ଭୁବନେଶ୍ବର: ସରକାରଙ୍କ ବହୁ ପ୍ରତୀକ୍ଷିତ ଟାଉନ୍ ପ୍ଲାନିଂ(ଟିପି) ସ୍କିମ୍ ପାଇଁ ଅଡ଼ୁଆ ବଢ଼ିଛି। ଭୁବନେଶ୍ବର ସମେତ ସାରା ରାଜ୍ୟରେ ଏହି ସ୍କିମ୍ ଲାଗୁ କରିବାକୁ ସରକାର ଅଣ୍ଟା ଭିଡ଼ିଥିବା ବେଳେ ଅନ୍ଧାରୁଆ-ଦାସପୁର ପ୍ରକଳ୍ପ ବିରୋଧରେ ‘ଯୁଦ୍ଧଂଦେହୀ’ ଡାକରା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ଏହି ପ୍ରକଳ୍ପ ପାଇଁ ଜମି ନଦେବାକୁ ଶତାଧିକ ଜମି ମାଲିକ ମେଳି କରିଛନ୍ତି। ଏହା ପଛରେ ସରକାରଙ୍କ ଷଡ୍ଯନ୍ତ୍ର ରହିଥିବା ନେଇ ପ୍ରତ୍ୟେକ ମାଲିକଙ୍କ ଦୁଆରେ ପୋଷ୍ଟର ଲାଗିବା ସହ ବୈଠକ ପରେ ବୈଠକ ବସୁଛି। ବିରୋଧୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ପୂର୍ବରୁ ବଡ଼ଗଡ଼ ଓ ବାଙ୍କୁଆଳ ଟିପି ପ୍ରକଳ୍ପରେ ଜନଶୁଣାଣି ଚାଲିଥିବା ବେଳେ ପ୍ରବଳ ବିରୋଧ ହେବାରୁ ଶୁଣାଣି କରୁଥିବା ବିଡିଏର ବରିଷ୍ଠ ଅଧିକାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ସେବେଠାରୁ ଏହି ପ୍ରକଳ୍ପ ନାଲି ଫିତା ତଳେ ରହିଯାଇଛି। ଏବେ ବିରୋଧ ବଢ଼ିବାରେ ଲାଗିଥିବାରୁ ଅନ୍ଧାରୁଆ-ଦାସପୁର ପ୍ରକଳ୍ପ ମଧ୍ୟ ଅନିଶ୍ଚିତତା ଘେରକୁ ଚାଲିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପଟେ ୧୦ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଟିପି ସ୍କିମ୍ରୁ ଗୋଟିଏ ହେଲେ ସମ୍ପୂର୍ଣ୍ଣ ହୋଇ ପାରିନାହିଁ।
ବିଜେଡି ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଏହି ଟିପି ସ୍କିମ୍କୁ ବିଜେପି ସରକାର ଗୁରୁତ୍ବର ସହ ନେଇଛନ୍ତି। ନିକଟ ଅତୀତରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏହି ପ୍ରକଳ୍ପକୁ ରାଉରକେଲା, ବ୍ରହ୍ମପୁର, ପୁରୀ ଓ କଟକ ପ୍ରଭୃତି ସହରରେ କରିବାକୁ ଘୋଷଣା କରିଛନ୍ତି। ଏଭଳି ଘୋଷଣା ପରେ ବିଡିଏ ମଧ୍ୟ ତତ୍ପରତା ପ୍ରକାଶ କରିଛି। ନିର୍ମାଣାଧୀନ ଟିପି ପ୍ରକଳ୍ପଗୁଡ଼ିକର ଭିତ୍ତିଭୂମି ବିକାଶ କାର୍ଯ୍ୟ ତ୍ବାରାନ୍ବିତ କରିଛି। ନିକଟ ଅତୀତରେ ଅନ୍ଧାରୁଆ-ଦାସପୁର ପ୍ରକଳ୍ପରେ ଜନଶୁଣାଣି ହେବା ପରେ ବିରୋଧ ବଢ଼ିବାରେ ଲାଗିଛି। ଜମିମାଲିକଙ୍କ ସହଯୋଗ ବିନା ଏହି ପ୍ରକଳ୍ପ ପ୍ରସ୍ତୁତ କରିବା ଅସମ୍ଭବ ହୋଇଥିବାରୁ ବିଡିଏର ଚିନ୍ତା ବଢ଼ିଛି। ଏହି ଅଞ୍ଚଳର ଜ୍ଞାନରଞ୍ଜନ ପ୍ରଧାନଙ୍କ ଅଭିଯୋଗ ହେଉଛି, ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ, ବିଜୁଳି ଓ ପିଇବାପାଣି ଜନସାଧାରଣଙ୍କୁ ମାଗଣାରେ ଉପଲବ୍ଧ କରାଇବା ସରକାରଙ୍କର ମୁଖ୍ୟ କାମ। ଏସବୁ ଉପଭୋଗ କରିବା ନାଗରିକମାନଙ୍କର ମୌଳିକ ଅଧିକାର। ଏହି ସବୁ ମୌଳିକ ଅଧିକାର ଉପଲବ୍ଧ କରିବା ପାଇଁ, ‘ଜମି ବଦଳରେ ବିକାଶ’ ନୀତି ନିର୍ଦ୍ଧାରଣ କରି ବିଜେଡି ସରକାର ବିଡିଏ ମାଧ୍ୟମରେ ଜମି ଜବରଦଖଲ କରିଥିଲା।
ବିରୋଧ ଯୋଗୁ ବଡ଼ଗଡ଼ରେ ବନ୍ଦ ହୋଇଥିଲା
୧୦ ବର୍ଷ ହେଲା ଗୋଟିଏ ବି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇନି
ଗରିବ ଚାଷୀମାନେ ୪୦% ଚାଷ ଜମି ସହ ଜୀବିକା ହରାଇ ଦାଦନ ଖଟିବାକୁ ଗଲେ। କିଛି ଗରିବ ଯାହାକିଛି ଜମି ବଳିଥିଲା ତାହାକୁ ବିକିଦେଇ ନିସ୍ବ ହୋଇଗଲେ। ରାଜଧାନୀରେ ଥିବା ପଟିଆ, ଗାଡ଼କଣ, ରସୁଲଗଡ, ବମିଖାଲ, ଝାରପଡ଼ା, ବରଗଡ଼, ବରମୁଣ୍ଡା, ଜାଗମରା ଓ ଘାଟିକିଆ ଆଦି ଗ୍ରାମଗୁଡ଼ିକ ଆପେ ଆପେ ବିକଶିତ ହୋଇଛନ୍ତି। ନିଜର ବିକାଶ ପାଇଁ ଏମାନେ ଇଞ୍ଚେ ଜମି ଦେଇନାହାନ୍ତି। ବାଙ୍କୁଆଳ-ବଡ଼ଗଡ଼ ପ୍ରକଳ୍ପରେ ଗ୍ରାମବାସୀମାନେ ପ୍ରବଳ ବିରୋଧ କରିବାରୁ ପ୍ରକଳ୍ପ ପୁଣି ସରକାରୀ ଫାଇଲ୍କୁ ଫେରିଯାଇଛି। ଅନ୍ଧାରୁଆ, ଜଗନ୍ନାଥପ୍ରସାଦ, ଦାସପୁର, ମଳିପଡ଼ା, ଶ୍ୟାମପୁର, ପାଇକରାପୁର, ଦାରୁଠେଙ୍ଗ ଇତ୍ୟାଦି ଗ୍ରାମରେ ବିକାଶ ନାମରେ ୪୦% ଚାଷଜମି କାହିଁକି ସରକାର ଜବରଦଖଲ କରିବେ? ବିକାଶ କରିବାକୁ ସରକାର ଯଦି ସଂକଳ୍ପବଦ୍ଧ ତେବେ ଗରିବ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଇ ଚାଷଜମି ନିଅନ୍ତୁ ବା ଅଧିଗ୍ରହଣ କରନ୍ତୁ। ବଡ଼କଥା ହେଉଛି ଯେଉଁଠି ପୂର୍ବରୁ ଘର ଅଛି, ରାସ୍ତା ଅଛି ସେ ଜାଗାକୁ କାହିଁକି କିଏ ବିଡିଏକୁ ଛାଡ଼ିବ? କିନ୍ତୁ ଏଭଳି ୪୦%ଜମି ବିକାଶ ନାମରେ ଜବରଦଖଲ କଲେ ଆଗକୁ ଏହା ବିଶାଳ ଜନଆନ୍ଦୋଳନର ରୂପ ନେବ। ଯେଉଁଥିପାଇଁ ସରକାର ଦାୟୀ ରହିବେ। କୌଣସି ପ୍ରକାରର ପ୍ରକଳ୍ପ କରାଇ ଦିଆଯିବ ନାହିଁ।
ଭୁବନେଶ୍ବର ସାରା ଶହଶହ ଏକର ମୂଲ୍ୟବାନ ଜମି ଜବରଦଖଲ ହୋଇ ରହିଛି। କିଏ ମାଡ଼ିବସିଛନ୍ତି ତାହା କହିବାର ଆବଶ୍ୟକତା ନାହିଁ। ଏହାର ତାଲିକା ବିଜେଡି ସରକାର ଧରିବସିଥିଲେ। ଏବେ ଏହି ତାଲିକା ନୂଆ ସରକାରଙ୍କ ପାଖରେ ବି ଅଛି। ପ୍ରଥମେ ସରକାର ସେ ସବୁକୁ ମୁକ୍ତ କରି ବିକାଶ କରନ୍ତୁ। ବିଜେଡି ସରକାରଙ୍କ ରାସ୍ତାରେ ବିଜେପି ସରକାର ନଯାଆନ୍ତୁ ବୋଲି ସେ କହିଛନ୍ତି। ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖାଯାଇଛି। ପ୍ରତ୍ୟେକ ଜମି ମାଲିକଙ୍କୁ ଏଥିରେ ସାମିଲ୍ କରିବାକୁ ଯୋଜନା ହୋଇଛି ବୋଲି ସେ କହିଛନ୍ତି। ଅନ୍ୟପଟେ ବିଡିଏ କହିଛି, ବହୁଦିନ ଧରି ଜମି ପଡ଼ି ରହିଥିଲା। ସେ ସବୁର ଉନ୍ନତୀକରଣ କରାଯାଇ ମୌାଳିକ ସେବା ଯୋଗାଇ ଦିଆଯିବ। କାହା ଇଚ୍ଛା ବିରୋଧରେ ଜମି ନିଆଯାଇନି। ଜମିମାଲିକମାନେ ସ୍ବଇଚ୍ଛାରେ ଏହି ଯୋଜନାରେ ସାମିଲ ହୋଇଛନ୍ତି।