୨୫ରେ ପହଞ୍ଚିବ ହକି ବିଶ୍ବକପ୍‌ ଟ୍ରଫି

ପଥୋତ୍ସବରେ ଟ୍ୟାଲେଣ୍ଟ ହଣ୍ଟ, ୨୪ରେ ହେବ ଗଣ ସଫେଇ

ଭୁବନେଶ୍ବର: ଆସନ୍ତା ୨୫ ତାରିଖରେ ବିଶ୍ବକପ୍‌ ହକି ଟ୍ରଫି ଭୁବନେଶ୍ବରରେ ପହଞ୍ଚିବ। ଏହାକୁ ସ୍ବାଗତ କରିବାକୁ ବିଏମ୍‌ସି ଜୋରଦାର୍‌ ପ୍ରସ୍ତୁତି କରିଛି। ବିମାନବନ୍ଦରରେ ଟ୍ରଫି ପହଞ୍ଚିବା ପରେ ଯୋଡ଼ି ଶଙ୍ଖ ଓ ଓଡ଼ିଶୀ ନାଚ ସହ ଏହାକୁ ସ୍ବାଗତ କରାଯିବ। ଶୋଭାଯାତ୍ରାରେ ସେଠାରୁ ଟ୍ରଫିକୁ ଲିଙ୍ଗରାଜ ମନ୍ଦିର ନିଆଯିବ। ସେଠାରେ ଦୀପଦାନ ସହ ମନ୍ତ୍ରପାଠ କରାଯିବ। ସେଠାରୁ ଟ୍ରଫି ଏସ୍‌ପ୍ଲାନେଡ୍‌ ଅଣାଯିବ। ସେଠାରେ ମଧ୍ୟ ସ୍ବାଗତ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେଠାରୁ ଜୟଦେବବିହାର ଛକ ଦେଇ ଟ୍ରଫିକୁ କିଟ୍‌ ପରିସରକୁ ନିଆଯିବ।

ଅନ୍ୟପଟେ ଏହି ମୁହୂର୍ତ୍ତକୁ ଜୀବନ୍ତ କରିବା ପାଇଁ ସକାଳୁ ପଥୋତ୍ସବ ଆୟୋଜନ‌ ହେବ। ଏଥିପାଇଁ ପ୍ରସ୍ତୁତି ଶେ‌ଷ ହୋଇଛି। ଗତ ରାତିରେ ବସିଥିବା ଏକ ପ୍ରସ୍ତୁତି ବୈଠକରେ ପଥୋତ୍ସବରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ଇଭେଣ୍ଟଗୁଡ଼ିକ ଚୂଡ଼ାନ୍ତ ହୋଇଛି। ଜାନୁଆରି ୧୫ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ୨୫ ତାରିଖରେ ମାଷ୍ଟର କ୍ୟାଣ୍ଟିନ୍‌ରୁ ରାମମନ୍ଦିର ପର୍ଯ୍ୟନ୍ତ ଓ ଅନ୍ୟ ଦୁଇଟି ଅନ୍ୟ ଜାଗାରେ ହେବ। ଜନପଥରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବକୁ ପୂର୍ବଥର ଭଳି ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥା ପ୍ରିଲ୍ୟୁଡ୍‌ ଆୟୋଜନ କରିବ। ଏଥି‌ରେ ଦୁଇଟି ମଞ୍ଚ ରହିବ। ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ମୁଖ୍ୟ ଓ ଅନ୍ୟ ଏକ ମଞ୍ଚ ରାମମନ୍ଦିର ସାମ୍ନାରେ ରହିବ। ଏଥର ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଥିବା ବିଭିନ୍ନ ଲୁକ୍କାୟିତ ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ ପ୍ରୟାସ କରାଯିବ। ଯାହା ପାଖରେ ଯେ କୌଣସି ପ୍ରକାରର ଟ୍ୟାଲେଣ୍ଟ ଅଛି ତାହାକୁ ଉପସ୍ଥାପନ କରିବାକୁ ଏଥର ରାହାଗିରି ମଞ୍ଚ ଯୋଗାଇ ଦେବ। ଏଥିପାଇଁ କର୍ପୋରରେଟରମାନେ ଦାୟିତ୍ବ ନେଇଛନ୍ତି। ନିଜ ନିଜ ଅଞ୍ଚଳର ଲୁକ୍କାୟିତ ପ୍ରତିଭା ଖୋଜି ସେମାନେ ସାମ୍ନାକୁ ଆଣିବେ। ଆଜି କର୍ପୋରେଟରମାନଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହା ବାଦ୍‌ ଯୁବପିଢ଼ିଙ୍କ ମଧ୍ୟରେ ଆଦୃତି ଲାଭ କରିଥିବା ଟାଟୁ ମଧ୍ୟ ପ୍ରମୁଖ ଆକର୍ଷଣ ହେବ। ପୂର୍ବରୁ ରହିଥିବା ସମସ୍ତ ଇଭେଣ୍ଟ ଯଥା, ଯୋଗ, ସ୍ୱାସ୍ଥ୍ୟ ପରୀକ୍ଷା, ଲାଇଭ୍ ପେଣ୍ଟିଂ, ସଙ୍ଗୀତ, ସାଂସ୍କୃତିକ ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଆ ପ୍ରସିଦ୍ଧ କଳାକାର ପଥୋତ୍ସବ ମଞ୍ଚରେ କାର୍ଯ୍ୟକ୍ରମ ପରିବେଷଣ କରିବେ।

ଏହା ପୂର୍ବରୁ ଅର୍ଥାତ୍‌ ୨୪ରେ ଏକ ଗଣ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ଏକ ଏସ୍‌ଓପି ଜାରି ହୋଇଛି। ପ୍ରତ୍ୟେକ ୱାର୍ଡରେ ଗୋଟିଏ ସମୟ ଅର୍ଥାତ୍‌ ୬ଟା ୪୫ରୁ ସଫେଇ ଆରମ୍ଭ ହୋଇ ୯ଟାରେ ଶେଷ ହେବ। ସମ୍ପୃକ୍ତ ଜେଡ୍‌ଡିସିମାନଙ୍କ ତତ୍ତ୍ବାବଧାନରେ ଏହି ସଫେଇ କରାଯିବ। ସେମାନେ ସେହି ଅଞ୍ଚଳର ସଚେତନ ନାଗରିକ, ଆବାସିକ କଲ୍ୟାଣ ସଂଘ, ବ୍ୟବସାୟୀ ସଂଘ, ହୋଟେଲ ଆସୋସିଏସନ, ବସ୍ତି ଉନ୍ନୟନ ସଂଘ ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କର ଭାଗିଦାରୀ ନିଶ୍ଚିତ କରିବେ। ସଫେଇ ପୂର୍ବରୁ ଆବର୍ଜନା ଜମି ହୋଇଥିବା ଜାଗା ଚିହ୍ନଟ କରିବେ। ସଫେଇ ପାଇଁ ଆବଶ୍ୟକ ହେଉଥିବା ଝାଡ଼ୁ, ଜ୍ୟାକେଟ୍‌, ଗ୍ଲୋଭ୍‌ସ୍‌, ଠେଲାଗାଡ଼ି, ଅଳିଆ ବୁହା ଗାଡ଼ି ବ୍ୟବସ୍ଥା କରିବେ। ସଫେଇ ସ୍ଥଳରେ ବସିବା ପାଇଁ ବ୍ୟବସ୍ଥା ହେବ। ସେଠାରେ ‘ସଫା ଦିଦି’ ଓ ‘ସଫା ଭାଇ’ଙ୍କୁ ସମ୍ବର୍ଦ୍ଧିତ କରାଯିବ। ସମ୍ପୃକ୍ତ ୱାର୍ଡର ପ୍ରତ୍ୟେକ କର୍ପୋରେଟର ଏଥିରେ ଉପସ୍ଥିତ ରହିବେ। ତା’ ସହିତ ଯେଉଁମାନେ ନିଜ ନିଜ ଅଞ୍ଚଳକୁ ୫ ମିଟର ପର୍ଯ୍ୟନ୍ତ ସଫା ରଖୁଛନ୍ତି ସେମାନଙ୍କୁ ଯଥା, ସାଧାରଣ ଲୋକ, ବ୍ୟବସାୟୀ, ଆବାସିକ କଲ୍ୟାଣ ସଂଘମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରତି ୱାର୍ଡରେ ୧୦ ହଜାର ଟଙ୍କା ଖର୍ଚ୍ଚ କରାଯିବାକୁ ବ୍ୟୟବରାଦ କରାଯାଇଛି।

ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଡେପୁଟି ମେୟର ମେୟର ମଞ୍ଜୁଲତା କହଁରଙ୍କ ସମେତ ସମସ୍ତ କର୍ପୋରେଟର, କମିସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର