ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) କୋଟି କୋଟି ଟଙ୍କାର ସରକାରୀ ଅର୍ଥ ବ୍ୟୟ କରି ଦାମୀ ଗାଡ଼ି କିଣୁଛି। କେତେବେଳେ ଅଳିଆ ଉଠାଇବା ପାଇଁ ତ କେତେବେଳେ ଇ-ଶୌଚାଳୟ ପାଇଁ। କାହାଠାରୁ ୩୦ଲକ୍ଷ ତ କାହାଠାରୁ ୫୦ଲକ୍ଷ ପୁଣି କାହାଠାରୁ ୮୦ ଲକ୍ଷ ଟଙ୍କାରେ କ୍ରୟ କରାଯାଉଛି। କିନ୍ତୁ କିଣିବା ପରେ ବିଏମ୍ସି ଏହାକୁ ଆଡ଼ ଆଖିରେ ଚାହୁନି। ରକ୍ଷଣାବେକ୍ଷଣର ଅଭାବ ଓ ପରିଚାଳନାଗତ ତ୍ରୁଟି କାରଣରୁ ଏହି ଦାମୀ ଗାଡ଼ି ସବୁ ପଡ଼ି ପଡ଼ି ଖତହେଉଛି। ବିଏମ୍ସି କାର୍ଯ୍ୟାଳୟ ପରିସରରେ ଖତ ହେଉଥିବା ଏକ ସହାୟ ରଥ, ୩ ଭ୍ରାମ୍ୟମାଣ ଶୌଚାଳୟ ସହ ଅନ୍ୟ ଗାଡ଼ି ଏହାର ଜ୍ବଳନ୍ତ ଉଦାହରଣ। ବର୍ଷ ବର୍ଷ ଧରି ଅବ୍ୟବହୃତ ଅବସ୍ଥାରେ ପଡ଼ି ରହି ଏହି ଗାଡ଼ି ସବୁ କଳଙ୍କି ଲାଗି ନଷ୍ଟ ହୋଇଗଲାଣି। ଏହା ବିଷଧର ଜନ୍ତୁଜନ୍ତାଙ୍କ ଆଶ୍ରୟସ୍ଥଳୀ ପାଲଟିଛି।
ସହାୟ ରଥ, ଭ୍ରାମ୍ୟମାଣ ଶୌଚାଳୟ ସବୁ ଖତ ହେଲାଣି
ବାଣ୍ଟିବା ପାଇଁ ସଂଗୃହୀତ କପଡ଼ା ବି ନଷ୍ଟ କରିଦେଲେ
ଗରିବଙ୍କ ସହାୟତା ଲକ୍ଷ୍ୟରେ ୨୦୨୧ ମସିହା ଏପ୍ରିଲ ୧ ପବିତ୍ର ଉତ୍କଳ ଦିବସରେ ବିଏମ୍ସି ପକ୍ଷରୁ ‘ସହାୟ ରଥ’ର ଶୁଭାରମ୍ଭ କରାଯାଇଥିଲା। ଏଥିପାଇଁ ନୂଆ ଚକାଚକ ବସ୍(ଓଆର-୦୨ବିଆର-୨୯୭୪) କିଣାଗଲା। ଯୋଜନା ଅନୁଯାୟୀ, ସହରୀ ଲୋକେ ଫିଙ୍ଗି ଦେଉଥିବା ପୋଷାକକୁ ସଂଗ୍ରହ କରି ଏହାକୁ ସଫା କରି ଓ ଆଇରନ୍ ଦେଇ ସହାୟ ରଥ(ବସ୍) ଜରିଆରେ ପ୍ରତି ମୁଖ୍ୟ ଛକ, ବସ୍ତିରେ ଗରିବ, ଅସହାୟ ଲୋକଙ୍କୁ ବିନା ମୂଲ୍ୟରେ ବଣ୍ଟାଯିବ। ମାସିକ ୧୭ହଜାର ୫୦୦ ପୋଷାକ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ ହେଲା। ଏଥିପାଇଁ ‘କାଇଣ୍ଡନେସ୍ ହବ୍’ ନାଁରେ ସ୍ବତନ୍ତ୍ର ଭାବେ ସିଡବ୍ଲୁପିଆଇଏମ୍ସି(ସେଣ୍ଟ୍ରାଲ ୱାସିଂ, ପ୍ୟାକେଜିଂ ଆଣ୍ଡ୍ ଇନ୍ଭେଣ୍ଟ୍ରି ମ୍ୟାନେଜ୍ମେଣ୍ଟ୍ ସେଣ୍ଟର୍) ଖୋଲିଲା। ପୋଷାକ ସଂଗ୍ରହ, ସଫା, ଇସ୍ତ୍ରି ଓ ବାଣ୍ଟିବା ଆଦି ପରିଚାଳନା ବାବଦରେ ୧ଲକ୍ଷ ୬୦ହଜାର ଟଙ୍କା ଖର୍ଚ୍ଚ କରାଗଲା। କ୍ରୟ ବସ୍(ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ)କୁ ଦୋକାନ ଭଳି ଖୋଲି ପ୍ରତିଦିନ ସକାଳ ୯ଟାରୁ ଅପରାହ୍ଣ ୨ଟା ଏବଂ ଅପରାହ୍ଣ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ପୋଷାକ ବଣ୍ଟନ ବ୍ୟବସ୍ଥା ହେଲା। ସପିଂ ମଲ୍, ଆପାର୍ଟମେଣ୍ଟ ଆଦି ସ୍ଥାନରେ ପୁରୁଣା ପୋଷାକ ପକାଇବା ପାଇଁ ଡ୍ରପ୍ ବକ୍ସ ରହିଲା। କିନ୍ତୁ ହଠାତ୍ କୋଭିଡ୍ କଟକଣା ଲାଗିବାରୁ ଏହି ଯୋଜନାକୁ ବନ୍ଦ କରି ଦିଆଗଲା।
କୋଭିଡ୍ କଟକଣା ହଟିବା ପରେ ପୁଣିଥରେ ଏହା ଆରମ୍ଭ ହେବ ବୋଲି ବିଏମ୍ସି ଅଧିକାରୀମାନେ କହିଥିଲେ। ଇତିମଧ୍ୟରେ କୋଭିଡ୍ କଟକଣା ହଟିବା ୩ ବର୍ଷ ବିତିଗଲାଣି, କିନ୍ତୁ ବନ୍ଦ ହୋଇଥିବା ଏହି ମହତ ଯୋଜନା ଆରମ୍ଭ ହୋଇପାରିନି। ଫଳସ୍ବରୂପ ଏହି ବସ୍ ପଡ଼ି ପଡ଼ି ନଷ୍ଟ ହୋଇଗଲାଣି। ଷ୍ଟିୟରିଂ, ସିଟ୍, ଇଂଜିନ୍ ସବୁ ଖତ ହୋଇଗଲାଣି। ସେପଟେ ହକି ବିଶ୍ବକପ ଓ ଅନ୍ୟ ସମୟରେ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ତିନିଟି ଭ୍ରାମ୍ୟମାଣ ଶୌଚାଳୟ(ଓଆର-୦୨ବିୱାଇ-୩୨୨୪, ଓଆର-୦୨ବିଏଚ୍-୯୨୭୧ ଓ ଓଡି-୦୨ସି-୯୭୯୩)ର ବ୍ୟବସ୍ଥା ହୋଇଥିଲା। ବଡ଼ ବଡ଼ ବସ୍ରେ ହୋଇଥିବା ଏହି ଶୌଚାଳୟ ଅତ୍ୟାଧୁନିକ ଓ ସ୍ବୟଂଚାଳିତ ଥିଲା। ବସ୍ଷ୍ଟାଣ୍ଡ୍, ସଭାସମିତି, ପ୍ରଦର୍ଶନୀ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏହାର ବ୍ୟବହାର ହେଉଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଉଭୟ ଶୌଚାଳୟ ଓ ବସ୍ ଭାଙ୍ଗିରୁଜି ଗଲାଣି। ଏହି ତିନି ଭ୍ରାମ୍ୟମାଣ ଶୌଚାଳୟ ପଡ଼ି ପଡ଼ି ଖତ ହୋଇଗଲାଣି। ଶୌଚାଳୟର ଅତ୍ୟାଧୁନିକ ଆସବାବ କେହି ତାଡ଼ି ନେଲେଣି। ବସ୍ର ଡ୍ରାଇଭର ସିଟ୍ ଓ ଅନ୍ୟାନ୍ୟ ସରଞ୍ଜାମ ବି ଚୋରି ହୋଇଗଲାଣି। ମିଳିଥିବା ସୂଚନା ମୁତବାକ, ଖତ ହେଉଥିବା ଏହି ଗାଡ଼ି ସବୁ ଭୁବନେଶ୍ବର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସେସ୍ ଲିମିଟେଡ୍(ବର୍ତ୍ତମାନର କ୍ରୁଟ୍) ନାମରେ କିଣାଯାଇଥିଲା। କିନ୍ତୁ ବ୍ୟବହାର କରୁଥିଲା ଭୁବନେଶ୍ବର ମହାନଗର ନିଗମ। ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି, ଆମେ ପୁରୁଣା ଓ ଅବ୍ୟବହୃତ ଗାଡ଼ିକୁ କବାଡ଼ି ଦରରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛୁ। ସହାୟ ରଥ, ଭ୍ରାମ୍ୟମାଣ ଶୌଚାଳୟ ପୁରୁଣା ହୋଇଗଲାଣି। ଏହି ଗାଡ଼ି ବ୍ୟବହାର ଯୋଗ୍ୟ କି ନୁହେଁ, ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବୁ।