ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାର କୁଟିଆ କନ୍ଧ ମହିଳା ଶବରୀ। କଠିନ ପରିଶ୍ରମ କରୁଥିବା ଜଣେ ମହିଳା ବୁଣାକାର। ସୁତା କାଟିବାଠୁ ଆରମ୍ଭ କରି ନିଜ ହାତରେ ପ୍ରାକୃତିକ ରଙ୍ଗ ତିଆରି କରି ଲୁଗା ବୁଣନ୍ତି। ସେଥିରେ ସେ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ଶବରୀ ଜଣେ କଠିନ ପରିଶ୍ରମୀର ନମୁନା। ସେହିଭଳି ଆଦିବାସୀ ସମ୍ପ୍ରଦାୟ ପରଜା ମହିଳା ରଙ୍ଗୀ। ପରିସ୍ଥିତିରେ ପଡ଼ି ନିରୀହ ରଙ୍ଗୀ ଏକଦା ହାତରେ ଧରିଥିଲେ ବନ୍ଧୁକ। ନକ୍ସଲ ସାଜି ବିଦ୍ରୋହ କରିଥିଲେ। କିନ୍ତୁ ପରେ ପୁଣି ସରଳ ରଙ୍ଗୀ ସାମାଜିକ ମୁଖ୍ୟ ସ୍ରୋତକୁ ଫେରିଲେ। ଆତ୍ମସମର୍ପଣ କରି ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ବେଳେ କଏଦୀଙ୍କ ପିଲାଙ୍କୁ ପଢ଼ାଇ ଶିକ୍ଷିତ କରୁଥିଲେ। ଉଭୟ ନିର୍ଭୟତା ଓ ନମ୍ରତାର ପ୍ରତୀକ ଥିଲେ ରଙ୍ଗୀ। ସେହିଭଳି ଆଦିବାସୀ ଗରା ସମ୍ପ୍ରଦାୟର ମହିଳା ଜୁଇ ଏବଂ ବଇଗା ମହିଳା ତୁଳସୀ ଥିଲେ ନିରୀହ, ନିର୍ଲିପ୍ତତାର ପ୍ରତୀକ। ନିଜ ଗୋଡ଼ରେ ଠିଆ ହେବାର ସଂକଳ୍ପ ସେମାନଙ୍କୁ ବଞ୍ଚିବାର ରାହା ଯୋଗାଇଛି। ସରକାରୀ ଯୋଜନା ଦ୍ବାରା ସେମାନେ ନିଜ ଗୋଡ଼ରେ ଠିଆ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟଇଛନ୍ତି। ଆଜି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ‘ନାରୀ ଅଦ୍ବିତୀୟ’ ଅନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ ନାଟକ ‘ପ୍ରତିବିମ୍ବ’ରେ ଶବରୀ, ରଙ୍ଗୀ, ଜୁଇ ଏବଂ ତୁଳସୀଙ୍କ ଚରିତ୍ର ଆଦିବାସୀ ମହିଳାଙ୍କ ଏଭଳି ପ୍ରତିଛବି ପ୍ରଦର୍ଶନ କରି ଦର୍ଶକଙ୍କ ମନ୍ତ୍ରମୁଗ୍‌ଧ କରିଥିଲା।

Advertisment

ନାଟକ ଆରମ୍ଭରୁ ଏକ ଟିଭି ଧାରାବାହିକର ପ୍ରଯୋଜକ ସୌମିତ୍ରା ଲେଙ୍କା ଏକ ନିଚ୍ଛକ ସତ କାହାଣୀ ଖୋଜୁଥିବା ଦେଖିବାକୁ ମିଳିଛି। ତେଣୁ ସେ ତାଙ୍କ ସଂଳାପ ଲେଖିକା ଡିନାଙ୍କୁ ଏଭଳି କାହାଣୀ ଖୋଜିବାକୁ ଅନୁରୋଧ କରୁଛନ୍ତି। ଡିନା ନିଜର ସାମ୍ୱାଦିକ ବନ୍ଧୁ ବିଧିଙ୍କ ସହାୟତାରେ ବିଭିନ୍ନ ଜିଲ୍ଲାର ଆଦିବାସୀ ମହିଳାମାନଙ୍କ ଜୀବନୀ ଖୋଜିବାରେ ଲାଗି ପଡ଼ୁଛନ୍ତି। ଏହି ଅବସରରେ ଡିନା ଭେଟୁଛନ୍ତି ଶବରୀ, ରଙ୍ଗୀ, ଜୁଇ ଓ ତୁଳସୀ ଭଳି ଚରିତ୍ରମାନଙ୍କୁ। ସେମାନଙ୍କ ଭିତରୁ ମିଳିଥିଲା ଆଦିବାସୀ ମହିଳାଙ୍କ ଚରିତ୍ରର ବିଭିନ୍ନ ଦିଗ। ସେମାନେ ଯେତିକି ପରିଶ୍ରମୀ ସେତିକି ସହନଶୀଳା। ସେମାନେ ଯେତିକି ନିରୀହ ସେତିକି ନିର୍ଭୟ। ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବାକୁ ଯାଇ ସେମାନେ ବି ଅସ୍ତ୍ର ଉଠାଇବାକୁ ପଛାନ୍ତି ନାହିଁ। ସେମାନଙ୍କ ଚରିତ୍ର ନିରୀହତା, ନିର୍ଭୟତା, ନିର୍ଲିପ୍ତତା ଓ ନମ୍ରତାର ସମାହାର।

ଏହି ନାଟକର ନିର୍ଦ୍ଦେଶନା ଦାୟିତ୍ବ ନେଇଛନ୍ତି ଅନୁଷ୍ଠାନର ସଂପାଦିକା ସୁଜାତା ପ୍ରିୟଦର୍ଶିନୀ। ବିଭିନ୍ନ ଭୂମିକାରେ ସୌମିତ୍ରା ଲେଙ୍କା, ତନୟା ପଟ୍ଟନାୟକ, ସୋନି ରଥ, ସୁଚେତା ପ୍ରିୟବାଦିନୀ, ସଂଘମିତ୍ରା ଜେନା, ଶ୍ରଦ୍ଧା ପାଢ଼ୀ, ଇଶା ମିଶ୍ର, ଗାର୍ଗୀ ଭଟ୍ଟଚାର୍ଯ୍ୟ ପ୍ରମୁଖ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ କିଣିନେଇଥିଲେ। ସଂଗୀତ ପରିବେଷଣ କରିଥିଲେ ଅନିନ୍ଦିତା ଦାସ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଓ ସମ୍ମାନିତ ଅତିଥି ଭାବେ ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଭାପତି ରାଜଲକ୍ଷ୍ମୀ ରଥ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ।