ଭୁବନେଶ୍ବର: ଡ୍ରେନ୍ ପାଣି ସୁଅରେ ୩ ମହଲା ବିଶିଷ୍ଟ ଏକ ଘରର ମୂଳଦୁଆ ପାଖରୁ ମାଟି ଧୋଇଯିବାରୁ ଝାରପଡ଼ା ବଜରଙ୍ଗନଗର ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଘର ଭୁଶୁଡ଼ି ପଡ଼ିବା ଭୟରେ ସେଥିରେ ରହୁଥିବା ଘର ମାଲିକ ଓ ଭଡ଼ାଟିଆ ଘର ଛାଡ଼ି ଦେଇଛନ୍ତି। ତଳ ମହଲାରେ ଭଡ଼ାରେ ରହୁଥିବା ପରିବାରଲୋକ ଆବଶ୍ୟକ କିଛି ଜିନିଷପତ୍ର ନେଇ ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଛନ୍ତି। ତେବେ ଉପର ମହଲାରେ ରହୁଥିବା ଘରମାଲିକ ଓ ତାଙ୍କ ସମ୍ପର୍କୀୟ ଘରୁ ବାହାରକୁ ଚାଲି ଆସିଥିଲେ ବି ଘର ଛାଡ଼ି ବା କୁଆଡ଼େ ଯିବେ। ରାତି ତମାମ ବାହାରେ କାର୍ରେ ବସି ଘରକୁ ଜଗି ରହିଥିଲେ। ଆଜି ବି ଦିନତମାମ ପରିବାରଲେକ ଏମିତି ଦୋଛକିରେ ରହିଥିଲେ। ନା ପରିବାରଲୋକ ଘର ଭିତରେ ରହିପାରୁଛନ୍ତି ନା ଘର ଛାଡ଼ି ସମ୍ପର୍କୀୟଙ୍କ ପାଖକୁ ଯାଇ ପାରୁଛନ୍ତି। ତେବେ ଯଦି କିଏ କୌଣସି କାମରେ ଘର ଭିତରକୁ ଯାଉଥିଲା, ସେ ବାହାରକୁ ଆସିବା ପର୍ଯ୍ୟନ୍ତ ଅନ୍ୟମାନେ ଚାତକ ପରି ଚାହିଁ ରହୁଥିଲେ। ତେବେ ବିଏମ୍ସି ପକ୍ଷରୁ ଆଜି ଅପରାହ୍ଣ ୪ଟାରେ ବାଲିବସ୍ତା ଓ ପ୍ଲେଟ୍ ଲଗାଯାଇ ଅସ୍ଥାୟୀ ବନ୍ଧ ନିର୍ମାଣ ପରେ ପରିବାରଲୋକ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି।
ସୂଚନାନୁଯାୟୀ, ଗତକାଲି ଲଗାଣ ବର୍ଷା ଯୋଗୁଁ ଘର ପଛପାଖ ଡ୍ରେନ୍ରେ ବର୍ଷାଜଳର ସୁଅ ଛୁଟିଥିଲା। ବର୍ଷାଜଳର ପରିମାଣ ବଢ଼ିବାରୁ ପାଣି ନିଷ୍କାସନ ହୋଇନପାରି ଡ୍ରେନ୍ ଫୁଲି ଉଠିଥିଲା। କିଛି ସମୟ ମଧ୍ୟରେ ପାଣିର ପ୍ରଖର ସ୍ରୋତ ମୁଖ୍ୟ କାନ୍ଥ ଭାଙ୍ଗି ସ୍ଥାନୀୟ ଅଞ୍ଚଳର ଅତୁଲ ଜେନାଙ୍କ ତିନିମହଲା ଘର ଭିତରେ ପଶି ଯାଇଥିଲା। ସୁଅ ଏତେ ପ୍ରଖର ଥିଲା ଯେ ତାଙ୍କ ଘର ଆଗ ମୂଳଦୁଆରୁ ମାଟି ଧୋଇଯାଇଥିଲା। ଫଳରେ ଘରଟି ଏବେ ବିପଦସଂକୁଳ ଅବସ୍ଥାରେ ରହିଛି। ଏନେଇ ଅତୁଲ ବିଏମ୍ସି ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଜଣାଇଥିଲେ। ଉଦ୍ବେଗର ବିଷୟ ଯେ, ଘରଟି ବିପଦ ସଂକୁଳ ଅବସ୍ଥାରେ ଥିଲେ ବି ସୋମବାର ୪ଟା ପର୍ଯ୍ୟନ୍ତ କାହାରି ଦେଖା ନଥିଲା। ଏହାକୁ ନେଇ ପରିବାରଲୋକ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାର ସ୍ଥାୟୀ ସମାଧା ପାଇଁ ପରିବାରଲୋକ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/54h89sf798hsf4554fhs4f5hs6456hfhhffhf.jpg)