ଭୁବନେଶ୍ୱର: ବାର୍ଦ୍ଧକ୍ୟ ଭତ୍ତା ୧୫ଶହ ଟଙ୍କାକୁ ବୃଦ୍ଧି, ଦୁଇ ବର୍ଷ ହେଲାଣି ଆବେଦନ କରିଥିବା ଅସହାୟଙ୍କ ଭତ୍ତା ମଂଜୁର କରିବା, ସ୍ବାମୀ ପରିତ୍ୟକ୍ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତାରେ ସାମିଲ, ଭୋଟ୍ ପରିଚୟପତ୍ରରେ ବୟସ ସଂଶୋଧନ ଆଦି ବିଭିନ୍ନ ଦାବି ନେଇ ସେବା ପ୍ରତିନିଧି ପକ୍ଷରୁ ସୋମବାର ବିଏମ୍ସି କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ଏଥିରେ ଶତାଧିକ ବରିଷ୍ଠ ନାଗରିକ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାଉସୀ ମା’ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ବିଏମ୍ସି କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ଆନ୍ଦୋଳନକାରୀମାନେ ଧାରଣାରେ ବସିଥିଲେ। ସେବା ପ୍ରତିନିଧିର ସଂଗଠକ ନୀଳମଣି ମିଶ୍ର କହିଥିଲେ ଯେ ଦେଶର ସମସ୍ତ ରାଜ୍ୟର ଅସହାୟ ମହିଳାମାନଙ୍କୁ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ଓଡ଼ିଶା ସରକାର ଏ ବାବଦରେ ପଛୁଆ।
ସ୍ୱାମୀ ପରିତ୍ୟକ୍ତାଙ୍କୁ ବି ସରକାର ସାହାଯ୍ୟ କରୁନାହାନ୍ତି। ତେଣୁ ଏ ଦିଗରେ ସରକାର ଯଥାଶୀଘ୍ର ପଦକ୍ଷେପ ନେବାକୁ ସେ ଦାବି କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବିଏମ୍ସି କମିସନର୍ଙ୍କୁ ପ୍ରଦାନ କରାଯାଇଥିଲା। ଆଦିବାସୀ ଓ ହରିଜନ ମହିଳାଙ୍କୁ ଛତା ଓ ଚପଲ ପ୍ରଦାନ, ଜରିପାଲ ତଳେ ରହୁଥିବା ମହିଳାମାନଙ୍କ ଘର ପରିବର୍ତ୍ତନ ଓ ଭିନ୍ନକ୍ଷମମାନଙ୍କୁ ତିନି ଚକିଆ ଯାନ ଯୋଗାଇ ଦେବାକୁ ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ ରହିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/5fs4h5sf4h56sf465fsh4sf56h.jpg)