ହିମାଳୟ ଭାଲୁ ‘କୁଲୁ’ ଅସୁସ୍ଥ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୭ ନମ୍ବର ଖୁଆଡ଼ରେ ରହୁଥିବା ହିମାଳୟ ମାଈ ଭାଲୁ ‘କୁଲୁ’ ଅସୁସ୍ଥ ହୋଇ ପଡ଼ିଛି। ସେ ଗତ ପ୍ରାୟ ଏକ ବର୍ଷ ହେବ ଶ୍ବାସଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛି। ୨୫ ବର୍ଷିୟା ଏହି ଭାଲୁଟି ପରିଣତ ବୟସରେ ପହଞ୍ଚି ସାରିଥିବାରୁ ତାର ଅସୁସ୍ଥତା ଲାଗି ରହୁଛି ବୋଲି ଅନୁମାନ କରାଯାଉଛି। ଏବେ ସେ ତା ଖୁଆଡ଼ରେ ଏକାକୀ ଖାଦ୍ୟ ଗ୍ରହଣ କକ୍ଷରେ ପଡ଼ି ରହିଛି ଓ ମଝି‌ରେ ମଝିରେ ଗଁ ଗଁ ହେଉଛି। ତେଣୁ ତାକୁ ଆମ୍ପିସିଲିନ୍ ଟୀକା ଦିଆଯାଇଛି ଓ ଆବଶ୍ୟକ ଚିକିତ୍ସା କରାଯାଉଛି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ନନ୍ଦନକାନନରେ ଥିବା ହିମାଳୟ କଳା ଭାଲୁଙ୍କ ମଧ୍ୟରେ କୁଲୁ ହିଁ ଏକ ମାତ୍ର ମା’ ଭାଲୁ। ତାକୁ ବାଦ୍‌ ଦେଲେ ଅନ୍ୟ କୌଣସି ମାଈ ଭାଲୁ ପ୍ରଜନନ କ୍ଷମତା ହାସଲ କରିନାହାନ୍ତି। ତେଣୁ ସେ ଅସୁସ୍ଥ ହୋଇ ପଡ଼ିଥିବାରୁ ହିମାଳୟ କଳା ଭାଲୁ ବଂଶ ବୃଦ୍ଧି ପ୍ରତି ସଂକଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ସୂଚନାଯୋଗ୍ୟ ଯେ କୁଲୁ ଗତ ୧୯୯୫ ମସିହା ଡିସେମ୍ବର ୨୬ରେ ନନ୍ଦନକାନନରେ ଜନ୍ମଲାଭ କରିଥିଲା। ବର୍ତ୍ତମାନ ନନ୍ଦନକାନନରେ ଏହି ପ୍ରଜାତିର ମୋଟ୍‌ ୬ଟି ଭାଲୁ ଅଛନ୍ତି।

ସମ୍ବନ୍ଧିତ ଖବର