ଭୁବନେଶ୍ୱର: ରଜ ପାଇଁ ରାଜଧାନୀ ବଜାର ସରଗରମ ହୋଇପଡ଼ିଛି। ପ୍ରବଳ ଖରା ଗୁଳୁଗୁଳି ଦିନବେଳା ବେପାରକୁ କିଛି ମାତ୍ରାରେ ପ୍ରଭାବିତ କରିଥିବା ବେଳେ ଅପରାହ୍ନ ୪ଟା ପରଠାରୁ ବେପାର ଜମୁଛି। ରଜ କିପରି ଖେଳକୁଦ ଓ ମଉଜ ମଜଲିସ୍ରେ କଟିବ, ସେଥିପାଇଁ ସମସ୍ତେ ପ୍ରସ୍ତୁତ ହୋଇପଡ଼ୁଛନ୍ତି। ବିଶେଷ କରି ଆଜି ରବିବାର ଥିବାରୁ ମାର୍କେଟ୍ ବିଲ୍ଡିଂ ଠାରୁ ଜନପଥ ଯାଏ, ପ୍ରିୟଦର୍ଶିନୀ ମାର୍କେଟ, ଇନ୍ଦ୍ରଧନୁ ମାର୍କେଟ ଠାରୁ ଆରମ୍ଭ କରି ସବୁ ମଲ୍ରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି।
ସବୁଆଡ଼େ ଚାଲିଛି ଅଫର୍
ରଜ ପାଇଁ ପ୍ରାୟ ୧୫ଦିନ ଆଗରୁ ଆରମ୍ଭ ହୋଇଯାଇଛି ଅଫର୍ ଧମାକା। କେଉଁଠି ‘ସ୍ୱିଙ୍ଗ୍ ଵିଥ୍ ଷ୍ଟାଇଲ’ ତ କେଉଁଠି ‘ରଜ ଧମାକା ଅଫର୍ ସେଲ୍’। ଏପରିକି କିଛି ମଲ୍ ଆଗରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଛୋଟ ଦୋଳିକୁ ସଜେଇ ରଖାଯାଇଛି। ସେହିଭଳି ବାଏ ୱାନ୍ ଗେଟ୍ ୱାନ୍ ଫ୍ରି ଠାରୁ ଆରମ୍ଭ କରି ୫୦ ପ୍ରତିଶତରୁ ଅଧିକ ରିହାତି ଓ ଲକି ଡ୍ର ଉଠାଣର ବ୍ୟବସ୍ଥା ପର୍ଯ୍ୟନ୍ତ, ସବୁକିଛି ରଜ ବଜାରକୁ ସରଗରମ କରୁଛି। ଏଥନିକ୍ ରେଞ୍ଜରୁ ୱେଷ୍ଟର୍ନ କଲେକ୍ସନ ପର୍ଯ୍ୟନ୍ତ, ସବୁଥିରେ ଆକର୍ଷଣୀୟ ରିହାତି ଗ୍ରାହକଙ୍କ ରଜ କିଣାକିଣିକୁ ବେଶ୍ ସୁହାଉଛି।
ଚାହିଦାରେ ଶାଢ଼ି, ସାରାରା ଓ କୁର୍ତ୍ତା
ଏଥର ରଜ ବଜାରରେ ଶାଢ଼ି, ଲେହେଙ୍ଗା, ସାରାରା କୁର୍ତ୍ତାର ଅଧିକ ଚାହିଦା ରହିଛି। କଟନ୍, ନେଟ୍, ଜର୍ଜେଟ୍, ସିଫନ, ସିନ୍ଥେଟିକ୍ ଆଦି ଫ୍ୟାବ୍ରିକ୍ରେ ପ୍ରସ୍ତୁତ ଶାଢ଼ି ଓ ଲେହେଙ୍ଗା ଉପରେ ଜରି ଓ ଏମ୍ବ୍ରୋଡୋରି କାମର ଅଧିକ ଡିମାଣ୍ଡ ରହିଛି। କୁର୍ତ୍ତା ସହ ଲେଗିନ୍ସ ପରିବେର୍ତ୍ତ ପାଲାଜୋ ଓ ଫ୍ଲେୟାର୍ଡ କୁଲୋଟ୍ସ ନୂଆ ଫ୍ୟାସନ ଷ୍ଟେଟ୍ମେଣ୍ଟ ହୋଇଥିବାରୁ ଭଳିକି ଭଳି ସେଟ୍ ବଜାରରେ ଉପଲବ୍ଧ ହେଉଛି। ସେହିପରି ଜନପଥ ଓ ମାର୍କେଟ ବିଲ୍ଡିଂ ବାହାରେ ଗୁଜରାଟ, ଉତ୍ତରପ୍ରଦେଶ ଓ ରାଜସ୍ଥାନୀ ଶାଢ଼ି ଓ ଲେହେଙ୍ଗାର ପସରା ମେଲିଛି। ୫୦୦ଟଙ୍କାରେ ତିନି ଖଣ୍ଡ ଶାଢ଼ି ମିଳି ଯାଉଥିବାରୁ ଏଗୁଡ଼ିକର ସାମ୍ନାରେ ମହିଳାମାନଙ୍କ ଭିଡ଼ ଜମିଛି। ସେହିପରି ରାଜଧାନୀର ଏକ ନମ୍ୱର, ଇନ୍ଦ୍ରଧନୁ ମାର୍କେଟ, ରାମ ମନ୍ଦିର ନିକ ଗଳିରେ ଦୋଳିର ପସରା ମେଲିଲାଣି। ଆକାର ଅନୁସାରେ ଏଗୁଡ଼ିକର ମୂଲ୍ୟ ୧୫୦ରୁ ୨୦୦ଟଙ୍କା ରହିଛି।
ପଟିଆଗଡ଼ ରଜ ଉତ୍ସବ ପ୍ରସ୍ତୁତି ବୈଠକ
ଚନ୍ଦ୍ରଶେଖରପୁର: ପଟିଆଗଡ଼ ରଜ ଉତ୍ସବ ପଇଁ ପ୍ରସ୍ତୁତି ବୈଠକ ଏଲ୍ଏ ଲନ୍ରେ ଅନୁଷ୍ଠିତ ହୋଇଛି। ୧ ନମ୍ବର ୱାର୍ଡ କର୍ପୋରେଟର ମିହିର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କବୟିତ୍ରୀ ଲଳିତା ଜେନା, ବରିଷ୍ଠ ନାଗରିକ ଅକ୍ଷୟ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ରାୟ, ମନୋଜ ତ୍ରିପାଠୀ, ରଞ୍ଜନ କୁମାର ଜେନା, ଆୟୋଜକ ଅଭୟ ବଡ଼ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ କରି ପଟିଆଗଡ଼ର ଏଲ୍ଏ ଲନ୍ରେ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ରଜ ଉତ୍ସବ ପାଳନ କରାଯିବ। ଲନ୍କୁ ସୁନ୍ଦର ଭାବେ ସାଜସଜ୍ଜା କରାଯାଇ ବାଉଁଶ ଦୋଳି, ପଟା ଦୋଳି, ଚକିରି ଦୋଳି ଲଗାଯିବ। ଝୋଟି, ଚିତା, ମୁରୁଜ, ନାଚ, ଗୀତ ପ୍ରତିଯୋଗିତା କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି।