ଭୁବନେଶ୍ବର: ଶ୍ରୀଜଗନ୍ନାଥ କେବଳ ଭାବରେ ନୁହଁନ୍ତି, ଭାଷାରେ ମଧ୍ୟ ଓଡ଼ିଆ ଜାତିକୁ ଆଚ୍ଛନ୍ନ କରି ରଖିଛନ୍ତି। ଭାରତର ବିଭିନ୍ନ ଭାଷା, ଇଂରାଜୀ ଓ ଅନ୍ୟ ବିଦେଶୀ ଭାଷାରେ ଜଗନ୍ନାଥଙ୍କୁ ନେଇ ପୁସ୍ତକ ପ୍ରକାଶ ପାଇଛି। ମହାପ୍ରଭୁଙ୍କୁ ଦର୍ଶନ କଲେ, ଭକ୍ତ ଯେପରି ବିଭୋର ହୁଏ, ସେହିପରି ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅନୁଧ୍ୟାନ କଲେ, ବିସ୍ମିତ ହୁଏ। ସେଥିପାଇଁ ଚିରସ୍ରୋତା ନଦୀ ପରି ଶ୍ରୀଜଗନ୍ନାଥଙ୍କ ସଂପର୍କରେ ରଚନା ଆବାହମାନ କାଳରୁ ବହି ଚାଲିଛି।

Advertisment

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ସପ୍ତମ ସଂଧ୍ୟାରେ ଏକାମ୍ର ପୁସ୍ତକ ମହୋତ୍ସବ ଦ୍ବାରା ଆୟୋଜିତ ‘କଥା ତରଙ୍ଗରେ ଶ୍ରୀଜଗନ୍ନାଥ’ ଶୀର୍ଷକ ଆଲୋଚନାଚକ୍ରରେ ବକ୍ତାମାନେ ଏପରି ମତ ରଖିଛନ୍ତି। ଅନୁଷ୍ଠାନର ସଭାପତି ପୀତବାସ ରାଉତରାୟଙ୍କ ସଭାତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସୁରେନ୍ଦ୍ରନାଥ ଦାଶ ଯୋଗ ଦେଇ କହିଲେ, ଶ୍ରୀଜଗନ୍ନାଥଙ୍କ ଉପରେ ବହୁ ବିଦେଶୀ ଗବେଷକ ଗବେଷଣା କରିଛନ୍ତି। ମୁଖ୍ୟବକ୍ତା ଅସିତ ମହାନ୍ତି କହିଲେ, ଶ୍ରୀଜଗନ୍ନାଥଙ୍କୁ ନେଇ ଗଳ୍ପ, ଉପନ୍ୟାସ ରଚନା ଆରମ୍ଭ ହୋଇଛି। ଏହି ଧାରା ଭବିଷ୍ୟତରେ ମଧ୍ୟ ଜାରି ରହିବ। ସମ୍ମାନିତ ବକ୍ତା ଭାସ୍କର ମିଶ୍ର କହିଲେ, ଏ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ସଂସ୍କୃତିର ସମସ୍ତ ତଥ୍ୟ ପ୍ରକାଶିତ ହୋଇ ପାରିନାହିଁ। ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର ଶ୍ରୀଜଗନ୍ନାଥଙ୍କୁ ନେଇ ତାଙ୍କ ଜୀବନର ଅନୁଭୂତି ବର୍ଣ୍ଣନା କରିଥିଲେ। ଉପସଭାପତି ଅଭୟ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଭାସ୍କର ଜେନା ଧନ୍ୟବାଦ ଦେଇଥିଲେ।