ସଙ୍ଗୀତର ମହାସଂଗ୍ରାମ: ‘ସମ୍ବାଦ’ ‘ରେଡିଓ ଚକ୍‌ଲେଟ୍‌’ ଜୋନ୍‌ସ୍ତରୀୟ ସାରେଗାମା ପ୍ରତିଯୋଗିତା

ଶିବପ୍ରସାଦ ପ୍ରଥମ, ଅଭିଜିତ ଦ୍ବିତୀୟ, ଅଭିଷେକ ଏବଂ ଅର୍ପିତା ଯୁଗ୍ମ ତୃତୀୟ

ଭୁବନେଶ୍ବର: ବାହାରେ ମେଘୁଆ ଆକାଶରୁ ଝରୁଥିଲା ବର୍ଷା। କିନ୍ତୁ ଇଡ୍‌କଲ୍‌ ଅଡିଟୋରିୟମ୍‌ ଭିତରେ ଥିଲା ସୁର ଓ ସ୍ବରର ଘୂର୍ଣ୍ଣିଝଡ଼। କିଏ ତାଳ, ଲୟ ଓ ଛନ୍ଦରେ ଦର୍ଶକଙ୍କୁ ମତୁଆଲା କରୁଥିଲା ତ’ ଆଉ କିଏ ନିଜ କଣ୍ଠର ସୁମଧୁର ଯାଦୁରେ ବିଚାରକଙ୍କ ମନ ଜିଣୁଥିଲା। ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌…, ଆଉ ଥରେ ତୁମେ କୃଷ୍ଣ ହୋଇଯାଅ…, ବଂଶୀରେ ତୁ ରାଧାରାଧା ଡାକନା, ଆହାରେ ମୋ ପୁରୀ ଠାକୁର, ଗୋପ ନଗରୀରୁ ଚିଠି ଆସିଛି… ଆଦି ଭଜନ ଦ୍ବାରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥିଲା। ସେହିଭଳି ସେମି କ୍ଲାସିକାଲ୍‌ ସଙ୍ଗୀତ ଏକ ରାଧା ଏକ୍‌ ମୀରା, ସଜନା.., କେଶରୀଆ..ଜବ୍‌ ଦୀପ ଜଲେ ଆନା… ଆଦି ଗୀତ ସଙ୍ଗୀତ ପ୍ରତିଯୋଗିତାର ମହାସମର ପରିବେଶକୁ ଆହ୍ବାନ ଦେଇଥିଲା। ଅବସର ଥିଲା ‘ସମ୍ବାଦ-ରେଡିଓ ଚକ୍‌ଲେଟ୍‌ ୧୦୪ ଏଫ୍ଏମ୍‌ ଧୁମ୍‌ ମିଠା’ ପକ୍ଷରୁ ଆୟୋଜିତ ‘ଜୋନ୍‌ସ୍ତରୀୟ ସାରେଗାମା ପ୍ରତିଯୋଗିତା’। ଏହି ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ମଦର୍ସ ପବ୍ଲିକ୍‌ ସ୍କୁଲର ଛାତ୍ର ଶିବପ୍ରସାଦ ଷଡ଼ଙ୍ଗୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିସହ ଦ୍ବିତୀୟ ସ୍ଥାନରେ ମଦର୍ସ ପବ୍ଲିକ୍‌ ସ୍କୁଲର ଅଭିଜିତ ପାଢ଼ୀ ଏବଂ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଳଙ୍କୃତ କରିଥିଲେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଅଭିଷେକ ରାୟ ଓ କଳିଙ୍ଗ ସ୍କୁଲ ଅଫ୍‌ ଲାଙ୍ଗୁଏଜ୍‌(କିଟ୍‌)ର ଛାତ୍ରୀ ଅର୍ପିତା ରଥ।

ଆଜି ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ଆୟୋଜିତ ଏହି ଜୋନ୍‌ସ୍ତରୀୟ ପ୍ରତିଯୋଗିତାରେ ୩୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସକାଳୁ ପ୍ରବଳ ବର୍ଷା ‌ଯୋଗୁଁ ପ୍ରତିଯୋଗୀଙ୍କ ସଂଖ୍ୟା କମିଥିଲା ସିନା କିନ୍ତୁ ଉତ୍ସାହ କମିନଥିଲା। କାର୍ଯ୍ୟକ୍ରମରେ ବିଚାରକ ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ଦାସ, ସ୍ବନାମଧନ୍ୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଓ ଓଲିଉଡ୍‌ ଜଗତର ସୁପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରତିଯୋଗୀମାନଙ୍କର ପ୍ରତିଭାକୁ ପ୍ରଶଂସା କରିବା ସହ ସେମାନେ କହିଥିଲେ, ସଙ୍ଗୀତ ‌ହେଉଛି ଏକ ପାଠ, ଏକ ବ୍ୟାକରଣ। ଯାହାକୁ ଆମେ ବିଧିବଦ୍ଧ ଭା‌ବେ ଜଣେ ଗୁରୁଙ୍କ ପାଖରେ ଶିଖିବାର ଆବଶ୍ୟକତା ରହିଛି। ତେବେ ଯାଇ ଆମେ ଆମ ସୁର, ତାଳ ଓ ଲୟ ଉପରେ ଠିକ୍‌ ଭାବେ କାମ କରି ଆମ ସଙ୍ଗୀତ କଳାକୁ ଅଧିକ ପରିପକ୍ବ କରିପାରିବା। କାର୍ଯ୍ୟକ୍ରମ ଅବସରରେ କଣ୍ଠଶିଳ୍ପୀ ଗୀତା ଦାସ ଚକା ଜହ୍ନ କେଡ଼େ ଝିଲିମିଲି… ଆକାଶରେ ହସେ ଖିଲିଖିଲି… ଗୀତ ଗାଇ ପରିବେଶକୁ ଆମୋଦିତ କରି ଦେଇଥିଲେ। ପ୍ରଶାନ୍ତ ପାଢ଼ୀଙ୍କ ନଈଠାରୁ ବେଶୀ ଫୁଲେଇ….ମୋ ପ୍ରିୟା ସଙ୍ଗୀତ ଗାଇ ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲେ। ଶେଷରେ ବିକାଶ ଶୁକ୍ଳାଙ୍କ ଭଜନ ଦେ ରେ କାଳିଆ ଦେ… ତୋ ପାଦେ ଶରଣ ଦେ.. ଗାଇ କାର୍ଯ୍ୟକ୍ରମରେ ଏକ ସୁନ୍ଦର ବିରାମ ଲଗାଇଥିଲେ। ବାଦ୍ୟଯନ୍ତ୍ରରେ ଚିତ୍ତରଞ୍ଜନ ପ୍ରଧାନ (ସିନ୍ଥେସାଇଜର୍‌), କିଶୋର କୁମାର ନାୟକ (କି-ବୋର୍ଡ), ଶିବ ନାରାୟଣ ମହାନ୍ତି (ଅଟୋପ୍ୟାଡ୍‌) ଓ ଅଜୟ କୁମାର ଚୌଧୁରୀ (ତବ୍‌ଲା)ରେ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମରେ ‘ସମ୍ବାଦ’ର ଫିଚର ସମ୍ପାଦକ ଗୌରହରି ଦାସ ଯୋଗ ଦେଇ କହିଲେ, ନିଶ୍ଚିତ ଭାବେ ମଞ୍ଚ ପ୍ରତିଭା ପ୍ରଦର୍ଶନର ମାଧ୍ୟମ। କିନ୍ତୁ ଆମେ ମଞ୍ଚ ଉପରକୁ ଆସିବା ବେଳେ ଏଭଳି ସଙ୍ଗୀତ ବାଛିବା ଯାହା ଉପରେ ଆମର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଥିବ। କଷ୍ଟସାଧ୍ୟ ସଙ୍ଗୀତ ଗାଇ ବିଚାରକଙ୍କୁ ପ୍ରଭାବିତ କରି ହୁଏନି। ସହଜ, ସରଳ ଗୀତ ଟିଏ ଗାଇ ବି ବିଚାରକଙ୍କ ମନ ଜିଣିହୁଏ। କାରଣ ସେମାନେ ପ୍ରତିଯୋଗୀର ତାଳ, ଲୟ, ଛନ୍ଦ ଓ ସ୍ବରକୁ ଦେଖି ବିଚାର କରିଥା’ନ୍ତି ବୋଲି ଶ୍ରୀ ଦାସ କହିଥିଲେ। କାର୍ଯ୍ୟକ୍ରମ ଅବସରରେ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତା) ଅରବିନ୍ଦ ଦାସ, ଉପମହାପ୍ରବନ୍ଧକ(ମାନବ ସମ୍ବଳ) ବୈଜୟନ୍ତୀ କର, ଉପମହାପ୍ରବନ୍ଧକ (ବାର୍ତା) ଗୌତମବୁଦ୍ଧ ଦାସ ଉପସ୍ଥିତ ଥିଲେ। ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡ. ଶୁ‌ଭଶ୍ରୀ ଲେଙ୍କା ଧନ୍ୟବାଦ ଦେଇଥିଲେ। ଆର୍‌ଜେ କୋମଲ୍‌ ଓ ଆର୍‌ଜେ ନୀଲ୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ବହୁତ ଖୁସି
ଜୋନ୍‌ସ୍ତରୀୟ ସାରେଗାମା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ମୁଁ ବହୁତ ଖୁସି। ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମ ଅନେକଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିପାରୁଛି। ମୁଁ ପ୍ରଥମ ଥର ପାାଇଁଁ ଅଂଶଗ୍ରହଣ କରିଥିଲି। ମୋ ଗୁରୁ ଡ. ଚିତ୍ତରଞ୍ଜନ ପାଣିଙ୍କ ଆଶୀର୍ବାଦରୁ ଏହି ସଫଳତା ପାଇଛି। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ପାଇଁ ଚେଷ୍ଟା କରିବି।
ଶିବପ୍ରସାଦ ଷଡ଼ଙ୍ଗୀ, ମଦର୍ସ ପବ୍ଲିକ୍ ସ୍କୁଲ

ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ମିଳିଲା
ଏହି ପ୍ଲାଟଫର୍ମ ନୂତନ ପ୍ରତିଭାମାନଙ୍କୁ ସୁଯୋଗ ଦେଉଛିି। ହାରଜିତ୍ ବଡ଼ କଥା ନୁହଁ। ସମସ୍ତେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କଲେ। ବିଚାରପତିମାନଙ୍କ ମନକୁ କିଛି ପ୍ରତିଭାଙ୍କ ଗୀତ ଭଲ ଲାଗୁଥିବାରୁ ସେମାନେ ୪ ଜଣଙ୍କୁ ଚୟନ କଲେ। ଅନ୍ୟମାନେ ମଧ୍ୟ ବହୁତ ଭଲ ଗାଇଥିଲେ। ମୁଁ ଦ୍ବିତୀୟ ସ୍ଥାନ ଅଧିକାର କରିଥିବାରୁ ବହୁତ ଖୁସି ଅନୁଭବ କରୁଛି। ଆଗକୁ ଏକ ବଡ ପ୍ଲାଟଫର୍ମରେ ପ୍ରତିଯୋଗିତା ହେବାକୁ ଥିବାରୁ ‌େମାତେ ଆହୁରି ଅଧିକ ପରିଶ୍ରମ କରିବାକୁ ପଡ଼ିବ।
ଅଭିଜିତ୍ ପାଢ଼ୀ, ମଦର୍ସ ପବ୍ଲିକ୍ ସ୍କୁଲ

ଆହୁରି ଅଧିକ ପରିଶ୍ରମ କରିବି
ମୁଁ ତୃତୀୟ ସ୍ଥାନ ଅଧିକାର କରି ବହୁତ ଖୁସି ଅଛି। ଗୁରୁ ବିଜୟ କୁମାର ଜେନାଙ୍କ ଠାରୁ ଶିକ୍ଷାଲାଭ କରି ସଫଳ ହୋଇପାରିଛି। ମଞ୍ଚ ଛାଡ଼ିଥିବା ପିଲାମାନେ ବି ଭଲ ଗାଇଥିଲେ। ଆମେ ୪ ଜଣ ଗାଇଥିବା ଗୀତ ବିଚାରପତିଙ୍କୁ ଭଲ ଲାଗିଥିଲା। ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଆହୁରି ଅଧିକ ପରିଶ୍ରମ କରିବାକୁ ପଡ଼ିବ।
ଅଭିଷେକ ରାୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ

କିଛି ନୂଆ ଶିଖିବାକୁ ମିଳିଲା

ମୁଁ ତୃତୀୟ ସ୍ଥାନ ଅଧିକାର କରିଥିଲେ ବି ମନ ଦୁଃଖ ନାହିଁ। ସମ୍ବାଦ ଏହି ସୁଯୋଗ ଦେଇଥିବାରୁ ବହୁତ ଖୁସି ଲାଗୁଛି। ଏହା ମୋର ପ୍ରଥମ ସୋପାନ। ଏହି ମଞ୍ଚରେ ମୋତେ ବହୁତ କିଛି ଶିଖିବାକୁ ମିଳିଲା। ମୋର ଛୋଟ ଛୋଟ ଭୁଲ୍ ବିଚାରପତିମାନଙ୍କ ଦ୍ବାରା ମାର୍ଜିତ ହେଲା। ଆଗକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଏକ ନୂଆ ପ୍ରେରଣା ପାଇଲି। ମୋର ପିତା ସୁଶାନ୍ତ କୁମାର ନାଥ ମୋତେ ଗୀତ ଶିଖାଇଛନ୍ତି।
ଅର୍ପିତା ନାଥ, କିଟ୍ ବିଶ୍ୱବିଦ୍ୟାଳୟ

ସମ୍ବନ୍ଧିତ ଖବର