ଭୁବନେଶ୍ବର: ପଳାସୁଣି ଛକରେ ଆଜି ପୁଣି ଗଡ଼ିଛି ମୁଣ୍ଡ। ଅପରାହ୍ନରେ ରାସ୍ତା ପାର ହେଉଥିବା ବେଳେ ଗଞ୍ଜାମ ପାଟପୁର ଅଞ୍ଚଳର ବୁଲା ସେଠୀ(୪୨)ଙ୍କ ଉପରେ ଟ୍ରକ୍ ଚଢ଼ି ଯାଇଛି। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେ ପଳାସୁଣି ମୁଣ୍ଡାସାହିରେ ରହୁଥିଲେ। ବୁଲାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଟ୍ରକକୁ ଜବତ କରି ଡ୍ରାଇଭରକୁ ଥାନାରେ ଅଟକ ରଖିଛି।
କେବଳ ଏହି ଘଟଣା ନୁହେଁ ଗତ ଜୁଲାଇ ୧୪ ତାରିଖ ଦିନ ଏଠାରେ ସିରିଜ ଦୁର୍ଘଟଣାରେ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ। ମେ’ ୮ ତାରିଖ ଦିନ ମଧ୍ୟ ରାସ୍ତା ପାରି ହେଉଥିବା ବେଳେ ଦମ୍ପତ୍ତିଙ୍କ ଉପରେ ଟ୍ରକ ଚଢ଼ିଯିବାରୁ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଏଭଳି ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୬୦ ଜଣଙ୍କ ଜୀବନ ଯାଇ ସାରିଲାଣି। ରାସ୍ତା ପାରି ହେବା ପାଇଁ ଏଠାରେ ଅଢ଼େଇ ମାସ ତଳୁ ଫୁଟ୍ ଓଭରବ୍ରିଜ୍ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ଏ ଯାବତ୍ ଏଠାରେ କେବଳ ଗାତ ଖୋଳାଯାଇଛି।
ଦୀର୍ଘ ଦିନ ଧରି ଏଠାରେ ଫୁଟ୍ ଓଭର ବ୍ରିଜ୍ ପାଇଁ ଦାବି ହେବା ପରେ ଗତ ଜୁଲାଇ ୧୯ରେ ଶିଳାନ୍ୟାସ ହୋଇଥିବା ବେଳେ ଗତ ୧୦ ଦିନ ତଳେ କାମ ଆରମ୍ଭ ହୋଇଛି। ତାହା ପୁଣି କେବଳ ଗାତ ଖୋଳି ଛାଡ଼ି ଦେଇଛନ୍ତି। ଦଶହରା ପାଇଁ କାମ ବନ୍ଦ ରହିଛି। ଏହି ରାଜପଥରେ ଯେଉଁ ୪ଟି ସ୍ଥାନକୁ ବ୍ଲାକ୍ସ୍ପଟ୍ ଚିହ୍ନଟ କରାଯାଇଛି ସେ ମଧ୍ୟରୁ ଏହି ପଳାସୁଣି ଛକ ଗୋଟିଏ। ଅନ୍ୟ ତିନିଟି ସ୍ଥାନ ମଧ୍ୟରୁ ସତ୍ସଙ୍ଗ ବିହାର, କ୍ରାଉନ୍ ହୋଟେଲ୍ ପାଖରେ ନିର୍ମାଣ ଶେଷ ହୋଇ ଯାଇଥିବା ବେଳେ ପାତ୍ରପଡ଼ା ସ୍ମୃତିବନ ନିକଟରେ କାମ ଜୋର୍ସୋର୍ରେ ଚାଲିଛି। ହେଲେ ଅଧିକାଂଶ ଦୁର୍ଘଟଣା ଘଟୁଥିବା ଏହି ପଳାସୁଣି ଛକରେ ହେଉଥିବା ବିଳମ୍ବ ପାଇଁ ମୁଣ୍ଡ ଗଡ଼ିବାରେ ଲାଗୁଥିବା ଅଭିଯୋଗ ହୋଇଛି।