କଟକ: ଦୁଇଶହ ବର୍ଷର ଶିକ୍ଷାନୁଷ୍ଠାନ, ଐତିହ୍ୟ ରେଭେନ୍ସା ବିଶ୍ବବିଦ୍ୟାଳୟ ଜମିରେ ହାଟ ବସିବ। ବିକ୍ରି ହେବ ପରିବା। ଛତ୍ରବଜାର ରାସ୍ତା ସଂପ୍ରସାରଣ ପ‌ାଇଁ ପ୍ରଶାସନ ରେଭେନ୍‌ସା ଅକ୍ତିଆରେ ଥିବା ୪ ଏକର ଜମି ନେଇଯାଇଛି। ସେଠାରେ ଶହେ ବର୍ଷରୁ ଅଧିକ ଦିନ ‌ହେବ ଥିବା ୮ଟି କ୍ବାର୍ଟର୍ସକୁ ଭାଙ୍ଗି ମାଟି‌ରେ ମିଶାଇ ଦିଆଯାଇଛି। ରେଭେନ୍‌ସା ପରିସରକୁ ଲାଗି ଏହି ଜମି ଏବେ ପ୍ରଶାସନ ଦଖଲକୁ ଚାଲିଯାଇଛି। ଜାଗାକୁ ସମତଳ କରାଯାଇ ସେଠାରେ ଖୁବ୍‌ଶୀଘ୍ର ହାଟ ନିର୍ମାଣ ହେବା ପାଇଁ ଭିତ୍ତି ପ୍ରସ୍ତୁତ ହୋଇସାରିଛି। ତେବେ ଏ ନେଇ ରେଭେନସା ସିଣ୍ଡିକେଟ୍‌ରେ ଏ କଥା ପଡ଼ିନି, ବରିଷ୍ଠ ପ୍ରାଧ୍ୟାପକଙ୍କ ସହିତ ଆଲୋଚନା ନକରି ରେଭେନ୍‌ସା କର୍ତ୍ତୃପକ୍ଷ କ୍ବାର୍ଟର୍ସ ଭାଙ୍ଗିବାକୁ ଅନୁମତି ଦେଇ ଦେଇଛନ୍ତି। ରେଭେନ୍ସା କର୍ତ୍ତୃପକ୍ଷ କେଉଁ ପରିସ୍ଥିତିରେ ରେଭେନ୍‌ସା ଜମିକୁ ପ୍ରଶାସନକୁ ଟେକି ଦେଇଛନ୍ତି ତାକୁ ନେଇ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି।

Advertisment

ଗୋଟିଏପଟେ ରେଭେନ୍ସା ମହାବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ପରେ ଏହାର କଳେବର ବୃଦ୍ଧି ପାଇନାହିଁ। ‌ବିଶ୍ବବିଦ୍ୟାଳୟ ୪୦୦ ଅଧ୍ୟାପକ, ପ୍ରାଧ୍ୟାପକ ଓ କର୍ମଚାରୀଙ୍କ ରହିବା ପାଇଁ କ୍ବାର୍ଟର୍ସ ଅଭାବ ରହିଛି। ଆବଶ୍ୟକ ଛାତ୍ର/ଛାତ୍ରୀ ନିବାସ ନାହିଁ। କୁଳପତି, ରେଜିଷ୍ଟ୍ରାରଙ୍କ ରହିବା ପାଇଁ ପରିସର ଭିତରେ ଭଲ କ୍ବାର୍ଟର୍ସଟିଏ ନ‌ାହିଁ।

ଏଭଳି ସ୍ଥିତିରେ ରେଭେନ୍ସା କର୍ତ୍ତୃପକ୍ଷ କାହା ଚାପରେ ରେଭେନ୍‌ସାକୁ ଲାଗି ରହିଥିବା ମୂଲ୍ୟବାନ ୪ ଏକର ଜମିକୁ ପ୍ରଶାସନକୁ ପରିବା ହାଟ ଖୋଲିବାକୁ ଟେକିଦେଲେ ଓ କ୍ବାର୍ଟର୍ସ ଭାଙ୍ଗିବାକୁ ଅନୁମତି ଦେ‌ଲେ , ତାକୁ ନେଇ ରେଭେନ୍‌ସା ପୁରାତନ ଛାତ୍ର, କର୍ମଚାରୀ ପ୍ରଶ୍ନ ଉଠାଇଛନ୍ତି। ଏ ସଂପର୍କରେ ରେଭେନ୍‌ସା ବିଶ୍ବବିଦ୍ୟାଳୟର କୁଳସଚିବ ଭକ୍ତଚରଣ ପ୍ରଧାନଙ୍କୁ ପଚାରିବାରେ, ଏହି ଜମିଟି ବ୍ୟବହୃତ ହେଉ ନଥିଲା। ପ୍ରଶାସନ ଏହି ଅବ୍ୟବହୃତ ଜମି ମାଗିବାରୁ ଦିଆଗଲା ବୋଲି କହିଛନ୍ତି। ବାସ୍ତବତା କିନ୍ତୁ ଭିନ୍ନ ରହିଛି। ରେଭେନ୍‌ସାର ଏଠାରେ ୮ଟି କ୍ବାର୍ଟର୍ସ ଥିଲା, ଏଠାରେ ଚତୁର୍ଥ ଓ ତୃତୀୟ ଶ୍ରେଣୀ କର୍ମଚାରୀ ରହୁଥିଲେ।

ତଥ୍ୟ ମୁତାବକ, ୧୮୮୬ ମସିହାରେ ରେଭେନ୍ସା ବିଶ୍ବବିଦ୍ୟାଳୟ ୮୬ ଏକର ଜମିରେ ପ୍ରତିଷ୍ଠା ହୋଇଥିଲା। ବ୍ରିଟିଶ ସରକାର ଏହି ଜମିରେ ରେଭେନ୍‌ସା ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ତେବେ ସ୍ଥାନାଭାବ ହେବାରୁ ବ୍ରିଟିଶ ଅମଳରେ ନିର୍ମାଣ ଓ ପରିବହନ ନାମରେ ଥିବା ଜମିକୁ ରେଭେନ୍ସାକୁ ହସ୍ତାନ୍ତର କରାଯାଇଥିଲା। ପ୍ରାୟ ୪ ଏକର ଜମି ରେଭେନ୍ସାକୁ ଦିଆଯାଇଥିଲା। ଏଠାରେ ରେଭେନ୍ସା କର୍ମଚାରୀଙ୍କ କ୍ବାର୍ଟର୍ସ ନିର୍ମାଣ କରିଥିଲା। ଶହେ ବର୍ଷରୁ ଅଧିକ ସମୟରୁ ଏଠାରେ ରେଭେନ୍ସା କ୍ବାର୍ଟର୍ସ ଥିଲା, ବହୁ କର୍ମଚାରୀ ରହି ଆସୁଥିଲେ।

ଛତ୍ରବଜାର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାର ସଂପ୍ରସାରଣ ହେବା ପରେ ଛତ୍ରବଜାର ଉଠା ପରିବା ବ୍ୟବସାୟୀଙ୍କ ପାଇଁ ସ୍ଥାନାଭାବ ଦେଖାଦେବାରୁ ଏବେ ପ୍ରଶାସନ ରେଭେନ୍ସା ଜମିକୁ ଉପରେ ଆଖି ପକାଇଥିଲା। ପରେ ଏଠାରେ ଥିବା ୮ଟି କ୍ବାର୍ଟର୍ସ ଭାଙ୍ଗି ସେଠାରେ ହାଟ ନିର୍ମାଣ ପାଇଁ ଯୋଜନା ହୋଇଛି। ‌ ରେଭେନ୍ସାର କିଛି ଜମି ଏବେ ମାଲଗୋଦାମ ଦଖଲରେ ରହିଛି। ସେ ସବୁ ଜମିକୁ ଜବରଦଖଲମୁକ୍ତ କରିବା ବଦଳରେ ରେଭେନ୍ସା ଜମିକୁ ପ୍ରଶାସନକୁ ଦେଇ ଦେଇଛନ୍ତି। ଏହି ଜମିରେ ରେଭେନ୍ସା ପ୍ରାଧ୍ୟାପକ, କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ ନିର୍ମାଣ କରିବାକୁ ଦାବି ‌ହୋଇଛି।