କୁଷ୍ଠରୋଗୀଙ୍କ ଭତ୍ତା ୩ ହଜାର ଟଙ୍କା ପାଇଁ ହାଇକୋର୍ଟଙ୍କ ନିର୍ଦେଶ

ପୁରୀ, ଜଟଣୀ କୁଷ୍ଠ କଲୋନିର ଅବସ୍ଥା ନେଇ ଶୁଣାଣି

ଭୁବନେଶ୍ବର: ୫ଶହ ଟଙ୍କାର ମାସିକ ଭତ୍ତା ଏବଂ ୫ କେଜି ଚାଉଳ ଜଣେ କୁଷ୍ଠ ମୁକ୍ତ ବ୍ୟକ୍ତିଙ୍କ ଜୀବନ ଧାରଣ ପାଇଁ ଯଥେଷ୍ଟ ନୁହେଁ। ତେଣୁ ଏହାକୁ ମାସକୁ ୩ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ପୁରୀ ଏବଂ ଖୋର୍ଧା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ. ମୁରଲୀଧର। ବିଚାରପତି ଏ କେ ମହାପାତ୍ରଙ୍କ ଖଣ୍ଡପୀଠରେ ଏହା କୁହାଯାଇଛି। କୁଷ୍ଠ ରୋଗୀଙ୍କୁ ଏମଟିଏମରେ ଭତ୍ତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ହାଇକୋର୍ଟଙ୍କ ନିର୍ଦେଶରେ ଏକ ପ୍ରତିନିଧି ଦଳ ଗଠନ କରାଯାଇ କୁଷ୍ଠରୋଗୀଙ୍କ ସମ୍ପର୍କରେ ରିପୋର୍ଟ ଦାଖଲ କରାଯାଇଥିଲା। ଖୋର୍ଧା ଜିଲ୍ଲା ଜଟଣୀର ଧାରାବତୀ, ବାବୁଜୀ କୁଷ୍ଠ କଲୋନି, ପୁରୀ ଜିଲ୍ଲାର ଜୀବରାମଜୀ ଏବଂ ସଞ୍ଜୟଜୀ କୁଷ୍ଠ କଲୋନି ଅବସ୍ଥା ନେଇ ଦାଖଲ ରିପୋର୍ଟ ଆଧାରରେ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଖୋର୍ଧା, ପୁରୀ ଜିଲ୍ଲାପାଳ, ସିଡିଏମଓଙ୍କୁ ଉପସ୍ଥିତ ହେବାକୁ କୁହାଯାଇଥିଲା। ଉଭୟ କଲୋନିରେ ପରିମଳ, ସ୍ବାସ୍ଥ୍ୟ ଅବସ୍ଥା ବିପର୍ଯ୍ୟୟ ଏବଂ କୁଷ୍ଠରୋଗୀଙ୍କୁ ସ୍ବତନ୍ତ୍ର ଜୋତା ବଣ୍ଟନ ହୋଇନଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଥିଲା।

ଏହାକୁ ଆଧାର କରି ଖୋର୍ଧା ଜିଲ୍ଲାପାଳ, ପୁରୀ ସିଡିଏମଓ ଅଦାଲତରେ ହାଜର ହୋଇଥିଲେ। ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ପକ୍ଷରୁ ଧାରାବତୀ କୁଷ୍ଠ କଲୋନିର ୪ ଜଣ କୁଷ୍ଠରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ସେମାନଙ୍କୁ ଏମ୍ସ ଭୁବନେଶ୍ବରରେ ଭର୍ତ୍ତି କରିବାକୁ ନିର୍ଦେଶ ଦିଆଯାଇଥିଲା। କୁଷ୍ଠରୋଗୀଙ୍କ ପାଇଁ ଗଠିତ ସବ୍‌କମିଟି ସମସ୍ତ କୁଷ୍ଠ କଲୋନି ପରିଦର୍ଶନ କରିବା ସହିତ ଏ ସଂକ୍ରାନ୍ତରେ ଫଟୋ ଚିତ୍ର ଉଚ୍ଚନ୍ୟାୟାଳୟରେ ଦାଖଲ କରିବେ। ଏଥିସହିତ ପାରାମେଡିକାଲ ସ୍ବାସ୍ଥ୍ୟକର୍ମୀଙ୍କ ସମ୍ପର୍କରେ ସତ୍ୟପାଠ ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସ୍ବାସ୍ଥ୍ୟ ଶାସନ ସଚିବ ଦାଖଲ କରି ନାହାନ୍ତି। ସେମାନଙ୍କୁ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି। ପୂର୍ବତଟ ରେଳବାଇକୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି। କୁଷ୍ଠ କଲୋନି ଅଧିବାସୀଙ୍କ ଘର ଏବଂ ଶୌଚାଳୟ ନିର୍ମାଣରେ ପୂର୍ବତଟ ରେଳବାଇ କୌଣସି ଅସୁବିଧା ସୃଷ୍ଟି ନକରିବାକୁ କୁହାଯାଇଛି। ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରି ୫ ତାରିଖରେ ହେବ।

ସମ୍ବନ୍ଧିତ ଖବର