ଭୁବନେଶ୍ବର: ସୁନାର ଚଢ଼େଇ ଉଡ଼ି ଉଡ଼ି ଆସି..., ଶେଷ ଶ୍ରାବଣ ପୂରୁବ ଫଗୁଣ..., ଦିଲ୍ ଧଡ଼ାକାଏ ସିଟି ବଜାଏ...। କଣ୍ଠଶିଳ୍ପୀ ଶଶାଙ୍କ ଶେଖରଙ୍କ କଣ୍ଠରୁ ଭାସି ଆସୁଥିବା ଏଭଳି ଲୋକପ୍ରିୟ ସଂଗୀତର ତାଳେ ତାଳେ ଝୁମୁଥିଲେ ଶ୍ରୋତା। ଅବସର ଥିଲା, ରେଡିଓ ଚକଲେଟ୍ର ‘ଫ୍ୟାମିଲ୍ ନମ୍ବର ୱାନ୍’ର ଗ୍ରାଣ୍ଡ୍ ଫିନାଲେ କାର୍ଯ୍ୟକ୍ରମ। ଏସ୍ପ୍ଲାନେଡ୍ ମଲ୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଡିଓ ଚକଲେଟ୍ ତରଫରୁ ବିଭିନ୍ନ ପ୍ରତିଯୋଗିତା କରି ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟ୍ରୁ ୧୦ଟି ଶ୍ରେଷ୍ଠ ପରିବାରକୁ ଚୟନ କରାଯାଇଥିଲା। ସେମାନଙ୍କୁ ନେଇ ଆଜି ଏଠାରେ ଫ୍ୟାସନ୍ ସୋ’, ଟ୍ୟାଲେଣ୍ଟ୍ ସୋ’ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ହାଇଟେକ୍ ପ୍ଲାଜାର ବିକ୍ରାନ୍ତଙ୍କ ପରିବାର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରକ୍ପୁଲ୍ ହାଇଟ୍ସରୁ ଦୀପକଙ୍କ ପରିବାର ଦ୍ବିତୀୟ ଓ ମନୋରମା ଆପାର୍ଟମେଣ୍ଟର ଅମୃତ ପୃଷ୍ଟିଙ୍କ ପରିବାର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ତିନୋଟି ପରିବାରକୁ ‘ଫ୍ୟାମିଲ୍ ନମ୍ବର ୱାନ୍’ର ମାନ୍ୟତା ଦିଆଯିବା ସହ ଆକର୍ଷଣୀୟ ପୁରସ୍କାର ଦିଆଯାଇଥିଲା। ସେହିଭଳି ଆଜିର ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟ ସମସ୍ତ ପରିବାରକୁ ମଧ୍ୟ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଚାରକ ଭାବେ ବିଶିଷ୍ଟ ଅଭିନେତା ସୁକାନ୍ତ ରଥ, ଆଇଡବ୍ଲ୍ୟୁସିର ସଦସ୍ୟ ସୋନି ସାମଲ, ବିଶିଷ୍ଟ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ଭାବେ ‘ସୁନୋ ସୁନାଓ’ ସଂଗୀତ ଆପ୍ର ସିଇଓ ମୋନାଲିସା ସାହୁ, ଏଚ୍ଡିଏଫ୍ସି ବ୍ୟାଙ୍କର ଆଞ୍ଚଳିକ ଅଧିକାରୀ ସୁଦାମ ସାହୁ, ଜେ ଆଣ୍ଡ ଟି ଜୁଏଲାରିର ମଧୁସ୍ମିତା ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ବିଜେତା ପରିବାରଙ୍କୁ ପୁରସ୍କୃତ କରିଥିଲେ। ‘ସମ୍ବାଦ’ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ବିଜୟୀ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ‘ସୁନୋ ସୁନାଓ’ ଆପ୍ରେ ରଥଯାତ୍ରା ସମୟରେ କରାଯାଇଥିବା ‘ଅନୁଭୂତିରେ ଜଗନ୍ନାଥ’ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କ ଭିତରୁ ୧୩ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଭାବେ ତିନି ପ୍ରତିଯୋଗୀଙ୍କୁ ଶ୍ରେଷ୍ଠ ଭାବେ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ରେଡିଓ ଚକଲେଟ୍ର କର୍ମଚାରୀମାନେ ପରିଚାଳନା କରିଥିଲେ।