ରାଜ୍ୟପାଳଙ୍କୁ ଭେଟିଲା ଆଇଏଚ୍‌ଆରସି

ହାତୀ ‘ନନ୍ଦ’ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି

ଭୁବନେଶ୍ବର: ଚନ୍ଦକା ଅଭୟାରଣ୍ୟରେ କୁମ୍‌କୀ ହାତୀ ‘ନନ୍ଦ’ର ମୃତ୍ୟୁ କେମିତି ହେଲା? ଚିକିତ୍ସାରେ ଅବହେଳା ରହିଲା କି? ଠିକ୍‌ ଭାବେ ଯତ୍ନ ନିଆଗଲା ନାହିଁ କି? ଏମିତି ଅନେକ ପ୍ରଶ୍ନ ଉପରୁ ଏବେ ବି ପରଦା ହଟି ପାରି ନାହିଁ। କେଉଁ ପରିସ୍ଥିତିରେ ବନ ବିଭାଗର ଏହି ହାତୀର ମୃତ୍ୟୁ ହେଲା ସେନେଇ କେହି ବି ସ୍ପଷ୍ଟ କରିପାରୁ ନ ଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ହସ୍ତକ୍ଷେପ ଲୋଡ଼ିଛି ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିସନ(ଆଇଏଚ୍‌ଆରସି)। ସଙ୍ଗଠନର ଏକ ପ୍ରତିନିଧି ଦଳ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ‘ନନ୍ଦ’ର ଯତ୍ନ, ଚିକିତ୍ସା, ସୁରକ୍ଷା ଦେବାରେ ଜଙ୍ଗଲ ବିଭଗ ଟାଳଟୁଳ ନୀତି ଅବଲମ୍ବନ କରିଥିବାରୁ ତା’ର ମୃତ୍ୟୁ ହୋଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଉ। କୁମ୍‌କୀ ଟ୍ରେନିଂ ପାଇଁ ହୋଇଥିବା ରାଜିନାମାରେ ଉଲ୍ଲେଖ ଅଛି ଯେ ‌ଟ୍ରେନିଂ ସଂସ୍ଥାର କାର୍ଯ୍ୟ ପ୍ରତି ମାସରେ ଡିଏଫ୍‌ଓଙ୍କ ଦ୍ଵାରା ତଦାରଖ କରାଯାଇ ଟ୍ରେନିଂ ଅବଧି ବଢ଼ିବା କଥା। ମାତ୍ର ସମ୍ପୃକ୍ତ ସଂସ୍ଥା ଟ୍ରେନିଂ ଦେବାରେ ବିଫଳ ହେବା ପରେ ବି ୧୧ବର୍ଷ ହେଲା ଗୋଟିଏ ସଂସ୍ଥାକୁ କେଉଁ ଉଦ୍ଦେଶ୍ୟରେ ଠିକା ଦିଆଯାଇଥିଲା, ତାହାର ଉଚ୍ଚସ୍ତରୀୟ ତଦନ୍ତ ହେଉ।

ଏ ବାବଦରେ ୧୧ବର୍ଷରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାହାର ତଦନ୍ତ କରାଯାଉ। ଜଙ୍ଗଲ ବିଭାଗ ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟ ଅଭାବରୁ ଟ୍ରେନ୍‌ ଧକ୍କାରେ ରାଜ୍ୟରେ ହାତୀ ମରୁଛନ୍ତି। ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇ ହାତୀ ମୃତ୍ୟୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ସଙ୍ଗଠନର ରାଜ୍ୟ ମୁଖ୍ୟ ଶିବସୁନ୍ଦର ସ୍ୱାଇଁ, ଯୁଗ୍ମ ନିର୍ଦ୍ଦେଶକ ଶଶାଙ୍କ ଶେଖର ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ନାରାୟଣ ସାହୁ ପ୍ରମୁଖ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଶୁଣିବା ପରେ ରାଜ୍ୟପାଳ ଦୁଃଖ ପ୍ରକାଶ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଜ ଅଧିକାରୀଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର