ଭୁବନେଶ୍ବର: ଟ୍ରାଞ୍ଜିଟ୍ ଷ୍ଟେସନ୍ ଏବେ ଡମ୍ପିଂୟାର୍ଡ। ଭୁଆସୁଣୀ ଡମ୍ପିଂୟାର୍ଡକୁ ଆବର୍ଜନା ବୋହିବା ବନ୍ଦ ହୋଇଯିବା ପରେ ଗାଡ଼କଣରେ ଥିବା ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନ(ଟିଟିଏସ୍)ରୁ ଆବର୍ଜନା ଆଉ କେଉଁଠିକୁ ‘ଟ୍ରାଞ୍ଜିଟ୍’ ହେଉନାହିଁ। ସେଠାରେ ହିଁ ଗଦା ହୋଇ ରହୁଛି। ସାଧାରଣ ଜନଜୀବନ ପ୍ରଭାବିତ ହେବା ଯୋଗୁ ସହର ମଝିରେ ଡମ୍ପିଂୟାର୍ଡ ନ କରିବା ପାଇଁ ଯୋଜନା କରି ଉପକଣ୍ଠ ଦାରୁଠେଙ୍ଗ ପଞ୍ଚାୟତରେ ଥିବା ଭୁଆସୁଣୀରେ ଆବର୍ଜନା ଗଦା କରାଯାଉଥିଲା। ସହରଠାରୁ ୨୦ କିଲୋମିଟର ଦୂର ହୋଇଥିବାରୁ ଟିଟିଏସ୍ରେ ସହରର ସମସ୍ତ ଆବର୍ଜନା ଅସ୍ଥାୟୀ ଭାବେ ଗଦା ହେବା ପରେ ଏଠାରୁ ଭୁଆସୁଣୀ ନିଆଯାଉଥିଲା। ଏଠାରେ ଗୋଟିଏ ଟ୍ରିପ୍ ଆବର୍ଜନା ଦିନଟିଏ ରହିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏବେ ଆବର୍ଜନା ପାହାଡ଼ ଭଳି ଗଦା ହୋଇଛି। ସହରରୁ ଦୈନିକ ବାହାରୁଥିବା ଆବର୍ଜନା ଶତପ୍ରତିଶତ ପରିଚାଳନା କରିବାକୁ ଏମ୍ସିସି/ଏମ୍ଆରଏଫ୍ ସକ୍ଷମ ନଥିବାରୁ ଟିଟିଏସ୍ରେ ଆବର୍ଜନା ବଢ଼ିବାରେ ଲାଗିଛି। ବର୍ଷା ଦିନ ହୋଇଥିବାରୁ ଆବଜର୍ନା ପାଣିରେ ବୁଡ଼ି ରହୁଥିବାରୁ ଭୂତଳ ଜଳ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳ ଗନ୍ଧରେ ଫାଟି ପଡ଼ୁଥିବା ବେଳେ ବିଭିନ୍ନ ରୋଗ ଆଶଙ୍କା ସୃଷ୍ଟି ହୋଇଛି। ଠିକ୍ ଭୁଆସୁଣୀ ଡମ୍ପିଂୟାର୍ଡ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେଠାରେ ଯେମିତି ବିରୋଧ ହେଉଥିଲା, ଏଠାରେ ମଧ୍ୟ ବିରୋଧ ହେବା ଆରମ୍ଭ ହୋଇଛି। ସ୍ଥାନୀୟ ଅଞ୍ଚଳର ଏକାଧିକ ଗାଁକୁ ନେଇ କମିଟି ଗଠନ କରାଯାଇଛି। ପୂର୍ବରୁ କମିସନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି। ଏଠାରୁ ଟିଟିଏସ୍ ହଟାଇବା କମିଟିର ପ୍ରମୁଖ ଦାବି ରହିଛି। ଏବେଠୁ ସମସ୍ୟାର ସମାଧାନ ନ କଲେ, ଆଗକୁ ଭୟଙ୍କର ସମସ୍ୟା ହେବା ଥୟ ହୋଇଛି।
ବଢ଼ୁଛି ଅସନ୍ତୋଷ, ବିଏମ୍ସି ନିଦାବିଷ୍ଣୁ
ୱିଣ୍ଡ୍ରୋସ୍ ପଦ୍ଧତିରେ ପରିଚାଳନା ହେବ ଆବର୍ଜନା: ବିଏମ୍ସି
ଟିଟିଏସ୍ ନ ହଟିଲେ ଆନ୍ଦୋଳନ
ଟିଟିଏସ୍ରେ ଆବର୍ଜନା ରହୁ ନଥିଲା ବା ଯେତିକି ରହୁଥିଲା, ତାହା ଜନଜୀବନକୁ ପ୍ରଭାବିତ କରୁନଥିଲା। କିନ୍ତୁ ଭୁଆସୁଣୀରେ ଆବର୍ଜନାକୁ ସ୍ଥାନୀୟ ଲୋକେ ଆବର୍ଜନା ଗଦା ହେବା ଦିନଠାରୁ ବିରୋଧ କରି ଆସୁଥିଲେ। ଏଣେ ଏକାଧିକବାର ଗାଡ଼ି ଦୁର୍ଘଟଣା ଯୋଗୁଁ ସାଧାରଣ ଲୋକଙ୍କର ମୃତ୍ୟୁ ହେବାରୁ ଭୟଙ୍କର ପରିସ୍ଥିତି ଉପୁଜିଥିଲା। ପଞ୍ଚାୟତବାସୀ ଏକାଠି ହୋଇ ଭୁଆସୁଣୀକୁ ଆବର୍ଜନା ବୋହିବା ବନ୍ଦ କରିଦେଇଥିଲେ। ଶେଷଥର ପାଇଁ ଗତବର୍ଷ ଅଗଷ୍ଟ ୮ ତାରିଖରେ ଭୁଆସୁଣୀକୁ ଆବର୍ଜନା ବୋହିବା ବନ୍ଦ ହୋଇଥିଲା। ଏଣେ ସହରରେ ଥିବା ଏମ୍ଆରଏଫ୍ ଆବର୍ଜନା ପରିଚାଳନା କରିବା ସକ୍ଷମ ନଥିବାରୁ ପ୍ରଥମଥର ପାଇଁ ଟିଟିଏସ୍ ପୂର୍ଣ୍ଣ ହୋଇଯାଇଥିଲା। ଏଥିରେ ଅଧିକ ଆବର୍ଜନା ଜମା କରିବା ପାଇଁ ବିଏମ୍ସି ଏହାର ପାଚେରି ଉଚ୍ଚା କରି ଆବର୍ଜନା ଗଦା କରୁଥିଲା। ଶେଷରେ ଗତ ମେ’ ମାସରେ ଭୁଆସୁଣୀକୁ ଆବର୍ଜନା ବୋହିବା ବନ୍ଦ କରି ଦିଆଯାଇଥିଲା। ଧାର୍ଯ୍ୟ ସମୟ ପୂର୍ବରୁ ଆବର୍ଜନା ବୋହିବା ବନ୍ଦ କରି ବିଏମ୍ସି ବାହାବା ନେଇଥିଲା। ହେଲେ ଏଣେ କିନ୍ତୁ ଘର ବୁଡ଼ି ପାଣି ଆଣ୍ଠୁଏ ପରିସ୍ଥିତି। ଶତପ୍ରତିଶତ ଆବର୍ଜନା ପରିଚାଳନା ପାଇଁ ନଥିବାରୁ ସମସ୍ୟା ବଢ଼ି ଚାଲିଥିଲା। ଏବେ ବର୍ଷା ଦିନ ହୋଇଥିବାରୁ ଆବର୍ଜନାରୁ ନିଗିଡ଼ୁଥିବା ପାଣି ରାସ୍ତାକୁ ଚାଲିଆସୁଛି। ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିବାରୁ ସ୍ଥାନୀୟ ଲୋକଙ୍କ ବିରୋଧ ବଢ଼ିବାରେ ଲାଗିଛି। ଭୁଆସୁଣୀକୁ ସମୟ ପୂର୍ବରୁ ଆବର୍ଜନା ବୋହିବା ବନ୍ଦ କରି ବାହାବା ନେବା ଏବେ ବିଏମ୍ସିକୁ ବୁମେରାଂ ହେବାକୁ ଯାଉଛି।
ସୂଚନା ମୁତାବକ, ପୂର୍ବରୁ ଯେତିକି ଆବର୍ଜନା ବାହାରୁଥିଲା, ଏବେ ଏହାର ପରିମାଣ ବଢ଼ିଛି। ସହରରୁ ଦୈନିକ ବାହାରୁଥିବା ଆବର୍ଜନାକୁ ଆଧାର କରି ୬୭ଟି ୱାର୍ଡରେ ୪୧ଟି ଏମ୍ସିସି ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏଥିରେ ସଫଳ ହୋଇପାରିନାହିଁ ବିଏମ୍ସି। ୪୧ରୁ ଅଦ୍ୟାବଧି ୩୭ଟି କାର୍ଯ୍ୟକ୍ଷମ ହୋଇଛି। ସହରରୁ ପୂର୍ବରୁ ଦୈନିକ ୫ଶହ ଟନ୍ ଆବର୍ଜନା ବାହାରୁଥିବା ବେଳେ ଏବେ ୬ଶହ ଟନ୍ରୁ ଅଧିକ ବାହାରୁଛି। କିଛି ଏମ୍ସିସିରେ ପରିଚଳନା ହେଉଥିବା ବେଳେ ଅଧିକ ଟିଟିଏସ୍ରେ ଗଦା ହୋଇ ରହୁଛି ଏବଂ ଦିନକୁ ଦିନ ପରିମାଣ ବଢ଼ି ବଢ଼ି ଚାଲିଛି। ଯେଉଁ ସବୁ ମେଗା ଏମ୍ସିସି କରି ଆବର୍ଜନା ପରିଚାଳନା ଯୋଜନା ହୋଇଥିଲା, ତାହା ମଧ୍ୟ ସକ୍ଷମ ହୋଇ ନଥିବାରୁ ଭୟଙ୍କର ପରିସ୍ଥିତି ଉପୁଜିଛି। କିନ୍ତୁ ବିଏମ୍ସି ଦାବି କରୁଛି ଯେ ସହରରୁ ବାହାରୁଥିବା ଅଳିଆର ୭୫% ପରିଚାଳନା ହୋଇଯାଉଛି।
ନିକଟ ଅତୀତରେ ସିପିଆଇ ଓ ବିକେଏମ୍ ପକ୍ଷରୁ ଏହି ଅଞ୍ଚଳରେ ପଦଯାତ୍ରା କରାଯାଇ ଜନମତ ସଂଗ୍ରହ କରାଯାଇଥିଲା। ଟିଟିଏସ୍ ହଟାଇବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା। ଏନେଇ ବିଏମ୍ସି କମିସନରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ବିକେଏମ୍ର ରାଜ୍ୟ ସମ୍ପାଦକ ତଥା ସିପିଆଇର ଭୁବନେଶ୍ବର ଜୋନ୍ ସମ୍ପାଦକ ସୁର ଜେନା ଓ ବିକେଏମ୍ ରାଜ୍ୟ ସହ-ସମ୍ପାଦକ ତଥା ସିପିଆଇ ଗାଡ଼କଣ ଶାଖା ସମ୍ପାଦକ ଶଙ୍କର ବାରିକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭ ପରେ ବିଏମ୍ସିରେ ବୈଠକ ମଧ୍ୟ ବସିଥିଲା। ୭ ଦିନ ଭିତରେ ଟିଟିଏସ୍ ସମସ୍ୟା ସମାଧାନ କରିବାକୁ ଦାବି ହୋଇଥିଲା। କିନ୍ତୁ ବିଏମ୍ସି ପାଖରେ ବିକଳ୍ପ ନଥିବାରୁ ନିକଟ ଭବିଷ୍ୟତରେ ମଧ୍ୟ ଦାବି ପୂରଣ ହେବା ଭଳି ଆଶା ନଥିବା ସ୍ପଷ୍ଟ ହୋଇଥିଲା। ତେବେ ବିଏମ୍ସି କହିଛି, ଦିନକୁ ୨ଶହ ଟନ୍ ଆବର୍ଜନା ୱିଣ୍ଡ୍ରୋସ୍ ପଦ୍ଧତିରେ ପରିଚାଳନା ପାଇଁ ଠିକା ଦିଆଯାଇଛି। ମେଗା ଏମ୍ସିସି ନିର୍ମାଣ ମଧ୍ୟ ଚାଲିଛି। ଏଣୁ ଆଗକୁ ସମସ୍ୟା ହେବ ନାହିଁ ବୋଲି ବିଏମ୍ସି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/546sf54hshfhsffhs.jpg)