ଯୁବତୀଙ୍କୁ ଏସ୍‌ଆଇଙ୍କ ଦୁଷ୍କର୍ମ ଘଟଣା, ଅଭିଯୋଗକାରିଣୀଙ୍କୁ ଛୁରାମାଡ଼

‌କମିସନରେଟ୍‌ ପୁଲିସକୁ ମାଗିଥିଲେ ସୁରକ୍ଷା

ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ଜଣେ ଯୁବତୀଙ୍କୁ କ୍ୟାପିଟାଲ ଥାନାର ତତ୍କାଳୀନ ଏସ୍‌ଆଇ ରାକେଶ ସାମଲ ଦୁଷ୍କର୍ମ କରିବା ଘଟଣା ଏବେ ନୂଆ ମୋଡ଼ ନେଇଛି। କିଛି ଦିନ ତଳେ ଏହି ଘଟଣାରେ ରାକେଶଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ୍‌ ମିଳିବା ପରେ ପୀଡ଼ିତାଜଣଙ୍କ କମିସନରେଟ୍‌ ପୁଲିସକୁ ସୁରକ୍ଷା ମାଗିଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ସେ ପୁଲିସ ସହାୟତା ଲୋଡ଼ିଥିଲେ। କିନ୍ତୁ ଏହାର ମାତ୍ର ୪ ଦିନ ପରେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଗତ ରବିବାର ରାତିରେ ଚନ୍ଦ୍ରଶେଖରପୁର ଥାନାଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଯୁବତୀଜଣଙ୍କ ଚାଲି ଚାଲି ଯାଉଥିବା ବେଳେ ଦୁଇଜଣ ମୁଖାପିନ୍ଧା ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ଛୁରାମାଡ଼ କରିଛନ୍ତି। ଲହୁଲୁହାଣ ହୋଇ ପୀଡ଼ିତା ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏହି ଘଟଣାକୁ ୭୨ଘଣ୍ଟା ବିତିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ଟେର୍‌ ପାଇ ପାରିନାହିଁ।

ସୂଚନା ମୁତାବକ, ରାକେଶ ସାମଲଙ୍କ ନାମରେ ଅଭିଯୋଗ ଆସିବା ପୂର୍ବରୁ ସେ ଫେରାର ହୋଇ ଯାଇଥିଲେ। ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ରାକେଶଙ୍କୁ ଖୋଜିବା ଆରମ୍ଭ କରିଥିଲା। ରାଉରକେଲାରେ ତାଙ୍କୁ ଠାବ କରାଯାଇଥିଲା। ହେଲେ ସେତେବେଳକୁ ରାକେଶ ହାଇକୋର୍ଟରୁ ସୁରକ୍ଷା ପାଇ ସାରିଥିଲେ। ଫଳରେ ପୁଲିସ ଖାଲି ହାତରେ ଫେରିଥିଲା। ପୁଲିସ ଜାଣି ଜାଣି ଅଭିଯୁକ୍ତ ଅଧିକାରୀଙ୍କୁ ସୁରକ୍ଷା ଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା। ପୂର୍ବରୁ ଅଭିଯୁକ୍ତ ଅଧିକାରୀ ପୀଡ଼ିତାଙ୍କୁ ବନ୍ଧୁକ ମୁନରେ ଧମକ ଦେଇ ଗର୍ଭନଷ୍ଟ କରିଥିବା ଅଭିଯୋଗ ରହିଥିଲା। ଏଣୁ ପୀଡ଼ିତା ନିଜ ପ୍ରତି ବିପଦ ଥିବା ଆଶଙ୍କା କରିଥିଲେ। ଏ ନେଇ ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ କୌଣସି ପଦକ୍ଷେପ ନିଆଯାଇନଥିଲା ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି। ଗତ ରବିବାର ରାତି ୯ଟା ବେଳେ ସେ କାନନବିହାର ଅଞ୍ଚଳରେ ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଦୁଇଜଣ ଆକ୍ରମଣ କରିଥି‌ଲେ। ଥାନାରୁ ମାମଲା ଉଠାଇବା ପାଇଁ ଏହି ମୁଖାପିନ୍ଧା ଦୁର୍ବୃତ ଯୁବତୀଙ୍କୁ ଧମକ ଦେବା ସହ ଭୁଜାଲିରେ ଆକ୍ରମଣ କରି ହତ୍ୟା ଧମକ ଦେଇଥିଲେ। ଆକ୍ରମଣରେ ତାଙ୍କ ହାତ ପାପୁଲି ଓ କାନ୍ଧରେ ଗୁରୁତର ଆଘାତ ଲାଗିଥିଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରୁ ରାସ୍ତା ଉପରେ ପଡ଼ିଥିବା ରକ୍ତ ନମୁନା ପରୀକ୍ଷା କରିଛି। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରିଛି। ଅନ୍ୟପଟେ ଯୁବତୀଙ୍କୁ କିଛି ଦିନ ହେଲା ବାଇକ୍‌ରେ କେତେକ ଅନୁସରଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ବରଞ୍ଜନ ନାୟକ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି।

ସମ୍ବନ୍ଧିତ ଖବର