ଡମପଡ଼ା: ସମାଜର ସମୂହ ହିତ ସାଧନ ସାହିତ୍ୟର ଲକ୍ଷ୍ୟ। ସାହିତ୍ୟ ଓ ରାଜନୀତିର ଲକ୍ଷ୍ୟ ସମାନ। ସାମାଜର ବିଧି ବ୍ୟବସ୍ଥାରେ ଅସଂଗତି ଦେଖାଦେଲେ ସାହିତ୍ୟିକମାନେ ସ୍ବର ଉତ୍ତୋଳନ କରିବା ଉଚିତ୍‌ ବୋଲି କହିଛନ୍ତି ‘ସମ୍ବାଦର ସମ୍ପାଦକ, ‘ସମ୍ବାଦ ସାହିତ୍ୟଘରର ପ୍ରତିଷ୍ଠାତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ଡମପଡ଼ା ‘ସମ୍ବାଦ ସାହିତ୍ୟଘର ପ୍ରଥମ ବାର୍ଷିକ ଉତ୍ସବରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପ୍ରଶ୍ନ ପଚାରିବାର ସାମର୍ଥ୍ୟ ସାହିତ୍ୟିକର ରହିବା ନିହାତି ଜରୁରୀ।

Advertisment

ବିଗତ ଦିନରେ ପଣ୍ଡିତ ଦିନ୍‌କର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଯେପରି ପ୍ରଶ୍ନ ପଚାରି ସଚେତନ କରାଇପାରିଥିଲେ; ଆଜିକା ଦିନରେ ଆମ ସାହିତ୍ୟିକମାନେ ସେହି ଶକ୍ତି ଓ ପ୍ରତିବଦ୍ଧତା ଦେଖାଉଛନ୍ତି କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଏହି ଉତ୍ସବକୁ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତରଂଜନ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। ଉତ୍ସବରେ ଡକ୍ଟର ପ୍ରତିଭା ମହାରଥୀ ମୁଖ୍ୟବକ୍ତା, ‘ସମ୍ବାଦ ସାହିତ୍ୟଘର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା, ଡମପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣବକିଶୋର ପଟେଲ, ବିଡିଓ ଶ୍ୟାମଳ କୁମାର ରାୟ, ଶିକ୍ଷାବିତ୍‌ କାହ୍ନୁଚରଣ ସାହୁ, ବରିଷ୍ଠ କବି କୌଶିକ୍‌ ନାୟକ, ସାହିତ୍ୟଘର ସମ୍ପାଦକ କୁମାର ଅମିୟ(ବୁଲୁବାବା) ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ରାଜ୍ୟ ସଂଯୋଜିକା ଡ. ଲେଙ୍କା କହିଥିଲେ ଯେ ବୃହତ୍ତର ପରିବାରରେ ପରିଣତ ହୋଇଥିବା ‘ସାହିତ୍ୟଘର ଆମ ଓଡ଼ିଆ ଚାଲିଚଳଣି, ରୀତିନୀତି, ଖାଦ୍ୟପେୟ, ପୋଷାକ ପରିଚ୍ଛେଦ, ଭାଷା, ସାହିତ୍ୟ, ପରିବେଶ ଏହି ସମସ୍ତକୁ ସାଙ୍ଗରେ ନେଇ ଯାତ୍ରା କରୁଛି। କେବଳ ସାହିତ୍ୟ ନୁହେଁ ସମସ୍ତଙ୍କୁ ଭଲ ପାଇ ନୂଆ ଓଡ଼ିଶା ଗଠନ ଦିଗରେ ପ୍ରତି ବ୍ଲକ୍‌ ଓ ପ୍ରତି ଜିଲ୍ଲାରୁ ସାହିତ୍ୟିକମାନେ ଆଗେଇ ଆସି ଆମ ସାହିତ୍ୟଘର ଛାତକୁ ଆହୁରି ମଜଭୁତ୍‌ କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଡକ୍ଟର ପ୍ରତିଭା ମହାରଥୀ ମା‌ ମାଟିକୁ ଭଲ ପାଇବା ଓ ମାତୃଭାଷାକୁ ସମୃଦ୍ଧ କରିବା ପାଇଁ ବାର୍ତ୍ତା ଦେଇଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କବି ଓ କବୟିତ୍ରୀମାନେ ସ୍ବରଚିତ କବିତା ପାଠ କରିଥିଲେ। ଏହି ଅବସରରେ ସାହିତ୍ୟଘର ମୁଖପତ୍ର ‘ମାତୃଭୂମିର ଉନ୍ମୋଚନ କରାଯାଇଥିଲା।

ସେହିପରି କୁନି କଳାକାରମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। କୁନି ଯୋଗଗୁରୁ ଏସ୍‌.ପି. ବଦ୍ରିନାଥ ଯୋଗ ପ୍ରଦର୍ଶନ କରି ଅତିଥିମାନଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲେ। ସୁଧାକର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଉତ୍କଳ ସାରଥି, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କୁ ସାରସ୍ୱତଜ୍ୟୋତି, ମୁଖ୍ୟବକ୍ତା ଡକ୍ଟର ପ୍ରତିଭା ମହାରଥୀଙ୍କୁ ସାହିତ୍ୟ ମହାରଥୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ସାହିତ୍ୟଘର ରାଜ୍ୟ ସଂଯୋଜିକା ଡକ୍ଟର ଲେଙ୍କା, ବିଡିଓ ଶ୍ରୀ ରାୟ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପଟେଲଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବହୁ ବ୍ୟକ୍ତିଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ସମ୍ପାଦକ କୁମାର ଅମିୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ମୁଖ୍ୟ ସଂଯୋଜକ ଅକ୍ଷୟ କୁମାର ସାମଲ, ବଂଶୀଧର ମହାପାତ୍ର, ଶକୁନ୍ତଳା ମଲିକଙ୍କ ନିର୍ଦ୍ଦେଶନାରେ ଆବାହନୀ ସଂଗୀତ ପରିବେଷଣ କରାଯାଇଥିଲା ସାହିତ୍ୟଘର ଆବାହକ ଶୁଭେନ୍ଦୁ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।