ଜାଗା ସରକାରଙ୍କର, ଡରୁଛନ୍ତି କାହାକୁ? ଜବରଦଖଲକୁ ପ୍ରୋତ୍ସାହିତ କରୁଛନ୍ତି ସରକାରୀ ବାବୁ

ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛତା ଆହ୍ବାନକୁ ଏମିତି ପାଳୁଛନ୍ତି, ମନ୍ଦିର କ୍ୟାମ୍ପସରେ ୟୁଟିଲିଟି କରିଡର, ବାହାରେ ଡ୍ରେନ୍‌

ଚନ୍ଦ୍ରଶେଖରପୁର: ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା। ସାଇ ମନ୍ଦିର ପାଚେରି ସୁରକ୍ଷା ପାଇଁ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ (ବିଡିଏ) ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଏବେ ପଦାକୁ ଆସିଛି। ଉଭୟ ବିଭାଗର ବାବୁମାନେ ମିଳିମିଶି ରାଜଧାନୀ ଛାତି ଉପରେ ସରକାରୀ ଜମି ଜବରଦଖଲକୁ ପ୍ରୋତ୍ସାହିତ କରି ଚାଲିଛନ୍ତି। ଭବିଷ୍ୟତ ସମସ୍ୟା କଥା ଚିନ୍ତା ନ କରି ଏହି ବାବୁମାନେ ଶୈଳଶ୍ରୀବିହାର-ଇନ୍‌ଫୋସିଟି ରାସ୍ତାକୁ ସଙ୍କୁଚିତ କରିବା ସହ ଡ୍ରେନ୍‌ର ଦିଗ ବଦଳାଇ ଦେଇଛନ୍ତି। ଦୁଇ ମାସ ହେଲା ଲଗାତାର ଭାବେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସାଇ ମନ୍ଦିର ସମ୍ମୁଖ ପାଚେରି ଅଧା ଭଙ୍ଗାଯାଇଛି। ତେବେ ମୁଖଶାଳା ସମେତ ବାକି ଅଧା ପାଚେରିରେ ହାତ ମାରି ନାହାନ୍ତି। ବରଂ ଡ୍ରେନ୍ ଦିଗ ବଦଳାଇ କାମ ଆରମ୍ଭ କରିଛନ୍ତି।

ବଡ଼ କଥା ହେଲା ଯେ ସରକାରୀ ଜାଗା ଉପରେ ଏତେ ବଡ଼ ବିଶାଳ ପାଚେରି ଛିଡ଼ା ହୋଇଥିବା ବେଳେ ବାବୁମାନେ କାହାକୁ ଡରି ଏଥିରେ ହାତ ମାରୁନାହାନ୍ତି। କିଏ ସେହି ଅଦୃଶ୍ୟ ଶକ୍ତି? ଯାହାଙ୍କ ଚାପ ଆଗରେ ବାବୁମାନେ ମୁଣ୍ଡ ନୁଆଁଇ ଦେଉଛନ୍ତି? ସବୁ ନିୟମକୁ ଜଳାଞ୍ଜଳି ଦେଇ ରାଜଧାନୀରେ ସରକାରୀ ଜମି ଜବରଦଖଲକୁ ପ୍ରୋତ୍ସାହିତ କରୁଛନ୍ତି। ଯଦି ଏଠାରେ ଅଧ ଏକର ସରକାରୀ ଜମିରୁ ଜବରଦଖଲ ହଟାଇ ପାରୁନାହାନ୍ତି, ତେବେ ବସ୍ତିବାସିନ୍ଦାଙ୍କ ଘର ଭାଙ୍ଗୁଛନ୍ତି କାହିଁକି? ସ୍ବଚ୍ଛତାର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ମଧ୍ୟ ସବୁ ଜାଣି କାହିଁକି ଚୁପ୍ ବସିଛନ୍ତି? ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ନିର୍ଦେଶ ଦେଇଥିବା ବେଳେ ଏଠାରେ ବାବୁମାନେ ଆଉ କାହାକୁ ଡରୁଛନ୍ତି? ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଉ ଏମିତି କିଏ ଅଛି ଯେ ଯାହାକୁ ବାବୁମାନେ ଭୟ କରୁଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ଏନେଇ ଏକାଧିକଥର ବିଡିଏ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇ ସାରିଲେଣି। ତା’ପରେ ବି ବାବୁମାନେ ଜବରଦଖଲକୁ ପ୍ରୋତ୍ସାହିତ କରି ଚାଲିଛନ୍ତି।

ଆଶ୍ଚର୍ଯ୍ୟର କଥା ହେଲା, ଏବେ ବାବୁମାନେ ପାଚେରି ସୁରକ୍ଷା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ନଦୀରୁ ଶାଖା ନଦୀ ବାହାରିବା ଓ ପରେ ମିଶିବା ପରି ଏଠାରେ ମଧ୍ୟ ଡ୍ରେନ୍ ଓ ୟୁଟିଲିଟି କରିଡର୍‌ ମଧ୍ୟ ସମାନ ତରିକା ଆପଣାଇଛନ୍ତି। ଇନ୍‌ଫୋସିଟି ଛକରୁ ସାଇ ମନ୍ଦିର ପାଚେରି ପର୍ଯ୍ୟନ୍ତ ଡ୍ରେନ୍ ଓ ୟୁଟିଲିଟି କରିଡର୍‌ ଏକାଠି ଆସିଥିଲା। ତେବେ ମନ୍ଦିର ନିକଟରେ ଏହା ଦୁଇ ଭାଗ ହୋଇଯାଇଛି। ମନ୍ଦିର କ୍ୟାମ୍ପସ ଭିତରେ ୟୁଟିଲିଟି କରିଡର୍‌କୁ ନିଆଯାଉଛି। ଆଉ ପାଚେରି ବାହାରେ ଡ୍ରେନ୍ ଯାଉଛି। ଆଗକୁ କାଳେ ବିରୋଧ ହେବ, ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଉଛନ୍ତି ପୂର୍ତ୍ତ ବିଭାଗ ଓ ବିଡିଏ ଅଧିକାରୀମାନେ। ଦେଢ଼ ମାସ ହେଲା ଆର୍ ଆଣ୍ଡ ବି ଡିଭିଜନ-୩ର ନିର୍ବାହୀ ଯନ୍ତ୍ରୀ ବିଡିଏ ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କୁ ଚିଠି ଲେଖି ଜବରଦଖଲ ହଟାଇବାକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯାହାର ସୁଯୋଗ ନେଇ ଠିକାଦାର କାମ କରୁଛନ୍ତି। ଯେତେଶୀଘ୍ର କାମ ଶେଷ ହୋଇଯିବ, ସେତେ ଶୀଘ୍ର ଟଙ୍କା ଉଠାଇ ଠିକାଦାର ଛୁ। ଭବିଷ୍ୟତରେ କ’ଣ ସମସ୍ୟା ହେବ, ସେନେଇ କିଛି ଯାଏ ଆସେ ନାହିଁ।

ଅନ୍ୟପକ୍ଷରେ ବିଡିଏର ଜଣେ ଅଧିକାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଆର୍ ଆଣ୍ଡ ବି ଡିଭିଜନ୍‌-୩ର ନିର୍ବାହୀ ଯନ୍ତ୍ରୀ ଚିଠି ଲେଖି ଚୁପ୍ ବସିପଡ଼ୁଛନ୍ତି। ଠିକ୍ ସମୟରେ ଧରାଛୁଆଁ ଦେଉନାହାନ୍ତି। ପ୍ରତି ମାସରେ ହେଉଥିବା ସିଇଏମ୍‌ସି ବୈଠକକୁ ଆସୁନାହାନ୍ତି। କେଉଁଠି ସରକାରୀ ଜବରଦଖଲ ହଟିବା ଜରୁରୀ ଅଛି, କେଉଁଠି ନାହିଁ ସେ ବିଷୟରେ ଜଣାଉନାହାନ୍ତି। ତେଣୁ ଏ ଦିଗରେ ଆମେ ପଦକ୍ଷେପ ନେଇପାରୁନୁ।

ଆର୍ ଆଣ୍ଡ ବି ଡିଭିଜନ-୩ର ଜଣେ ଅଧିକାରୀ କହିଛନ୍ତି ଯେ ଯେତେଶୀଘ୍ର ସମ୍ଭବ କାମ ସରିଗଲେ ଯାଏ। ପାଚେରି ଭାଙ୍ଗିବା। ତାହାକୁ ପୁଣି ଖୋଳିବା। ଡ୍ରେନ୍ ପୁଣିଥରେ ନିର୍ମାଣ ଲାଗି ପ୍ରଚୁର ଅର୍ଥ ଦରକାର। ଆମ ପାଖରେ ସେତିକି ବଜେଟ୍ ନାହିଁ। ତେଣୁ ଏତେ କାମ କରିବା ଅପେକ୍ଷା ଯେ କୌଣସି ପ୍ରକାରେ କାମ ଶେଷ କରିଦେ‌ଲେ ଚିନ୍ତା ଯିବ।

ସମ୍ବନ୍ଧିତ ଖବର