ଆମରଣ ଅନଶନରେ ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀ: ୫ ଅସୁସ୍ଥ, ଜଣେ ଗୁରୁତର

ANM health worker on death row: 5 sick, one seriously

ଭୁବନେଶ୍ବର: ଆଜିଠାରୁ ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀମାନେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସ୍ଥାୟୀ ନିଯୁକ୍ତି ଦାବିରେ ୧୨ ଦିନ ଅହୋରାତ୍ର ଧାରଣା ଦେବା ପରେ ଆଜିଠାରୁ ସେମାନେ ଆନ୍ଦୋଳନକୁ ଜୋର୍‌ଦାର୍‌ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ପ୍ରଥମ ଦିନରେ ୫ ଜଣ ଏଏନ୍ଏମ୍ ଅସୁସ୍ଥ ହୋଇପଡ଼ିଛନ୍ତି। ଭଦ୍ରକର ସସ୍ମିତା ପାଢ଼ୀ(୨୨)ଙ୍କ ଅବସ୍ଥା ଗୁରୁତର ଥିବାବେଳେ ୪ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଅନଶନସ୍ଥଳରେ ଅସୁସ୍ଥ ହୋଇପଡ଼ିଥିବା ସ୍ବାସ୍ଥ୍ୟକର୍ମୀମାନଙ୍କୁ ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ମାତ୍ର ସସ୍ମିତା ଅସୁସ୍ଥ ହେବାବେଳେ ପୁଲିସ ଗାଡ଼ି କିମ୍ବା ଆମ୍ବୁଲାନ୍‌ସ ନଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆନ୍ଦୋଳନକାରୀମାନେ ଲୋୟର ପିଏମ୍‌ଜି ରାସ୍ତା ଅବରୋଧ କରିଥିଲେ।

ଆଜି ପୂର୍ବାହ୍ନ ୯ଟା ୩୦ରେ ଏହି ଅନଶନ ଆରମ୍ଭ ହୋଇଥିଲା। ଅପରାହ୍‌ଣ ୪ଟା ବେଳକୁ କଳାହାଣ୍ଡିର ତୁଳସା ନାୟକ(୨୪) ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଅନଶନ ଭାଙ୍ଗିବାକୁ କୁହାଯାଇଥିଲା। ମାତ୍ର ସେ ଅନଶନ ଜାରି ରଖିବାରୁ ସନ୍ଧ୍ୟା ପ୍ରାୟ ୭ଟା ୩୦ ବେଳକୁ ହଠାତ୍ ଅଚେତ୍ ହୋଇଯାଇଥିଲେ। ତାଙ୍କୁ ଆମ୍ବୁଲାନ୍‌ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କଳାହାଣ୍ଡି ଲାଞ୍ଜିଗଡ଼ର ଯମୁନା ନାଗ୍(୨୧), ମାଲକାନଗିରିର ରଂଜିତା ପାଣିଗ୍ରାହୀ(୨୧) ଓ ଭଦ୍ରକର ଲିପ୍‌ଶିଖା ଲେଙ୍କା ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

କଂଗ୍ରେସ ନେତା ପ୍ରଦୀପ ମାଝୀ ଆଜି ଆନ୍ଦୋଳନରତ ସ୍ବାସ୍ଥ୍ୟକର୍ମୀଙ୍କୁ ସମର୍ଥନ କରି ସେମାନଙ୍କ ସହିତ ଅନଶନସ୍ଥଳରେ ବସିଥିଲେ। ଗ୍ରାମପଞ୍ଚାୟତ ସ୍ତରରେ କୋଭିଡ୍ କେୟାର୍ ହୋମ୍‌ରୁ ଛଟେଇ ହୋଇଥିବା ଏହି ସ୍ବାସ୍ଥ୍ୟକର୍ମୀଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଥିଲେ। ଏଏନ୍‌ଏମ୍‌ କର୍ମୀଙ୍କ ଆମରଣ ଅନଶନ ଆରମ୍ଭ ହେବା ଖବର ପାଇବା ପରେ ଧାରଣାସ୍ଥଳ ନିକଟରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏକ ଆମ୍ବୁଲାନ୍ସ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଥିଲା। ଏହା ସହିତ ସନ୍ଧ୍ୟାରେ ଧାରଣାସ୍ଥଳକୁ ଡାକ୍ତର ଆସି ସମସ୍ତ ଆନ୍ଦୋଳନକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି। ତେବେ ଡାକ୍ତର ଯିବା ପରେ ପରେ ୪ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ସୂଚନାଯୋଗ୍ୟ, ୧୩ ଦିନରେ ମୋଟ ୧୦ ଜଣ ସ୍ବାସ୍ଥ୍ୟକର୍ମୀ ଅସୁସ୍ଥ ହୋଇଥିବାବେଳେ ସରକାରଙ୍କ ପକ୍ଷରୁ ଏଯାବତ୍ କୌଣସି ଆଲୋଚନା ହୋଇ ନ ଥିବା ଏଏନ୍‌ଏମ୍ କର୍ମୀମାନେ କହିଛନ୍ତି। ତେଣୁ ଏହି ଆମରଣ ଅନଶନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର