ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଥିବା ସୁବର୍ଣ୍ଣ ମୁକୁଟେଶ୍ବର ମନ୍ଦିର ଏକାମ୍ର କ୍ଷେତ୍ରର ଅନ୍ୟତମ ପ୍ରାଚୀନ ଶିବ ମନ୍ଦିର। ଏହାକୁ ଏକାମ୍ରେଶ୍ବର ମନ୍ଦିର ବୋଲି ମଧ୍ୟ କୁହାଯାଏ। ଏକାଦଶ ଶତାବ୍ଦୀର ଏହି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ଉତ୍କଳ କଳା ଓ ସ୍ଥାପତ୍ୟର ଏକ ସୁନ୍ଦର ସ୍ମାରକୀ। କିନ୍ତୁ କାଳକ୍ରମେ ମନ୍ଦିରରେ ପୂଜାର୍ଚ୍ଚନା ବନ୍ଦ ହୋଇଯାଇଛି। ପୂଜାର୍ଚ୍ଚନା ବନ୍ଦ ହେବା ପରଠୁ ଏହି ମନ୍ଦିର ଅଲୋଡ଼ା ହୋଇରହିଯାଇଛି ଏବଂ ଏବେ ଏହା ଭୁଶୁଡ଼ି ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ଉପରେ ବଡ଼ବଡ଼ ଗଛ ଉଠିଲାଣି। ତେଣୁ ଆଉ ମନ୍ଦିର ପଥରରେ ଫାଟ ହୋଇଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପ‌ାରେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କଲେଣି। ଏକଦା ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଥିଲା। ମାତ୍ର ଯୋଜନା ଅଧାରୁ ଅଟକିଗଲା। ପୁନରୁଦ୍ଧାର କାମ କ’ଣ ପାଇଁ ଅଟକିଲା, ସେନେଇ କେହି ମୁହଁ ଖୋଲିବାକୁ ନାରାଜ। ଏଣେ ମନ୍ଦିର ଭୁଶୁଡ଼ିବା ଅବସ୍ଥାକୁ ଆସିଲାଣି ସିନା କାହାର ନଜର ପଡ଼ୁନି।  

Advertisment

ଐତିହ୍ୟ ସୁରକ୍ଷା ପାଇଁ ସରକାର ବହୁ ଯୋଜନା କରୁଛନ୍ତି। ମାତ୍ର ଏହି ମନ୍ଦିର ବହୁ ଦିନ ଧରି ନଜର ଆଢ଼ୁଆଳରେ ରହିଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ବାରଠାରୁ ଦକ୍ଷିଣ-ପୂର୍ବ କୋଣରେ ମାତ୍ର ୪୦ ଫୁଟ୍ ଦୂରରେ ରହିଛି ଏହି ସ୍ଥାପତ୍ୟ ସ୍ମାରକୀ।  ବହୁ କାଳ ଧରି ଏଠାରେ ପୂଜାର୍ଚ୍ଚନା ବନ୍ଦ ହୋଇଯିବାରୁ ମନ୍ଦିରର ବହୁ ଅଂଶ ପୋତିହୋଇ ରହିଥିଲା। ମନ୍ଦିରଟି ଭୁଶୁଡ଼ି ପଡ଼ିବା ଆଶଙ୍କା ଦେଖାଦେବାରୁ ୨୦୧୨ ମସିହା ଡିସେମ୍ବର ୩ରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ବୈଷୟିକ ବିଶେଷଜ୍ଞ ଦଳ ଏଠାକୁ ଆସି ଯାଞ୍ଚ କରିଥିଲେ। ପ୍ରଫେସର ଜି ସି ମିତ୍ରଙ୍କ ନେତୃତ୍ବରେ ଏକ ଟିମ୍ ଏହି ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଥିଲେ। ସେତେବେଳେ ମନ୍ଦିରର ତଳ ଭାଗରୁ ପ୍ରାୟ ୧୫ରୁ ୨୦ ଫୁଟ୍ ମାଟି ତଳେ ପୋତି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଏହାପରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ମନ୍ଦିର ଚତୁଃପାର୍ଶ୍ୱରୁ ମାଟି ବାହାର କରାଯାଇଥିଲା। ପଶ୍ଚିମ-ଦକ୍ଷିଣ ପାର୍ଶ୍ୱରେ ପ୍ରାୟ ୧୨ ଫୁଟ୍ ଖନନ କରାଯିବା ପରେ ଏକ ଭଗ୍ନ ମନ୍ଦିରର ସନ୍ଧାନ ମିଳିଥିଲା। ସେହିପରି ପୂର୍ବ-ଉତ୍ତର କୋଣରେ ମଧ୍ୟ ଏକ ଭଗ୍ନ ମନ୍ଦିର ବାହାରିଥିଲା। ୨୦୧୬ ମସିହା ଅକ୍ଟୋବର ୨୯ରେ ଗୋଟିଏ ତିନିକୋଣିଆ ଶିବ ଲିଙ୍ଗ ବହାରିଥିଲା। ଏହାର କିଛି ଦିନ ପରେ ଅର୍ଥାତ୍ ଡିସେମ୍ବର ୪ରେ ପୁଣି ଦୁଇଟି ଶିବ ଲିଙ୍ଗ ବାହାରିଥିଲା। ପରେପରେ ଡିସେମ୍ବର ୭ରେ ପୁଣି ଗୋଟିଏ ଶିବ ଲିଙ୍ଗ ବାହାରିଥିଲା। ଶିବ ଲିଙ୍ଗଗୁଡ଼ିକୁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ କାର୍ଯ୍ୟାଳୟରେ ରଖାଗଲା ଏବଂ ମନ୍ଦିର ପୁନରୁଦ୍ଧାର ପରେ ଏହାକୁ ମନ୍ଦିରରେ ପୁନଃପ୍ରତିଷ୍ଠା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମନ୍ଦିରଟି ପଞ୍ଚାୟତନ ଶୈଳୀ‌ରେ ନିର୍ମାଣ ହୋଇଥିଲା ବୋଲି ସ୍ପଷ୍ଟ ହୋଇଥିଲା। ଖନନ ପରେ ପୂରା ମନ୍ଦିରକୁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ସୌନ୍ଦର୍ଯ୍ୟୀକରଣ କରିବ ବୋଲି କୁହାଯାଇଥିଲା। ସେହି ଅନୁସାରେ ମନ୍ଦିରର ଭାଙ୍ଗିଯାଇଥିବା କିଛି ପଥର ଖଣ୍ଡକୁ ମଧ୍ୟ ଯୋଡ଼ା ଯାଇଥିଲା। କିନ୍ତୁ ହଠାତ୍ ସେଇଠି ଅଟକି ଯାଇଥିଲା ପୁନରୁଦ୍ଧାର କାର୍ଯ୍ୟ। ମନ୍ଦିର ଅଧା ଖନନ ହୋଇ ରହିଗଲା। ଏବେ ମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ ଦେଖାଗଲାଣି। ମନ୍ଦିର ଉପରେ ୬ଫୁଟିଆ ଗଛ ଉଠିଲାଣି। 

ଏକାମ୍ର ପ୍ରକଳ୍ପ କାମ କରୁଥିବା ଓବିସିସି ମନ୍ଦିର ଚାରିପାର୍ଶ୍ବ ସୌନ୍ଦର୍ଯ୍ୟ କରୁଥିବାରୁ ଏହି ମନ୍ଦିରର ପାଚେରି ତିଆରି କରିଛି। କିନ୍ତୁ ମନ୍ଦିର ପରିସର ଅବହେଳିତ ହୋଇପଡ଼ିଛି। ଭଙ୍ଗା ପଥର ଖଣ୍ଡସବୁ ଏଣେତେଣେ ବିଛାଡ଼ି ହୋଇ ପଡ଼ିଛି। ପୁନରୁଦ୍ଧାର କାମ କ’ଣ ପାଇଁ ଅଟକିଲା, ପୁଣି କେବେ ଆରମ୍ଭ ହେବ, ମାଟିତଳୁ ବାହାରିଥିବା ଶିବଲିଙ୍ଗଗୁଡ଼ିକର ବର୍ତ୍ତମାନର ସ୍ଥିତି କ’ଣ, ସେସବୁକୁ ପୁଣି ପ୍ରତିଷ୍ଠା କରାଯବ କି ନାହିଁ, ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ କୌଣସି ଅଧିକାରୀ କିଛି କହିବାକୁ ନାରାଜ।