ଭୁବନେଶ୍ୱର: ଦିନ ଥିଲା, ଦୂର ସମ୍ପର୍କୀୟ ସହ ଯୋଗାଯୋଗର ଏକମାତ୍ର ମାଧ୍ୟମ ଥିଲା ଚିଠି। ଏବେ ଚିଠି ଲେଖି ଖବର ବୁଝିବା ଯୁଗ ସରିଯାଇଛି। ଡିଜିଟାଲ୍ ଯୁଗରେ ଆଉ କେହି ଚିଠିକୁ ଚାହିଁ ବସୁନାହିଁ। କେବଳ ସ୍ପିଡ୍ ପୋଷ୍ଟ, ପାର୍ସଲ, ମନିଅର୍ଡର, ସରକାରୀ ପରୀକ୍ଷା କିମ୍ବା ଆରଟିଆଇ ପାଇଁ ପୋଷ୍ଟାଲ ଅର୍ଡର(ଆଇପିଓ) ଓ ଡାକ ଜୀବନ ବୀମା ଭଳି ନିର୍ଦ୍ଦିଷ୍ଟ ସେବା ପାଇଁ ଲୋକମାନେ ପୋଷ୍ଟ ଅଫିସ୍କୁ ବାଧ୍ୟବାଧକତାରେ ଯାଉଛନ୍ତି। କିନ୍ତୁ ସେହି ନିର୍ଦ୍ଦିଷ୍ଟ ସେବା ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି। ସାଧାରଣ ଡାକଘରେ ଆଇପିଓ ମିଳୁନଥିବାରୁ ଲୋକେ ବାଧ୍ୟ ହୋଇ ଜିପିଓ ଆସୁଛନ୍ତି। କିନ୍ତୁ ରାଜ୍ୟର ସବୁଠୁ ବଡ଼ ଡାକଘର ଜିପିଓର ସ୍ଥିତି ବଡ଼ ବିଚିତ୍ର। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅନ୍ୟ କାର୍ଯ୍ୟାଳୟସବୁ ଚକାଚକ୍ ହୋଇ ସାରିଥିବାବେଳେ ଏହା ସେମିତି ମଧ୍ୟଯୁଗୀୟ ସ୍ଥିତିରେ ପଡ଼ିଛି। ସେଥିପାଇଁ ପ୍ରବଳ ଜନଅସନ୍ତୋଷ ପ୍ରକାଶ ପାଇଛି। କେବଳ ଜିପିଓରେ ଆଇପିଓ ମିଳୁଥିବାରୁ ଏଥିପାଇଁ ଏଠାରେ ପ୍ରବଳ ଭିଡ଼ ହେଉଛି। ଅଫିସ ଖୋଲିବା ପରେ ଗୋଟିଏ କାଉଣ୍ଟରରେ ୪୦ରୁ ୫୦ ଜଣ ଦୈନିକ ଧାଡ଼ି ବାନ୍ଧୁଛନ୍ତି। ଏଠାରେ ୫ଟି ଏସି ଲାଗିଛି କିନ୍ତୁ ଚାଲୁନି। ଫ୍ୟାନ୍ ବି ଯେତିକି ଲାଗିଛି ତାହା ଯଥେଷ୍ଟ ନୁହେଁ। ଏବେ ତାପମାତ୍ରା ୪୦ ଡିଗ୍ରି ପାଖାପାଖି ରହୁଥିବା ବେଳେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଧାଡ଼ିରେ ଛିଡ଼ା ହେଉଥିବା ଗ୍ରାହକ ଝାଳନାଳ ହୋଇଯାଉଛି।
ଏହି ଦାଉରୁ ବଳି ପଡ଼ିଛି ନଗଦ ଓ ଖୁଚୁରା ପ୍ରସଙ୍ଗ। ସାଧାରଣ ଗୁପଚୁପ୍ ବ୍ୟବସାୟୀ ଅନ୍ଲାଇନ୍(କ୍ୟୁଆର୍ କୋଡ୍)ରେ ଦେୟ ଗ୍ରହଣ କରୁଥିବା ବେଳେ ଏଠାରେ କୌଣସି କାଉଣ୍ଟରରେ ଅନ୍ଲାଇନ୍ ବା ୟୁପିଆଇ ଜରିଆରେ ଅର୍ଥ ଗ୍ରହଣ ବ୍ୟବସ୍ଥା ନାହିଁ। ଏଣୁ କେବଳ ନଗଦ କାରବାର ହେଉଛି। ନଗଦ କାରବାର ବି ବଡ଼ ବିଚିତ୍ର। ୧୧ଟଙ୍କା ଆଇପିଓ ପାଇଁ ୧୧ଟଙ୍କା ହିଁ ଦେବାକୁ ପଡ଼ିବ। ୨୦ ଟଙ୍କା ଦେଲେ ବି ଖୁଚୁରା ମିଳୁନି। ଖୁଚୁରା କରିବା ପାଇଁ ଥରେ ଧାଡ଼ିରୁ ବାହାରିଲେ ପୁଣି ପଛରୁ ଧାଡ଼ି ବାନ୍ଧିବାକୁ ପଡ଼ୁଛି।
ଧାଡ଼ିରେ ଛିଡ଼ା ହୋଇଥିବା ଆରଟିଆଇ କର୍ମୀ କାର୍ତ୍ତିକ ମଲ୍ଲିକ କହନ୍ତି, ଡାକରେ ଆରଟିଆଇ ଆବେଦନ କଲେ କେବଳ ଆଇପିଓ ବ୍ୟବହାର କରିବାକୁ ପଡ଼ୁଛି। ଅନ୍ୟ କୌଣସି ସ୍ଥାନରେ ଆଇପିଓ ମିଳୁନଥିବାରୁ ବାଧ୍ୟ ହୋଇ ଜିପିଓ ଆସିବାକୁ ପଡ଼ୁଛି। ୧୦, ୨୦, ୫୦ ଓ ୧୦୦ଟଙ୍କିଆ ଆଇପିଓ ଥିଲେ ମଧ୍ୟ ଏଠାରେ କେବଳ ୧୦ ଟଙ୍କିଆ ଉପଲବ୍ଧ ଅଛି। ୧୦ ଟଙ୍କାର ଆଇପିଓ ପାଇଁ ୧୧ ଟଙ୍କା ଦେବାକୁ ପଡ଼ୁଛି। କିନ୍ତୁ ଖୁଚୁରା ନ ଦେଲେ ଫେରାଇ ଦେଉଛନ୍ତି। ଗରମରେ ଧାଡ଼ିରେ ଛିଡ଼ା ହୋଇ ଖୁଚୁରା ପାଇଁ ଫେରିବା କଷ୍ଟ ଯିଏ ଭୋଗିଛି ସିଏ ଜାଣିଛି ବୋଲି କହିଛନ୍ତି। ତେବେ କେବଳ ଗ୍ରାହକ ଯେ ହଇରାଣ ହେଉଛନ୍ତି ତା ନୁହେଁ, କର୍ମଚାରୀ ବି ଏହି ସ୍ଥିତିରୁ ମୁକ୍ତି ପାଉ ନାହାନ୍ତି। ଏଠାରେ ୧୨ଟି କାଉଣ୍ଟର ରହିଛି। ପ୍ରଥମ ୬ଟି କାଉଣ୍ଟରରେ ସ୍ପିଡ୍ ପୋଷ୍ଟ, ରେଜିଷ୍ଟ୍ରି ପୋଷ୍ଟ, ଲଫାପା, ଅନ୍ତର୍ଦ୍ଦେଶୀୟ ପତ୍ର, ଡାକଟିକଟ, ପାର୍ସଲ ଆଦି ସେବା ଉପଲବ୍ଧ ହେଉଛି। ଏହି ୬ଟି କାଉଣ୍ଟରରେ ବେଶୀ ଭିଡ଼ ଜମୁଛି। କିନ୍ତୁ ଏଠାରେ ୨ଟି ଫ୍ୟାନ ଲାଗିଛି। ଏଠାରେ ଲାଗିଥିବା ୯ଟି ଫ୍ୟାନରୁ ୪ଟି ଅଚଳ ହୋଇ ପଡ଼ିଛି। ଭିଡ଼ ହେଉଥିଲେ ବି ବସିବା ପାଇଁ ଯଥେଷ୍ଟ ଚଉକି ନାହିଁ। ଫଳରେ ବରିଷ୍ଠ ନାଗରିକମାନେ ମଧ୍ୟ ଛିଡ଼ା ହୋଇ ରହୁଥିବା ଦେଖାଯାଇଛି। ସାଧାରଣ ଶୌଚାଳୟ ସଫା ହେଉନଥିବା ବେଳେ ଭିନ୍ନକ୍ଷମଙ୍କ ପାଇଁ ହୋଇଥିବା ଶୌଚାଳୟରେ ମୂଳରୁ ତାଲା ଝୁଲୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/gdjjdggjdjgdgj.jpg)