା କରିଥିଲେ। ଏହାସହ ତାଙ୍କର ଷ୍ଟୁଡିଓ ଥିବାରୁ ଗୀତ ପ୍ରମୋଟ କରିବେ ବୋଲି କହିଥିଲେ। ଏଭଳି ସୁଯୋଗ ଦେଖି ଯୁବକ ରାଜି ହୋଇଯାଇଥିଲେ। ଗତବର୍ଷ ନଭେମ୍ବରରେ ଷ୍ଟୁଡିଓକୁ ଯାଇ ଗୀତ ବୋଲିଥିଲେ। ଗୀତ ପ୍ରମୋଟ୍ କରିବା ପାଇଁ ଏକ ଏଗ୍ରିମେଣ୍ଟ କରିବାକୁ ପଡ଼ିବ ବୋଲି ଯୁବତୀ କହିଥିଲେ।
ଗତ ମାର୍ଚ୍ଚ ୯ ତାରିଖରେ କିଛି ଏଗ୍ରିମେଣ୍ଟ କାଗଜରେ ଯୁବକଙ୍କ ଦସ୍ତଖତ ନେଇଥିଲେ। ଭୁବନେଶ୍ବର ସବରେଜିଷ୍ଟ୍ରାର ଅଫିସ ନିକଟରେ ଦସ୍ତଖତ ନିଆଯାଇଥିଲା। ଏହାର କିଛି ଦିନ ପରେ ଯୁବତୀଜଣକ ତାଙ୍କୁ ଘରକୁ ନେବାକୁ ଯୁବକଙ୍କୁ କହିଥିଲେ। ଯୁବକ ଆଶ୍ଚର୍ଯ୍ୟ ପ୍ରକାଶ କରିବାରୁ ଯୁବତୀ ତାଙ୍କୁ ବିବାହ କରିଥିବା କହିଥିଲେ। ସବରେଜିଷ୍ଟ୍ରାର ଅଫିସକୁ ଯାଇ କାଗଜପତ୍ର ଯାଞ୍ଚ ପରେ ବିବାହ କଥା ଜାଣିବାକୁ ପାଇଥିଲେ।
ଅନ୍ୟପକ୍ଷରେ ପୁଲିସ କହିଛି, ପୂର୍ବରୁ ଯୁବତୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ମଧ୍ୟ ସଂପୃକ୍ତ ଯୁବକଙ୍କ ବିରୋଧରେ ରୁଜୁ ହୋଇଛି। ଯୁବକ ଦ୍ବିତୀୟ ବିବାହ କରିବାକୁ ଯାଉଥିବା ମଧ୍ୟ ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ମାମଲାର ତଦନ୍ତ ଜାରି ରହିଛି। ଦୁଇଜଣ ପରସ୍ପର ବିରୋଧରେ ଅଭିଯୋଗ ଆଣିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/marriage.jpg)