ଆଜିଠୁ ଖୋଲିବ ହୋଟେଲ

ଭୁବନେଶ୍ବର: କଟକଣା କୋହଳ ପରେ ଆସନ୍ତାକାଲିଠୁ ଖୋଲିବ ହୋଟେଲ। ଏନେଇ ରାଜଧାନୀରେ ବିଭିନ୍ନ ହୋଟେଲ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ହୋଟେଲ୍‌ଗୁଡ଼ିକୁ ନିର୍ଦ୍ଦିଷ୍ଟ ନୀତି ନିୟମ ମାନିବାକୁ ପଡ଼ିବ। ମାତ୍ର ୩୦ ପ୍ରତିଶତ ରୁମ୍‌ ହିଁ ବୁକିଂ ହୋଇପାରିବ। ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ୩୦ ପ୍ରତିଶତରେ ସୀମିତ ରହିବ। ତେଣୁ ଦୀର୍ଘ ଅଢ଼େଇ ମାସ ପରେ ହୋଟେଲ ଶିଳ୍ପ ଆରମ୍ଭ ହେବ। ତେବେ ଏହା ହୋଟେଲ ଶିଳ୍ପରେ ହୋଇଥିବା କ୍ଷତରେ ମଲମ ଭରିପାରିବ ନାହିଁ।

ସରକାରଙ୍କ ନିୟମ ପାଳନ ସହ ହୋଟେଲ୍‌ ଖୋଲିବା, ଯାହା ନଖୋଲିବା ମଧ୍ୟ ସେୟା ବୋଲି ହୋଟେଲ୍‌ ସ୍ବତ୍ବାଧିକାରୀ କହିଛନ୍ତି। ବାସ୍ତବରେ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଅନୁମତି ମିଳି ନଥିବାରୁ କୌଣସି ପର୍ଯ୍ୟଟକ ଆସିବାର ସମ୍ଭାବନା ନାହିଁ। ଫଳରେ ହୋଟେଲର ପ୍ରକୃତ ଗ୍ରାହକ କୁହାଯାଉଥିବା ପର୍ଯ୍ୟଟକ ଆସିବେ ନାହିଁ। ସ୍ଥାନୀୟ ଲୋକେ ଏ ସମୟରେ ହୋଟେଲ୍‌ରେ ରହିବାର ସମ୍ଭାବନା ନାହିଁ। ବରଂ ଯେଉଁମାନେ କ୍ବାରାଣ୍ଟିନରେ ରହିବାକୁ ଚାହିଁବେ, କେବଳ ସେଇମାନେ ହିଁ ହୋଟେଲ୍‌ ବୁକିଂ କରିପାରିବେ। ଯଦିଓ ଆସନ୍ତାକାଲିଠୁ ହୋଟେଲ ଖୋଲିବାକୁ ଯାଉଛି କିନ୍ତୁ ହୋଟେଲ୍‌ ରୁମ୍‌ ବୁକିଂ ହୋଇନାହିଁ। ‌

ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ହାରୋ)ର ଅଧ୍ୟକ୍ଷ ଜେ.କେ ମହାନ୍ତି କହିଛନ୍ତି, ପର୍ଯ୍ୟଟନ ଶିଳ୍ପ ଅନ୍ୟ ଶିଳ୍ପ ସଂସ୍ଥା ସହ ତୁଳନୀୟ ନୁହେଁ। ଲକ୍‌ଡାଉନ୍‌ ଚାଲିଥିବାରୁ ଯେଉଁମାନେ ୱିକ୍‌ଏଣ୍ଡରେ ତଥା ସପ୍ତାହେବ୍ୟାପୀ ଛୁଟି କାଟିବାକୁ ହୋଟେଲକୁ ଆସିବାକୁ ଚାହୁଁଛନ୍ତି, ସେମାନଙ୍କ କ୍ଷେତ୍ରରେ କିଛି ଭିନ୍ନ ନିଷ୍ପତ୍ତି ନିଆଯାଉ। ଏଥିସହ ଅନୁମତି ମିଳିବା ପରେ ହୋଟେଲରେ ବାହାଘର ପାଇଁ ଅନୁମତି ପ୍ରଦାନ କରାଯାଉ। ବାହାଘର ପାଇଁ ନିର୍ଧାରିତ ନିୟମକୁ ପାଳନ ପୂର୍ବକ ହୋଟେଲରେ ବାହାଘର ପାଇଁ ଅନୁମତି ପ୍ରଦାନ କରାଯାଉ। ଛୋଟ ଛୋଟ ସମ୍ମିଳନୀ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହେଉ। ନଚେତ ହୋଟେଲ ଖୋଲିଲେ ମଧ୍ୟ ଏହା ହୋଟେଲ ଶିଳ୍ପକୁ ସୁଧାରି ପାରିବ ନାହିଁ ବୋଲି ସେ କହିଛନ୍ତି।
ସେହିପରି ଓଡ଼ିଶାରେ ହୋଟେଲ ଓ ଅନ୍ୟ ଆତିଥ୍ୟ ସେବାରେ ୫ ଲକ୍ଷ ଲୋକେ ନିଯୁକ୍ତ ଥିବା ବେଳେ ହୋଟେଲରେ ଏବେ ୩୦ପ୍ରତିଶତ କର୍ମଚାରୀ ହିଁ କାମ କରିବେ। ଅର୍ଥାତ ହୋଟେଲ ଖୋଲି ମଧ୍ୟ ଅନେକ କାମ ପାଇବେ ନାହିଁ। କେତେ ଦିନ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ, ସେ ସମ୍ପର୍କରେ କିଛି ନିର୍ଧାରିତ ହୋଇନାହିଁ। ତେଣୁ କର୍ମଚାରୀ ଦୃଷ୍ଟିରୁ ମଧ୍ୟ ଏହା ହୋଟେଲ ଶିଳ୍ପକୁ ଖୁସି କରିପାରିବ ନାହିଁ ବୋଲି ହାରୋ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର