ଭୁବନେଶ୍ୱର: କଳିଙ୍ଗର ଇତିହାସ ବୀରତ୍ୱ ଗାଥାରେ ପରିପୂର୍ଣ୍ଣ। ସାତଦରିଆ ପାରିରେ ନୌବାଣିଜ୍ୟ ହେଉ କି ଯୁଦ୍ଧଭୂମି ହେଉ, କଳା ହେଉ କି ସ୍ଥାପତ୍ୟ ହେଉ, କଳିଙ୍ଗର ଇତିହାସ ସବୁଦୃଷ୍ଟିରୁ ସମୃଦ୍ଧ। ମାତ୍ର କଳିଙ୍ଗ ବୀରମାନଙ୍କର ବହୁ ବିଜୟର ଗାଥା ବର୍ତ୍ତମାନର ଯୁବପିଢ଼ିଙ୍କ ନିକଟରେ ପହଞ୍ଚିପାରିନାହିଁ। ତେଣୁ କଳିଙ୍ଗ ଇତିହାସକୁ ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ ହେବା ଆବଶ୍ୟକ। ପୂର୍ବତନ ପ୍ରଶାସନିକ ଅଧିକାରୀ ଦୁର୍ଗାଚରଣ ସାହୁଙ୍କ ରଚିତ ପୁସ୍ତକ ‘କାବ୍ୟ କୌଣ୍ଡିନ୍ୟ’ର ଉନ୍ମୋଚନ ଉତ୍ସବର ଅତିଥିମାନେ ଏଭଳି ମତ ରଖିଛନ୍ତି।
ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ କଳିଙ୍ଗର ଗୌରବମୟ ଅତୀତକୁ ଜାଣିବାକୁ ହେବ। ଓଡ଼ିଶାର ଅତୀତ ଜାଣିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିବିଶେଷଙ୍କୁ ପୁସ୍ତକ ‘କାବ୍ୟ କୌଣ୍ଡିନ୍ୟ’ ସହାୟକ ହେବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଐତିହାସିକ ନିହାର ରଞ୍ଜନ ପଟ୍ଟନାୟକ, କଳିଙ୍ଗର ସାଧବ ପୁଅମାନଙ୍କ ଦରିଆପାରି ବାଣିଜ୍ୟ ଉପରେ କହିଥିଲେ। ଜାଭା, ସୁମାତ୍ରା ଓ ବାଲିରେ କଳିଙ୍ଗର ନୃତ୍ୟ, ସଙ୍ଗୀତ, ଭାଷାର ଛାପ ଆଜି ବି ଦେଖିବାକୁ ମିଳୁଛି। କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଲେଖିକା ଲୋପାମୁଦ୍ରା ମହାନ୍ତି କହିଲେ ଯେ ଓଡ଼ିଆ ଭାଷାରେ ସମ୍ପ୍ରତି କାବ୍ୟ କବିତା ମରିଯାଉଛି। ତାହାକୁ ବଞ୍ଚାଇବାରେ ଏହି ପୁସ୍ତକ ସହାୟକ ହେବ ବୋଲି କହିଥିଲେ। ବିଶେଷକରି ଦ୍ୱି-ପଦ ଛନ୍ଦ କବିତାର ପ୍ରସାରରେ ଏହି ପୁସ୍ତକ ସହାୟକ ହେବ ବୋଲି ସେ କହିଥିଲେ।
ପ୍ରକାଶକ ଅମରେନ୍ଦ୍ର ମହାପାତ୍ର ମଧ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ଲେଖକ ଶ୍ରୀ ସାହୁ ତାଙ୍କ ଅଭିବ୍ୟକ୍ତିରେ କହିଥିଲେ ଯେ ଓଡ଼ିଶାର ଗଞ୍ଜାମରୁ ଯାଇ ବୀର କୌଣ୍ଡିନ୍ୟ କମ୍ବୁଜର ରାଜା ହୋଇଥିଲେ। ତାଙ୍କ ବୀରତ୍ୱର ଯାତ୍ରା ଏହି ପୁସ୍ତକରେ କାବ୍ୟ ମାଧ୍ୟମରେ ବର୍ଣ୍ଣନା କରାଯାଇଛି। ସଭାପତି ଶ୍ରୀ ଶତପଥୀ ନିଜ ଅଭିଭାଷଣରେ କହିଥିଲେ ଯେ ଇତିହାସକୁ ସମସ୍ତେ ଜାଣିବା ଆବଶ୍ୟକ ଏବଂ ଇତିହାସର ଶିକ୍ଷଣୀୟ କଥାକୁ କାର୍ଯ୍ୟରେ ଲଗାଇବା ଉଚିତ। ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଚାଳନ କରିଥିଲେ ଏବଂ ଅଦ୍ୱିତୀୟ ଶତପଥୀ ଧନ୍ୟବାଦ ଦେଇଥିଲେ।