ଭୁବନେଶ୍ବର: କିଛି ଦିନର ନିରବତା ପରେ ପୁଣି ଚର୍ଚ୍ଚାକୁ ଆସିଛି ଠକଯୋଡ଼ି ହଂସିତା ଓ ଅନୀଲଙ୍କ ମାମଲା। ଏବେ ଆୟକର ବିଭାଗର ବେନାମୀ ୟୁନିଟ୍‌ ସେମାନଙ୍କ ଠକେଇ ପେଡ଼ି ଖୋଲିବାକୁ ଯାଉଛି। ସେମାନଙ୍କ ବେନାମୀ ସମ୍ପତ୍ତିକୁ ନିଶାଣ କରିଛି ଆୟକର ବିଭାଗ। ଦାମୀ ପୋର୍ସେ ଗାଡ଼ି ଓ ନାମୀ ସଂସ୍ଥାଠାରୁ କିଣାଯାଇଥିବା ଫ୍ଲାଟ୍‌ର ହିସାବପତ୍ରକୁ ନେଇ ଖୋଳତାଡ଼ କରିବ ଆୟକର ବିଭାଗର ବେନାମୀ ୟୁନିଟ୍‌। 

Advertisment

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ଝିଅ-ଜୋଇଁ ପରିଚୟ ଦେଇ ହଂସିତା ଓ ଅନୀଲ୍‌ ଠକେଇ କରିଥିଲେ। ବିଭିନ୍ନ କର୍ପୋରେଟ୍‌ ସଂସ୍ଥାର ସିଏସ୍‌ଆର୍‌ ପାଣ୍ଠି କରାଇବା ନାଁରେ କିଛି ସଂସ୍ଥାକୁ ଚୂନ ଲଗାଇବା ଓ ବ୍ଲାକ୍‌ମେଲ୍‌ କରିବା ଅଭିଯୋଗ ହେବା ପରେ ପୁଲିସ ସେମାନଙ୍କୁ ୨୦୨୪ ଡିସେମ୍ବର ୨୭ରେ ଗିରଫ କରିଥିଲା। ପରେ ଏହି ମାମଲାରେ ମୁଣ୍ଡ ପୂରାଇଥିଲା ଆୟକର ବିଭାଗ। ୩ ବର୍ଷ ଭିତରେ ସେମାନେ ପାଖାପାଖି ୧୦କୋଟି ଟଙ୍କାର ଆୟକର ଫାଙ୍କିଥିବା ଆକଳନ କରାଯାଇଥିଲା। ବିଭିନ୍ନ ସଂସ୍ଥା ନାଁରେ କର୍ପୋରେଟ୍‌ ସଂସ୍ଥାମାନଙ୍କ ସିଏସ୍‌ଆର୍‌ ଫଣ୍ଡ୍‌ ହାତେଇବା ପରେ ସେମାନେ ତଞ୍ଚକତା କରି ହଡ଼ପ କରିଥିବା ଜଣାପଡ଼ିଥିଲା। ଫଳରେ ମାତ୍ର ୩ ବର୍ଷ ଭିତରେ ସେମାନେ ପୋର୍ସେ, ଜାଗୁଆର୍‌ ମର୍ସିଡିଜ୍‌ ଭଳି ଗାଡ଼ି କିଣିବା ସହିତ ନାମୀ ରିୟଲ୍‌ ଇଷ୍ଟେଟ୍‌ ସଂସ୍ଥାରୁ ଫ୍ଲାଟ୍‌ କିଣିଥିଲେ।

ଆୟକର ବିଭାଗରୁ ମିଳିଥିବା ସୂଚନାନୁସାରେ ଫୋର୍ସେ ଗାଡ଼ି ଓ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ କିଣିଥିବା ଫ୍ଲାଟ୍‌ ପାଇଁ ସେମାନେ କେଉଁ ସୂତ୍ରରୁ ଅର୍ଥ ଯୋଗାଡ଼ କରିଥିଲେ, ତାହାର ହିସାବପତ୍ର ମିଳୁନାହିଁ। ହଂସିତା ଓ ଅନୀଲ୍‌ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି। ତେଣୁ ଖୁବ୍‌ ଶୀଘ୍ର ସେମାନଙ୍କୁ ନୋଟିସ୍‌ କରାଯିବ। ଏହାପରେ କୌଣସି ସନ୍ତୋଷଜନକ ଜବାବ ନ ମିଳିଲେ, ସେସବୁ ସମ୍ପତ୍ତିକୁ ଆଟାଚ୍‌ କରାଯାଇପାରେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଜାମିନରେ ଜେଲ୍‌ରୁ ମୁକୁଳିବା ପରେ ସେମାନେ ଜବତ ସମସ୍ତ ଗାଡ଼ିକୁ ରିଲଜ୍‌ କରାଇ ନେଇଛନ୍ତି। କିନ୍ତୁ କୌଣସି ଗାଡ଼ିକୁ ସେମାନେ ବିକ୍ରି କରିପାରିବେ ନାହିଁ ବୋଲି ଆୟକର ବିଭାଗ ପକ୍ଷରୁ ଆର୍‌ଟିଓଙ୍କୁ ଅବଗତ କରାଯାଇଛି।