ଗର୍ଭପାତ ପାଇଁ ଆବେଦନ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ, କମିଟି କରିବ ସ୍ବାସ୍ଥ୍ୟ ପରୀକ୍ଷା

କଟକ: ଅନିଚ୍ଛା ସତ୍ବେ ଗର୍ଭବତୀ ହୋଇଥିବା ନାବାଳିକାଙ୍କ ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ, ଏସସିବି ମେଡିକାଲ କଲେଜର ଭେଷଜ ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ରୋଗ ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟମାନଙ୍କ ସହିତ ଜଣେ ମନସ୍ତତ୍ବବିତ୍, ଜଣେ ନିଶ୍ଚେତକ ବିଶେଷଜ୍ଞ ଓ ଜଣେ ରେଡିଓଲୋଜିଷ୍ଟଙ୍କୁ ନେଇ ଏହି କମିଟି ଗଠନ ହେବ।

କମିଟିରେ ଥିବା ଡାକ୍ତରମାନେ ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବେ। ପୀଡ଼ିତାଙ୍କ ମାନସିକ ଓ ଶାରୀରିକ ଅବସ୍ଥାକୁ ଦୃଷ୍ଟିରେ ରଖି ଗର୍ଭଧାରଣ ଜାରି ବାଞ୍ଛନୀୟ ବା ନୁହେଁ ସେ ନେଇ ରିପୋର୍ଟରେ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର କମିଟି ପୀଡିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ତାଙ୍କ ସହିତ ଆଲୋଚନା କରିବେ ଓ ଏ ସଂପର୍କିତ ରିପୋର୍ଟ ଆଡଭୋକେଟ ଜେନେରାଲଙ୍କ କାର୍ଯ୍ୟାଳୟ ଜରିଆରେ ଦାଖଲ କରିବେ ଏବଂ ରିପୋର୍ଟ ଡିସେମ୍ବର ୧୪ରେ ହାଇକୋର୍ଟରେ ଉପସ୍ଥାପନ କରାଯିବ। ଜଷ୍ଟିସ ଏସ.କେ.ମିଶ୍ର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର