ଭୁବନେଶ୍ବର: ଦୀର୍ଘ ବର୍ଷ ପରେ ଏମ୍ସ ହୃଦ୍ରୋଗ ବିଭାଗକୁ ମିଳିଲା ଆଇସିୟୁ। ଏମ୍ସ ଅଧୀକ୍ଷକ ଏସ୍.ଏନ୍ ମହାନ୍ତି, ବରିଷ୍ଠ ହୃଦ୍ରୋଗ ବିଶେଷଜ୍ଞ ରାମଚନ୍ଦ୍ର ବାରିକ ସମେତ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଜି ଆଇସିୟୁ ଉଦ୍ଘାଟନ ହୋଇଛି। ଏମ୍ସ ହୃଦରୋଗ ବିଭାଗରେ ସ୍ବତନ୍ତ୍ର ଆଇସିୟୁ ନଥିବାରୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁ ନଥିଲା। ଏହାକୁ ନେଇ ସମ୍ବାଦରେ ଲଗାତାର ରିପୋର୍ଟ ପ୍ରକାଶିତ ହୋଇଥିଲା।
ସୂଚନା ଅନୁଯାୟୀ, ଏମ୍ସ ହୃଦ୍ରୋଗ ବିଭାଗ ଓପିଡିକୁ ପ୍ରତିଦିନ ୨୫୦ରୁ ୩୦୦ ରୋଗୀ ଆସିଥାଆନ୍ତି।
ଭିମ୍ସାର୍, ଏମ୍କେସିଜି କିମ୍ବା ଏସ୍ସିବିରେ ଚିକିତ୍ସିତ ହୋଇ ପାରୁନଥିବା ଗୁରୁତର ରୋଗୀ ଏଠାକୁ ରେଫର୍ ହୋଇ ଆସିଥାଆନ୍ତି। ଏଠାରେ ଆଞ୍ଜିଓପ୍ଲାଷ୍ଟି, ପେସମେକର୍, ବେଲୁନ୍ ସର୍ଜରି, ଇପି ଷ୍ଟଡି ଆଦିର ଚିକିତ୍ସାର ସୁବିଧା ରହିଛି। ଘରୋଇ ଡାକ୍ତରଖାନାରେ ଏହି ସବୁ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଏମ୍ସରେ ସ୍ବଳ୍ପ ଟଙ୍କାରେ ଏହି ଚିକିତ୍ସା ସେବା ଉପଲବ୍ଧ ହୋଇପାରିବ। ମାତ୍ର ଆଇସିୟୁ, ଭେଣ୍ଟିଲେଟର୍ ଭଳି ପ୍ରାଥମିକ ସୁବିଧା ଅଭାବରୁ ବଡ଼ ରୋଗର ଚିକିତ୍ସାରୁ ରୋଗୀ ବଞ୍ଚିତ ହେଉଥିଲେ। ଏମ୍ସ ଭଳି ଏକ ଜାତୀୟସ୍ତରୀୟ ସ୍ବାସ୍ଥ୍ୟାନୁଷ୍ଠାନର ହୃଦ୍ରୋଗ ବିଭାଗରେ ଆଇସିୟୁ ନଥିବାରୁ ବୁଦ୍ଧିଜୀବୀ ଓ ରୋଗୀ ମହଲରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଉଥିଲା। ହୃଦ୍ଘାତ, ଫୁସ୍ଫୁସ୍ ସଂକ୍ରମିତ, ହୃତ୍ପିଣ୍ଡରେ ପାଣି ଜମିବା, ଭାଲ୍ଭ ସଂକ୍ରମଣ ସମେତ ବିଭିନ୍ନ ପ୍ରକାର ସମସ୍ୟା ନେଇ ପାଖାପାଖି ୫୦ ପ୍ରତିଶତ ରୋଗୀ ଏଠାକୁ ଆସିଥା’ନ୍ତି।
ସେମାନଙ୍କ ଅସ୍ତ୍ରୋପଚାରର ଆବଶ୍ୟକ ନଥିଲେ ହେଁ ସ୍ବାସ୍ଥ୍ୟାବସ୍ଥା ସ୍ଥିର ପାଇଁ ସେମାନଙ୍କୁ ଆଇସିୟୁ, ଭେଣ୍ଟିଲେଟର୍ର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ବିଭାଗର ନିଜସ୍ବ ଆଇସିୟୁ ନଥିବାରୁ ଡାକ୍ତର ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ରେଫର୍ କରିବାକୁ ବାଧ୍ୟ ହେଉଥିଲେ। ସେହିପରି ଡିକମ୍ପୋଷ୍ଟେଟ ହାର୍ଟ-ଫେଲୁଅର୍, ଏମ୍ଆଇର ଜଟିଳ ସ୍ଥିତି ଥିବା ରୋଗୀଙ୍କୁ କାଜୁଆଲଟିରୁ ହିଁ ଫେରାଇ ଦିଆଯାଉଥିଲା। କିନ୍ତୁ ଆଜି ବିଭାଗର ନିଜସ୍ବ ଆଇସିୟୁ ଉଦ୍ଘାଟନ ହେବା ପରେ ଆଉ ଏ ସମସ୍ୟା ଦେଖାଦେବ ନାହିଁ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ୨୦୧୫ ମସିହାରେ କେଥୋଲ୍ୟାବ୍ ଆରମ୍ଭ ହୋଇଥିଲା।
କିଛି ସମୟ ମଧ୍ୟରେ ବିଭାଗକୁ ସ୍ବତନ୍ତ୍ର ଆଇସିୟୁର ଆବଶ୍ୟକତା ଥିବା ହୃଦ୍ରୋଗ ବିଭାଗ ଅନୁଭବ କରିଥିଲା। ମାତ୍ର ତାହା ହେଲା ନାହିଁ। ପୂର୍ବରୁ ଜେନେରାଲ ମେଡିସିନ ଆଇସିୟୁର ୧୭ଟି ଶଯ୍ୟାରୁ କୌଣସି ପ୍ରକାର ଗୋଟିଏ କିମ୍ବା ଦୁଇଟି ମିଳୁଥିଲା। ସମୟକ୍ରମେ ଅନ୍ୟ ବିଭାଗକୁ ସ୍ବତନ୍ତ୍ର ଆଇସିୟୁ ମିଳିଲା। କିନ୍ତୁ ହୃଦ୍ରୋଗ ବିଭାଗକୁ ମିଳି ନଥିଲା। ଏହାର କାରଣ ପୂର୍ବତନ ନିର୍ଦେଶକ ଗୀତାଞ୍ଜଳି ବି’ଙ୍କ ସହ ହୃଦ୍ରୋଗ ବିଭାଗ ଡାକ୍ତରଙ୍କ ବିବାଦ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ବର୍ତ୍ତମାନ ହୃଦ୍ରୋଗ ବିଭାଗକୁ ଆଇସିୟୁ ମିଳିବା ସମସ୍ତଙ୍କୁ ଆଶ୍ବସ୍ତ କରିଛି।