ଅସୁସ୍ଥ ସ୍ତ୍ରୀଙ୍କୁ ତାଲା ପକାଇ ସ୍ବାମୀ ଛୁ

କବାଟ ଭାଙ୍ଗି ଉଦ୍ଧାର କଲା ପୁଲିସ

ଧଉଳି: ସାମାନ୍ୟ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଦୁଇ ଦିନ ହେଲା ଭଡ଼ା ଘରେ ତାଲା ପକାଇ ସ୍ବାମୀ ଲୁଚି ପଳାଇବା ଭଳି ଏକ ଅମାନୁଷିକ ଘଟଣା ଆଜି ଧଉଳି ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଭୋକ ଉପାସ ଯନ୍ତ୍ରଣା ସହିନପାରି ମହିଳାଜଣକ ଚିତ୍କାର କରିବା ପରେ ଘଟଣା ପଦାକୁ ଆସିଛି ଏବଂ ଘର ମାଲିକଙ୍କ ସୂଚନା ଆଧାରରେ ଧଉଳି ଥାନା ପୁଲିସ କବାଟ ଭାଙ୍ଗି ମହିଳାଙ୍କୁ ଉଦ୍ଧାର କରିଛି। ତାଙ୍କୁ ଏବେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ ମହିଳାଙ୍କ ସ୍ବାମୀ, ପୁଅ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଛି। ତେବେ ବାପଘର ଲୋକ ବାଳକାଟି ହସ୍ପିଟାଲରେ ପହଞ୍ଚି ପୁଲିସ ଓ ଘର ମାଲିକଙ୍କ ଉପସ୍ଥିତିରେ ମହିଳାଙ୍କୁ ନେଇଯାଇଛନ୍ତି।

ପୁରୀ କୁମ୍ଭାରପଡ଼ା ଥାନା କୃପାସାଗରପାଟଣା ଗ୍ରାମର ବିନ୍ଦୁପ୍ରକାଶ ସାହୁ ଗତ କିଛି ଦିନ ହେଲା ପତ୍ନୀ ଶକୁନ୍ତଳା ସାହୁ(୫୫)ଙ୍କ ସହ ଧଉଳି ସରଦେଇପୁରସ୍ଥିତ ଦେବେ‌ନ୍ଦ୍ର ପ୍ରଧାନଙ୍କ ଘର ଭଡ଼ା ନେଇ ରହୁଥିଲେ। ତାଙ୍କ ପୁଅ ଅଙ୍କିତ ସାହୁ ମଧ୍ୟ ଏଠାରେ ରହୁଥିଲେ। ଘର ମାଲିକ ଦେବେନ୍ଦ୍ରଙ୍କ ସୂଚନାନୁସାରେ ଶକୁନ୍ତଳା କିଛି ମାତ୍ରାରେ ମାନସିକ ବିକାରଗ୍ରସ୍ତ। ସେ ଅଧିକାଂଶ ସମୟରେ ବିଛଣାରେ ଶୋଇରୁହନ୍ତି। ବିନ୍ଦୁପ୍ରକାଶ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ପୁଅ ଅଙ୍କିତ ପୁରୀରେ କାମ କରେ। ଗତ ଦୁଇ ଦିନ ହେଲା ବିନ୍ଦୁପ୍ରକାଶ ଘରେ ତାଲା ପକାଇ ଚାଲିଯାଇଥିଲେ। କିନ୍ତୁ ଘର ମାଲିକ ଦେବେନ୍ଦ୍ରକୁ କିଛି କହିନଥିଲେ। ତେଣୁ ସେମାନେ ସପରିବାର ପୁରୀ କିମ୍ବା କୌଣସି ସମ୍ପର୍କୀୟଙ୍କ ଘରକୁ ବୁଲି ଯାଇଛନ୍ତି ବୋଲି ଦେବେନ୍ଦ୍ର ଭାବିଥିଲେ। ମାତ୍ର ଆଜି ଭୋର୍‌ ସମୟରେ ଘର ଭିତରୁ ଶକୁନ୍ତଳାଙ୍କୁ ଚିତ୍କାର ଶୁଣି ଦେବେନ୍ଦ୍ର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଝରକା ଦେଇ ସେ ଦେଖିଲେ ଶକୁନ୍ତଳା ଭୋକ ଉପାସରେ କାନ୍ଦୁଛନ୍ତି। ଦେବେନ୍ଦ୍ରଙ୍କୁ ଦେଖି ସେ ତାଙ୍କୁ ଉଦ୍ଧାର କରିବାକୁ କାକୁତିମିନତି ହୋଇଥିଲେ। ଗେଟ୍‌ ଓ ଘରର ମୁଖ୍ୟ କବାଟରେ ତାଲା ପଡ଼ିଥିବାରୁ ଦେବେନ୍ଦ୍ର ତୁରନ୍ତ ଧଉଳି ଥାନାକୁ ଜଣାଇଥିଲେ। ପୁଲିସ ପଡ଼ୋଶୀଙ୍କ ଉପସ୍ଥିତିରେ ଘରର କବାଟ ତାଲା ଭାଙ୍ଗି ଶକୁନ୍ତଳାଙ୍କୁ ଉଦ୍ଧାର କରିଥିଲା। ପୁଲିସ ଶକୁନ୍ତଳାଙ୍କ ସ୍ବାମୀ ବିନ୍ଦୁପ୍ରକାଶ ଓ ତାଙ୍କ ପୁଅ ଅଙ୍କିତ୍‌କୁ ଠାବ କରିବାକୁ ଚେଷ୍ଟା ଚଳାଇଛି।

ସମ୍ବନ୍ଧିତ ଖବର