ଶ୍ରୀଲିଙ୍ଗରାଜଙ୍କ ସିଂହାସନ ଉପରେ ପାଚେରି, ତଦନ୍ତ ନିର୍ଦ୍ଦେଶକୁ ୫ବର୍ଷ ପୂରିଲା, କାର୍ଯ୍ୟାନୁଷ୍ଠାନ ନାହିଁ

ରାସ୍ତା କଡ଼ରେ ବିରାଜମାନ କରୁଛନ୍ତି ଠାକୁର

ପୁରୁଣା ଭୁବନେଶ୍ୱର: ଶ୍ରୀପଞ୍ଚମୀ ତିଥିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ କାଠ ଚିରା ଅନୁକୂଳ ହୁଏ। ଏହି ନୀତି ସଂପନ୍ନ ବେଳେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଯେଉଁ ସିଂହାସନ ଉପରେ ବିରାଜମାନ କରନ୍ତି ତାହା ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ସିଂହାସନକୁ ମିଶାଇ ପାଚେରି ନିର୍ମାଣ ହୋଇଥିବା ବେଳେ ଯେଉଁ ଆମ୍ବଗଛରେ କୁରାଢ଼ି ଲଗାଇ କାଠଚିରାର ଶୁଭାରମ୍ଭ ହୁଏ ସେହି ଗଛ ମଧ୍ୟ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଏ ନେଇ ସେବାୟତ ଓ ଶ୍ରଦ୍ଧାଳୁମାନେ ଅଭିଯୋଗ କରିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦେଶ ହୋଇଛି। ଏହି ନିର୍ଦେଶକୁ ଇତିମଧ୍ୟରେ ୫ ବର୍ଷ ପୂରିବାକୁ ବସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଫଳରେ ଦୀର୍ଘ ବର୍ଷ ହେଲା ଶ୍ରୀପଞ୍ଚମୀରେ ମହାପ୍ରଭୁ ଯେପରି ରାସ୍ତା ପାର୍ଶ୍ବରେ ବିରାଜମାନ କରି ପୂଜା ପାଉଥିଲେ ଏଥର ମଧ୍ୟ ସେପରି ହେବ ବୋଲି ଆଲୋଚନା ହେଉଛି।

ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୮ ଜାନୁଆରି ୧୭ରେ ଠାକୁରଙ୍କ ସିଂହାସନ ଜବରଦଖଲରେ ଥିବା ନେଇ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତିଙ୍କ ପାଖରେ ଅଭିଯୋଗ ହୋଇଥିଲା। ଠାକୁର ଯେଉଁ ସିଂହାସନ ଉପରେ ବିରାଜମାନ କରନ୍ତି ଉକ୍ତ ସିଂହାସନ ଉପରେ ପାଚେରି ତିଆରି ହୋଇଛି। ଏପରିକି ଯେଉଁ ଗଛରେ କୁରାଢ଼ି ଲଗାଇ ଶୁଭ ଅନୁକୂଳ କରାଯାଏ ତାହା ମଧ୍ୟ ଜଣେ ବ୍ୟକ୍ତିଙ୍କ ପାଚେରି ପରିସରରେ ରହିଛି। ଏପରି ଅଭିଯୋଗ ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଅମିନ ଓ ରାଜସ୍ବ ନିରୀକ୍ଷକଙ୍କୁ ପଠାଯାଇ ତଦନ୍ତ କରାଯାଇଥିଲା। ମାତ୍ର ଏହାପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ତାହା ଲୋକଲୋଚନକୁ ଆସି ପାରି ନଥିଲା। ଆଉ ଦିନକ ପରେ ଗୁରୁବାର ଶ୍ରୀପଞ୍ଚମୀ ତିଥିରେ ସେଠାରେ ସେବାୟତମାନଙ୍କ ଗହଣରେ କାଠ ଚିରା ଅନୁକୂଳ ହେବ। ପୂର୍ବ ବର୍ଷ ପରି ଠାକୁର ପୁଣି ରାସ୍ତା ପାର୍ଶ୍ବରେ ପୂଜା ପାଇବେ। ଏହା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଘୋର ଆଘାତ ଦେବ। ଠାକୁରଙ୍କ ଅଚଳାଚଳ ସମ୍ପତ୍ତି ଥିବା ବେଳେ ରାସ୍ତା ପାର୍ଶ୍ବରେ ଏପରି ପୂଜାର୍ଚ୍ଚନା କରିବା ଠିକ୍‌ ନୁହେଁ ବୋଲି ସ୍ଥାନୀୟ ବାସିନ୍ଦା ମୃତ୍ୟୁଞ୍ଜୟ ମହାନ୍ତି କହିବା ସହ ପୁଣି ଥରେ ମନ୍ଦିର ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର