ଭୁବନେଶ୍ବର: ରବିବାର, ସନ୍ଧ୍ୟା ୭ଟା ୧୫। ସ୍ଥାନ ମାଷ୍ଟର କ୍ୟାଣ୍ଟିନ୍ ଛକ ‘ମୋ ବସ୍’ ଟର୍ମିନାଲ୍। ବସ୍ରୁ ଓହ୍ଲାଇଲେ ଏକ ଦମ୍ପତି। ଓହ୍ଲାଉ ଓହ୍ଲାଉ ମହିଳା ଜଣକ ତଳେ ପଡ଼ି ଛଟପଟ ହେଲେ। ପ୍ରବଳ ଯନ୍ତ୍ରଣା ଯୋଗୁଁ ସେ ଛଟପଟ ହେଉଥିଲେ ଓ ଏଣେ ତେଣେ ଗଡ଼ୁଥିଲେ। ପୁରୁଷ ଜଣକ କେତେବେଳେ ମୁଣ୍ଡ ଆଉଁସି ଦେଉଥିଲେ ତ’ କେତେବେଳେ ତାଙ୍କୁ ପାଣି ପିଆଇବାକୁ ଉଦ୍ୟମ କରୁଥିଲେ। ଆଉ କେତେବେଳେ ସାହାଯ୍ୟ ମାଗିବା ପାଇଁ ରାସ୍ତା ଉପରକୁ ଚାଲି ଯାଇ ପଥଚାରୀଙ୍କୁ ଗୁହାରି କରୁଥିଲେ। ହେଲେ କେହି ଜଣେ ଦଣ୍ଡେ ହେଲେ ରହୁନଥିଲେ।
ଯିଏ ଅଟକୁଥିଲେ ସେ ମୋବାଇଲ୍ରେ ସୁଟିଂ କରୁଥିଲେ ସିନା ସାହାଯ୍ୟ କରୁନଥିଲେ। ପ୍ରାୟ ୧୫ ମିନିଟ୍ କାଳ ସେ ରାସ୍ତା ଉପରେ ପଡ଼ି ଛଟପଟ ହେବା ପରେ ସେହି ବାଟ ଦେଇ ଯାଉଥିବା ମାଷ୍ଟର କ୍ୟାଣ୍ଟିନ୍ ଫାଣ୍ଡି ଅଧିକାରୀ ନିରଞ୍ଜନ ନାୟକଙ୍କର ତାଙ୍କ ଉପରେ ନଜର ପଡ଼ିଥିଲା। ସେ କାଳ ବିଳମ୍ବ ନ କରି ଆମ୍ବୁଲାନ୍ସ ଡାକି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ହେବା ସହ ଉଚିତ ସମୟରେ ହସ୍ପିଟାଲ ପହଞ୍ଚିଥିବାରୁ ବଞ୍ଚି ଯାଇଥିଲେ। ଯେତେବେଳେ ବର୍ବରତା ଓ ଅତ୍ୟାଚାରକୁ ନେଇ ପୁଲିସ ନିନ୍ଦିତ ହେଉଛି, ସେତେବେଳେ ଫାଣ୍ଡି ଅଧିକାରୀଙ୍କର ଏହି ମାନବିକତା ପୁଲିସର ମର୍ଯ୍ୟାଦା ବଢ଼ାଇଛି।
ମହିଳା ଜଣକ ରାୟଗଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କର ଦୀର୍ଘ ଦିନ ଧରି ସ୍ନାୟୁଜନିତ ରୋଗ ରହିଥିଲା। ଉନ୍ନତ ଚିକିତ୍ସା ପାଇଁ ସେ ତାଙ୍କ ସ୍ବାମୀଙ୍କ ସହିତ ଭୁବନେଶ୍ବର ଆସିଥିଲେ। ମାଷ୍ଟରକ୍ୟାଣ୍ଟିନ୍ ‘ମୋ ବସ୍’ ଟର୍ମିନାଲ୍ରେ ପହଞ୍ଚିବା ପରେ ସେ ଚିକିତ୍ସାଳୟ ଯାଇଥା’ନ୍ତେ। କିନ୍ତୁ ବସ୍ରୁ ଓହ୍ଲାଉ ଓହ୍ଲାଉ ସେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ତଳେ ପଡ଼ି ଯାଇଥିଲେ। ତେବେ ଫାଣ୍ଡି ଅଧିକାରୀଙ୍କ ସହାୟତା ଯୋଗୁଁ ସେ ଏବେ ସୁସ୍ଥ ଅଛନ୍ତି।