ଘର ବି ଫାଟି ପଡ଼ୁଛି, ମଶା ଦାଉ ଭୟା‌ବହ; ପଳାସୁଣୀରେ ଘୂରି ବୁଲୁଛି ପଚା ଗନ୍ଧ

ଭୁବନେଶ୍ୱର: ପଳାସୁଣୀ ହାଟ ପାଖ ଅଞ୍ଚଳରେ ଘୂରି ବୁଲୁଛି ଭୀଷଣ ପଚା ଗନ୍ଧ। ପାଖ କେନାଲରୁ ବାହାରୁଥିବା ପଚା ଦୁର୍ଗନ୍ଧ ଘର ଭିତରକୁ ପଶି ଆସୁଛି। ଫଳରେ ଘରେ ରହିବା ଅସମ୍ଭବ ହୋଇପଡ଼ୁଛି। ବଡ଼ ଦୁର୍ବିଷହ ଜୀବନ ଜିଉଁଛନ୍ତି ଏହି ଅଞ୍ଚଳବାସୀ। ଦୀର୍ଘ ଦିନ କେନାଲ ସଫେଇ ହୋଇ ନଥିବାରୁ ଏଭଳି ଗନ୍ଧମୟ ପରିବେଶରେ ହଜାର ହଜାର ଲୋକେ ଷଢ଼ୁଛନ୍ତି। ଅଥଚ ବାରମ୍ବାର ଅଭିଯୋଗ କରିବା ପରେ ବି ବିଏମ୍‌ସି ନିଦାବିଷ୍ଣୁ ସାଜି ଚୁପ୍ ବସିଛି।

ସୂଚନାନୁଯାୟୀ, ବିଏମ୍‌ସିର ୧୮ ନମ୍ବର ୱାର୍ଡ ଅଧୀନରେ ଏହି ଅଞ୍ଚଳ। ପଳାସୁଣୀ ହାଟ ପାଖ ଅଞ୍ଚଳରେ ପ୍ରାୟ ଏକ ହଜାର ଲୋକ ରହୁଛନ୍ତି। ଏଠାରେ ଥିବା କେନାଲ୍‌ଟି ଦୀର୍ଘ ଦିନ ହେଲା ସଫା ହୋଇନାହିଁ। ଫଳରେ କେନାଲ ଭିତରେ ଗଦା ହୋଇ ରହିଛି କୁଢ଼କୁଢ଼ ଆବର୍ଜନା। ‌କେନାଲ ଭିତରକୁ ପଶୁଛି ସ୍ଥାନୀୟ ଅଞ୍ଚଳର ସବୁ ନର୍ଦ୍ଦମା ଜଳ। ବିଏମ୍‌ସିର ସଫେଇ କର୍ମଚାରୀମାନେ ରାସ୍ତାରୁ ଅଳିଆ ଉଠେଇ କେନାଲରେ ପକାଉଛନ୍ତି। ଏଥିସହିତ ସ୍ଥାନୀୟ ଉଠାଦୋକାନୀମାନେ ମଧ୍ୟ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁକୁ ସେଠାରେ ପକାଇ ଦେଉଛନ୍ତି। ଅଳିଆ ଆବର୍ଜନା ସାଙ୍ଗକୁ ନର୍ଦ୍ଦମା ଜଳ ପଚି ପଚି ଦୁର୍ଗନ୍ଧ ସୃଷ୍ଟି କରୁଛି। ଦୁର୍ଗନ୍ଧର ତୀବ୍ରତା ଏତେ ଯେ ପାଖ ଘର ଲୋକେ ରହିବା ମୁସ୍କିଲ ହୋଇପଡ଼ୁଛି ବୋଲି କହିଛନ୍ତି। ଘର ଭିତରକୁ ପଶୁଛି ଦୁର୍ଗନ୍ଧ। ଏମିତିକି ଦିନ ରାତି ଝରକା ବନ୍ଦ କଲେ ବି ଗନ୍ଧ ଘର ଭିତରକୁ ପଶୁଛି। କେବଳ ସେତିକି ନୁହେଁ, ପଚା ପାଣିରେ ମଶା ବଂଶ ସହଜରେ ବୃଦ୍ଧି ପାଉଛି। ଘରେ ବାହାରେ ସବୁଆଡ଼େ ମଶା ଆଉ ମଶା। ବସେଇ ଉଠେଇ ଦେଉ ନାହାନ୍ତି ମଶା। ମଶା ଉପଦ୍ରବ ଯୋଗୁଁ ଲୋକମାନଙ୍କ ବଞ୍ଚିବା କାଠିକର ହୋଇପଡ଼ିଲାଣି।

ସ୍ଥାନୀୟ ବାସିନ୍ଦା ରାଜମୋହନ ପାତ୍ରଙ୍କ କହିବାନୁସାରେ ମଶାଙ୍କ ଉପଦ୍ରବ ଏବଂ ଦୁର୍ଗନ୍ଧ ଯୋଗୁଁ ସ୍ଥାନୀୟ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ନିହାତି କାମ ନଥିଲେ, କେହି ବାହାରକୁ ବାହାରିବାକୁ ମନ କରୁନାହାନ୍ତି। ବରିଷ୍ଠ ନାଗରିକମାନେ ଗୃହବନ୍ଦୀ ଅବସ୍ଥାରେ କାଳ କାଟୁଛନ୍ତି। ଲୋକେ ଚଲାବୁଲା କରି ନପାରି ରୋଗିଣା ହୋଇଗଲେଣି। ସ୍ଥାନୀୟ ବ୍ୟବସାୟୀ ଲକ୍ଷ୍ମୀଧର ସାମଲଙ୍କ କହିବାନୁସାରେ, ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ବ୍ୟବସାୟରେ ବାଧା ଉପୁଜୁଛି। ଲୋକମାନେ ଏଠାରେ ଗାଡ଼ି ରଖି ଅଟକିବାକୁ ଇଛା କରୁନାହାନ୍ତି। ବରଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ସେମାନେ ବାହାରକୁ ପଳାଉଛନ୍ତି। ଏତେ ଗନ୍ଧରେ ଠିଆ ହେବାକୁ କେହି ମନ କରୁନଥିବାରୁ ବେପାର ପୂରା ମାନ୍ଦା ରହୁଛି। ବାରମ୍ବାର ଅଭିଯୋଗ କରିବା ପରେ ବି ବିଏମ୍‌ସି କର୍ତ୍ତୃପକ୍ଷ କିଛି କରୁ ନାହାନ୍ତି। ତେଣୁ ଆଗକୁ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର