ମହିଳା ମହାସଂଘ ମଧ୍ୟସ୍ଥତାରେ ନିରାଶ୍ରିତ ଯୁବତୀଙ୍କ ବାହାଘର

ବାଲିପାଟଣା: ମା’ର ଆକସ୍ମିକ ମୃତ୍ୟୁ ଓ ନିଶାଡ଼ି ବାପାର ଘର ଛାଡ଼ିବା ଦୁଃଖରେ ୨ ପିଲା ଅସହାୟ ହୋଇପଡ଼ିଥିଲେ। ତେବେ ବେସାହାରା ହୋଇପଡ଼ିଥିବା ୨ ପିଲାଙ୍କ ଲାଳନପାଳନ ଦାୟିତ୍ବ ନେଇଥିଲେ ଗାଁର ମହିଳା ମଣ୍ଡଳ। ଏବେ ବଢ଼ିଲା ଝିଅର ବାହାଘର ବି କରାଇଛି ମହିଳା ମହାସଂଘ। ବିନା ଯୌତୁକରେ ଘରକୁ ବୋହୂ କରି ନେଇଛନ୍ତି ମହିଳା ମହାସଂଘର ଜଣେ ସଦସ୍ୟା। ଚେନ୍ନାଇରେ କାମ କରୁଥିବା ଯୁବକ ବି ଖୁସିରେ ମା’ ଛେଉଣ୍ଡ ଯୁବତୀଙ୍କ ହାତ ଧରିଛନ୍ତି। ଲାଳନପାଳନଠାରୁ ବାହାଘର ପର୍ଯ୍ୟନ୍ତ ଦୁଇ ପିଲାଙ୍କ ପଛରେ ଠିଆ ହୋଇଥିବା ମହିଳା ମଣ୍ଡଳର ଏହି କାର୍ଯ୍ୟ ଆଜି ବାଲିପାଟଣା ବ୍ଲକରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

କୁରୁଞ୍ଜିପୁର ପଞ୍ଚାୟତ ଓଡ଼ଖଣ୍ଡ ଗ୍ରାମର ଆଶାକର୍ମୀ ସବିତା ଭୋଇ ଗତ ବର୍ଷ ଅଗଷ୍ଟ ମାସରେ ହୃଦ୍‌ଘାତ କାରଣରୁ ମୃତ୍ୟୁ ବରଣ କରିଥିଲେ। ସ୍ବାମୀ ପୂର୍ଣ୍ଣାନନ୍ଦ ଜଣେ ନିଶାଡ଼ି ହୋଇଥିବାରୁ ଅନେକ ସମୟରେ ଘର ଛାଡ଼ି ବାହାରେ ରୁହନ୍ତି। ତେଣୁ ମା’ ସବିତାଙ୍କ ବିୟୋଗ ପରେ ନାବାଳକ ପୁଅ ଏବଂ ଝିଅ ଯୋଗେସ୍ମିତା ଅସହାୟ ହୋଇପଡ଼ିଥିଲେ। କିନ୍ତୁ ସେମାନଙ୍କ ଏଭଳି ଅସମୟରେ କୁରୁଞ୍ଜିପୁର ପଞ୍ଚାୟତ ମହିଳା ମହାସଂଘ ୨ ପିଲାଙ୍କ ଲାଳନପାଳନ ଦାୟିତ୍ୱ ହାତକୁ ନେଇଥିଲା। ଗ୍ରାମବାସୀମାନେ ମଧ୍ୟ ଏଥିରେ ସେମାନଙ୍କୁ ସହଯୋଗ କରିଥିଲେ। ସବିତାଙ୍କ ପଦବିରେ ଯୋଗେସ୍ମିତାକୁ ନିଯୁକ୍ତି ଦେବା ପାଇଁ ମହିଳା ମହାସଂଘ ଲାଗିପଡ଼ିଥିଲା। କିନ୍ତୁ ବୟସ ହୋଇନଥିବାରୁ ତାହା ହୋଇପାରିନଥିଲା। କିନ୍ତୁ ମହିଳା ମହାସଂଘର ଦାବି ଯୋଗୁଁ ଉକ୍ତ ପଦବି ପୂରଣ ହୋଇପାରିନଥିଲା। ଏହା ଭିତରେ ଯୋଗେସ୍ମିତା ଯୁକ୍ତ ଦୁଇ ପାସ୍‌ କଲା ଓ ସାବାଳିକା ହେଲା। ତେବେ ଚାକିରି ସର୍ତ୍ତ ଅନୁସାରେ ଉକ୍ତ ପଦବିରେ ରହିବାକୁ ହେଲେ ଯୋଗେସ୍ମିତାଙ୍କୁ ସେହି ଅଞ୍ଚଳର ବୋହୂ ହେବା ଜରୁରୀ ବୋଲି କୁହାଗଲା। ଶେଷରେ ଏହି ସର୍ତ୍ତକୁ ବି ପୂରଣ କରିବାକୁ ମହିଳା ମହାସଂଘ ଆଗେଇ ଆସିଲା। ସଂଘର ସଦସ୍ୟା ପ୍ରମିଳା ଭୋଇ ନିଜ ପୁଅ ପାଇଁ ପ୍ରସ୍ତାବ ବାଢ଼ିଲେ। ମା’ ସବିତାଙ୍କ ମୃତ୍ୟୁ ପରଠାରୁ ତା’କୁ ବୋହୂ କରିବା ପାଇଁ ସେ ମନସ୍ଥ କରିଥିଲେ ବୋଲି କହିଲେ। ଚେନ୍ନାଇରେ କାମ କରୁଥିବା ତାଙ୍କ ପୁଅ ସୁନୀଲ୍‌ ଲକ୍‌ଡାଉନ୍‌ ପରଠାରୁ ଗାଁରେ ରହୁଛନ୍ତି। ମା’ ପ୍ରମିଳାଙ୍କ ପ୍ରସ୍ତାବକୁ ମଧ୍ୟ ସୁନୀଲ ଖୁସିରେ ମାନି ନେଇଥିଲେ। ତେଣୁ ଆଜି ସ୍ଥାନୀୟ ଓଡ଼ଖଣ୍ଡ ମହାବୀର ମନ୍ଦିରରେ ଉଭୟଙ୍କ ବାହାଘର ସମ୍ପନ୍ନ ହୋଇଛି।

ଧାର୍ଯ୍ୟ ସମୟ ଅନୁସାରେ ସୁନୀଲ ଓ ଯୋଗେସ୍ମିତା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭୋଜି ଭାତର ଆସର ମଧ୍ୟରେ ଏହି ବାହାଘର ଅନୁଷ୍ଠିତ ହୋଇଛି। ମହାସଂଘର ସମ୍ପାଦିକା ନିରୁପମା ନାୟକ, ଆଞ୍ଚଳିକ ମଞ୍ଚର ସଂପାଦିକା ସଂଯୁକ୍ତା ଦଳେଇ, ସଭାନେତ୍ରୀ ମଞ୍ଜୁଲତା ବିଶ୍ବାଳ, ସିଆର୍‌ପି ଗାୟତ୍ରୀ ବେହେରା, କାଦମ୍ବିନୀ ବେହେରା, କଳ୍ପନା ସେଠୀ, ସୁନିତା ସାହୁ, ରୀନା ବେହେରା, ମଧୁସ୍ମିତା ପଲେଇ, ବିନୋଦିନୀ ବାରିକ ଏବଂ ସଂଘର ସମସ୍ତ ସଦସ୍ୟା ଏହି ପବିତ୍ର କାର୍ଯ୍ୟରେ ସହଯୋଗ କରିଥିଲେ। ବିଜେଡି ବ୍ଲକ ଯୁବ ସଭାପତି ରାନୁ ଜେନା, ବୁଦ୍ଧନାଥ ବାରିକ, ସୁକାନ୍ତ ଜେନା, ମଙ୍ଗରାଜ ମହାପାତ୍ର, ଛବି ଭୋଇ ପ୍ରମ୍ମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର