ଭୁବନେଶ୍ବର: ନଦୀ ପ୍ରଦୂଷଣକୁ ଆଖି ଆଗରେ ରଖି ବିଏମ୍ସି ତିନିଟି ଅସ୍ଥାୟୀ ପୋଖରୀ ତିଆରି କଲା। ସୋସିଆଲ ମିଡିଆରୁ ଆରମ୍ଭ କରି ନଦୀ ପୋଲ ଉପରେ ସଚେତନ ବି କଲା। ହେଲେ କେହି କିଛି ଶୁଣିଲେନି। କୁଆଖାଇ ପୋଲ ଉପରୁ ନଦୀ ଭିତରକୁ ମୂର୍ତ୍ତି ଫିଙ୍ଗି ବିସର୍ଜନ କଲେ। ଆଜି ପାଖାପାଖି ୨୦ଟି ମୂର୍ତ୍ତି ଏମିତି ନଦୀରେ ବିସର୍ଜନ ହୋଇଛି। ତେବେ ଅସ୍ଥାୟୀ ପୋଖରୀରେ ମାତ୍ର ୮ଟି ମୂର୍ତ୍ତି ବିସର୍ଜନ କରାଯାଇଥିବା ଜଣାପଡ଼ିଛି।
ଯଥେଷ୍ଟ ସମୟ ପୂର୍ବରୁ ବିଏମ୍ସି ଏହି ସବୁ ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରିଥିଲା। ମେୟର ସୁଲୋଚନା ଦାସ, କମିସନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଭିଡିଓ ବାର୍ତ୍ତା ଜରିଆରେ ନାଗରିକଙ୍କୁ ସଚେତନ କରାଇଥିଲେ। ତା’ ଛଡ଼ା କୁଆଖାଇ ପୋଲ ଉପରେ ମଧ୍ୟ ବିଏମ୍ସି କର୍ମଚାରୀ ଛିଡ଼ା ହୋଇ ମୂର୍ତ୍ତି ଧରି ଆସୁଥିବା ଲୋକଙ୍କୁ ନଦୀରେ ବିସର୍ଜନ କରିବାକୁ ବାରଣ କରିଥିଲେ। ମାତ୍ର କର୍ମଚାରୀମାନେ ପଳାଇବା ପରେ ସେମାନେ ବ୍ରିଜ୍ ଉପରୁ ନଦୀଗର୍ଭକୁ ମୂର୍ତ୍ତି ଫୋପାଡ଼ି ବିସର୍ଜନ କରିଥିଲେ। ଅପରାହ୍ଣରୁ ରାତି ଯାଏ ପୋଲ ଉପରୁ ନଦୀରେ ବିସର୍ଜନ କରିବା ଦେଖା ଯାଇଥିଲା।